• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଋଷ-ୟୁକ୍ରେନ୍‌ ଯୁଦ୍ଧ ଇତି ମଧ୍ୟରେ ୨୩ ଦିନ ବିତିଗଲାଣି । ଏହି ଲଢ଼େଇ ମଧ୍ୟରେ ଭାରତରୁ ପାଠ ପଢ଼ିବା ପାଇଁ ଯାଇଥିବା ଅନେକ ଛାତ୍ରଛାତ୍ରୀ ୟୁକ୍ରେନ୍‌ରେ ଫସି ରହିଥିଲେ । କିନ୍ତୁ ସରକାରଙ୍କ ଚେଷ୍ଟା ଓ କୂଟନୀତି ଯୋଗୁଁ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ଦେଶକୁ ଫେରାଇ ଅଣାଯାଇଛି । ତେବେ ଏଥିରେ ସରକାରଙ୍କର ଯେତିକି ଶ୍ରେୟ ରହିଛି ସେତିକି ପାଇଲଟ୍‌ ମାନଙ୍କର ମଧ୍ୟ ରହିଛି । ସେହି ସାହସୀ ପାଇଲଟ୍‌ମାନଙ୍କ ଯୋଗୁଁ ଆଜି ଛାତ୍ରଛାତ୍ରୀ ସୁରକ୍ଷିତ ଭାବେ ଭାରତ ଫେରିଆସିଛନ୍ତି ।

ତେବେ ଏହି ଉଦ୍ଧାର କାର୍ଯ୍ୟ ମଧ୍ୟରେ ସବୁଠୁ ଚର୍ଚ୍ଚିତ ଚେହେରା ହେଉଛନ୍ତି, କୋଲକତାର ମୂଳବାସିନ୍ଦା ୨୪ ବର୍ଷୀୟ ମହାଶ୍ୱେତା ଚକ୍ରବର୍ତ୍ତୀ । ଯିଏ କି ପେଶାରେ ଜଣେ ପାଇଲଟ । ଏହି ଯୁଦ୍ଧ ସମୟରେ ୟୁକ୍ରେନ୍‌ ସୀମା ପୋଲାଣ୍ତ ଓ ହଙ୍ଗେରିରୁ ପାଖାପାଖି ୮୦୦ ଭାରତୀୟ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ଏନେଇ ଭାରତୀୟ ଜନତା ପାର୍ଟିର ମହିଳା ମୋର୍ଚ୍ଚା ଟ୍ୱିଟ୍‌ କରି ସୂଚନା ଦେଇଛି ।

ଭାରତୀୟ ଜନତା ଯୁବ ମୋର୍ଚ୍ଚାର ଉପାଧ୍ୟକ୍ଷ ପ୍ରିୟଙ୍କା ଶର୍ମା ନିଜ ଟ୍ୱିଟରେ କହିଛନ୍ତି ଯେ, ବଙ୍ଗଳା ବିଜେପି ମହିଳା ମୋର୍ଚ୍ଚା ମୁଖ୍ୟ ତନୁଜା ଚକ୍ରବର୍ତ୍ତୀଙ୍କ ଝିଅ ମହାଶ୍ୱେତା ଚକ୍ରବର୍ତ୍ତୀ ଏହି ସାହସିକ କାର୍ଯ୍ୟ କରିଛନ୍ତି ।

ଫେବୃଆରୀ ୨୪ରୁ ଆରମ୍ଭ ହୋଇଥିବା ଏହି ଅପରେସନ୍, ଏହାର ତୃତୀୟ ସପ୍ତାହରେ ପ୍ରବେଶ କରିଛି । ଏପର୍ଯ୍ୟନ୍ତ ୨୦ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଘରକୁ ଫେରାଇ ଅଣାଯାଇଛି । ଅନ୍ୟପଟେ ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏବେ ଋଷ ସେନା ୟୁକ୍ରେନ ରାଜଧାନୀଠାରୁ ଆଉ ମାତ୍ର ଅଳ୍ପ ଦୂରରେ ରହିଛି । ଏହି ଯୁଦ୍ଧ ସମୟରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଯେତେବେଳେ ସେ ଖାରକିଭ୍‌ରେ ଘର ପାଇଁ କିଛି ଜିନିଷ କିଣିବାକୁ ବାହାରକୁ ଯାଇଥିଲେ ସେତେବେଳେ ଋଷର ମିସାଇଲ ମାଡ଼ ହୋଇଥିଲା । ଆଉ ସେଥିରେ ତାଙ୍କର ମୃତ୍ୟୁ ହୋଇଥିଲା ।

ସେଠାରେ ଫସି ରହିଥିବା ଛାତ୍ରଛାତ୍ରୀମାନଙ୍କୁ ଉଦ୍ଧାର କରିବାର କାର୍ଯ୍ୟ ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର ବୈଠକ କରିଥିଲେ । ପରିସ୍ଥିତିକୁ ଗମ୍ଭୀରତାର ସହ ନେଇ ଅନୁଧ୍ୟାନ କରିଥିଲେ । ଯାହା ଦ୍ୱାରା ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯାଇପାରିଥିଲା । ସେହିଭଳି ଫସି ରହିଥିବା ହଜାର ହଜାର ଛାତ୍ରଛାତ୍ରୀଙ୍କୁ ନିରାପଦରେ ଭାରତ ଫେରାଇ ଆଣିବା ପାଇଁ ବିରୋଧୀଙ୍କ ପକ୍ଷରୁ ପ୍ରବଳ ଚାପ ମଧ୍ୟ ରହିଥିଲା ।

ଅନ୍ୟପକ୍ଷରେ ୟୁକ୍ରେନ ନିଜର ବିମାନ ବନ୍ଦରଗୁଡ଼ିକୁ ବନ୍ଦ କରିଦେଇଛି । ଏହି କାରଣରୁ ଛାତ୍ରଛାତ୍ରୀଙ୍କୁ ପୋଲାଣ୍ଡ, ହଙ୍ଗେରୀ, ସ୍ଲୋଭାକିଆ ରିପବ୍ଲିକ୍ ଏବଂ ୟୁକ୍ରେନ ସୀମାବର୍ତ୍ତୀ ରୋମାନୀ ଦେଶଗୁଡ଼ିକୁ ଚାଲି ଚାଲି ଆସିବାକୁ ପଡ଼ୁଛି । ଛାତ୍ରଛାତ୍ରୀଙ୍କ ଉଦ୍ଧାର ପାଇଁ ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା କରାଯାଇଛି । ଏହି ସମ୍ପୂର୍ଣ୍ଣ ଉଦ୍ଧାର କର୍ଯ୍ୟ ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଛି ମନ୍ତ୍ରୀଙ୍କୁ ନଜର ରଖିବା ପାଇଁ ଦାୟିତ୍ୱ ଦିଆଯାଇଥିଲା । ତେଣୁ ୟୁକ୍ରେନ୍‌ ସୀମାରେ କେନ୍ଦ୍ର ମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ସାହସ ଯୋଗାଉଥିଲେ ।