ବଞ୍ଚାଇ ପାରିଲାନି ବଡ଼ ଯାଆଙ୍କ ତ୍ୟାଗ । ତମାମ ପ୍ରଚେଷ୍ଟା ସତ୍ତ୍ୱେ ହସ୍ପିଟାଲ ବେଡ୍ରେ ସବୁ ଦିନ ପାଇଁ ଆଖି ବୁଜିଦେଲେ ସାନ ଯାଆ । ବଡ ଯାଆ, ନିଜ ସାନ ଯାଆକୁ ଲିଭର ଦାନ କରିଥିବା ଭଳି ସମ୍ବଲପୁରର ପ୍ରେରଣାଦାୟୀ ଘଟଣା ଦିନେ ସାରା ରାଜ୍ୟର ଚର୍ଚ୍ଚା ସୃଷ୍ଟି କରିଥିଲା । ରକ୍ତ ସମ୍ପର୍କ ହୋଇନଥିଲେ ବି ବଡ ଯାଆ ସାନ ଯାଆକୁ ଭଉଣୀଠୁ ବଳି ଭାବି ନିଜର ଲିଭର ଦେଇଥିଲେ । ହେଲେ ଶତ ଚେଷ୍ଟା ସତ୍ତ୍ବେ ଗତକାଲି ରାତି ୧୦ଟାରେ ସାନ ଯାଆ ଉମାକାନ୍ତିଙ୍କ ମୃତ୍ୟୁ ଘଟିଛି ।
ଅଧିକ ପଢ଼ନ୍ତୁ: ଜଙ୍ଗଲ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ ମହିଳା, ହାତରେ ଠେଙ୍ଗା ଧରି ଦେଉଛନ୍ତି ସୁରକ୍ଷା
ସମ୍ବଲପୁର ଝଙ୍କାରପାଲି ଅଞ୍ଚଳର ଉମାକାନ୍ତି ପ୍ରଧାନଙ୍କ ପେଟରେ ସେପଟିକ୍ ହୋଇ ଲିଭର ନଷ୍ଟ ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଜୀବନ ବଞ୍ଚାଇବାକୁ ଲିଭର ଟ୍ରାନ୍ସପ୍ଲାଣ୍ଟ କଥା କହିଥିଲେ ଡାକ୍ତର । ଏହା ଶୁଣି ନିଜ ସାନ ଯାଆକୁ ଲିଭର ଦେବାକୁ ଆଗେଇ ଆସିଥିଲେ ବଡ ଯାଆ ପ୍ରତିମା ପ୍ରଧାନ । ଗତ ଜାନୁୟାରୀ ୨୪ରେ ତାଙ୍କର ଲିଭର ପ୍ରତ୍ୟାରୋପଣ ହୋଇଥିଲା । ସ୍ୱାର୍ଥ ପାଇଁ ରକ୍ତର ଭାଇ ବଇରୀ ସାଜୁଥିବାବେଳେ ଏହି ଦୁଇ ଯାଆଙ୍କ ନିଃସ୍ବାର୍ଥପର ସମ୍ପର୍କ ସେତେବେଳେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା ।
ବଡ ଯାଆଙ୍କ ଲିଭର ସାନ ଯାଆଙ୍କ ଶରୀରରେ ସଫଳ ପ୍ରତ୍ୟାରୋପଣ କରାଯାଇଥିଲା । ତଥାପି ବଞ୍ଚି ପାରିନି ସାନ ଯାଆଙ୍କ ଜୀବନ । ସମସ୍ତ ଚେଷ୍ଟା ଓ ପ୍ରାର୍ଥନା ସତ୍ତ୍ବେ ଆଖି ବୁଝିଛନ୍ତି ସମ୍ବଲପୁର ଝାଙ୍କରପାଲି ଗାଁର ଏହି ବହୁ ଚର୍ଚ୍ଚିତ ସାନ ଯାଆ। । ଗତକାଲି ରାତିରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଏନେଇ ତାଙ୍କ ସ୍ୱାମୀ ସୂଚନା ଦେଇଛନ୍ତି ।
ଡାକ୍ତରଙ୍କ କହିବା ଅନୁସାରେ, ଉମାକାନ୍ତିଙ୍କ ଲିଭର ସଫଳତାର ସହ ପ୍ରତ୍ୟାରୋପଣ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସଂକ୍ରମଣ ଯୋଗୁଁ ଶରୀରର ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗ ଅକାମୀ ହୋଇଯାଇଥିଲା । ଏହାଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି । ଉମାକାନ୍ତିଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ପରିବାରରେ ଦୁଃଖର ଲହରୀ ଖେଳି ଯାଇଛି ।