• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଟାଟା ହାତକୁ ଫେରିବା ପରେ ଏୟାର ଇଣ୍ଡିଆର ନବକଳେବର ହେବାକୁ ଯାଉଛି । ଇଲକର ଆୟସିଙ୍କ ହାତରେ ଏୟାର ଇଣ୍ଡିଆର ଦାୟିତ୍ଵ ଦେବାକୁ ଯାଉଛି ଟାଟା ସନ୍ସ । ଏୟାର ଇଣ୍ଡିଆର ନୂତନ ଏମଡି ଏବଂ ସିଇଓ ଭାବେ ତାଙ୍କୁ ନିଯୁକ୍ତି ମିଳିଛି । ତୁର୍କୀ ଏୟାରଲାଇନ୍ସର ପୂର୍ବତନ ଚେୟାରମ୍ୟାନ ଥିବା ଇଲକର ଆୟସି ଆସନ୍ତା ଏପ୍ରିଲ ୧ ତାରିଖରୁ ନୂଆ ଦାୟିତ୍ଵ ସମ୍ଭାଳିବେ। ୧୯୭୧ ମସିହାରେ ଇସ୍ତାନବୁଲରେ ଜନ୍ମଗ୍ରହଣ କରିଥିବା ଆୟସି ବୁଲକେଣ୍ଟ ୟୁନିଭର୍ସିଟିର ରାଜନୀତି ବିଜ୍ଞାନ ଏବଂ ପବ୍ଲିକ ଆଡମିନିଷ୍ଟ୍ରେସନ ବିଭାଗର ଛାତ୍ର ।

୧୯୯୪ ମସିହାରେ ସେ ବୁଲକେଣ୍ଟ ୟୁନିଭର୍ସିଟିରୁ ପାଶ କରି ୧୯୯୫ରେ ଇଂଲଣ୍ଡର ଲିଡ୍ସ ୟୁନିଭର୍ସିଟିରେ ରାଜନୀତି ବିଜ୍ଞାନରେ ଗବେଷଣା କରିଥିଲେ। ଦୁଇ ବର୍ଷର ଗବେଷଣା ପରେ ୧୯୯୭ରେ ଆୟସି ଇସ୍ତାନବୁଲର ମରମାରା ୟୁନିଭର୍ସିଟିରୁ ଇଣ୍ଟରନ୍ୟାସନାଲ ରିଲେସନ ମାଷ୍ଟର ପ୍ରୋଗ୍ରାମ ପୂରା କରିବା ପରେ ତୁର୍କୀ ଏୟାରଲାଇନ୍ସରେ ଚାକିରି କରିଥିଲେ। ଦ ଓ୍ଵାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ ଅନୁଯାୟୀ, ଆୟସି ଏବେ ତୁର୍କୀ ଫୁଟବଲ ଫେଡେରେସନ, ତୁର୍କୀ ଏୟାରଲାଇନ୍ସ ସ୍ପୋର୍ଟ୍ସ କ୍ଲବ ଏବଂ ଟିଏଫଏଫ ସ୍ପୋର୍ଟିଫ ଆନୋନିମ ସିରକେଟିର ବୋର୍ଡ ସଦସ୍ୟ ରହିଛନ୍ତି।

ଟାଟା ସନ୍ସ ପକ୍ଷରୁ ଅନୁଷ୍ଠିତ ବୈଠକରେ ଚେୟାରମ୍ୟାନ ଏନ ଚନ୍ଦ୍ରଶେଖରନ ଯୋଗ ଦେଇ ବୋର୍ଡ ସହ ଉଚିତ ବିଚାର ବିମର୍ଷ ପରେ ବେସାମରିକ ବିମାନ ଚଳାଚଳ ଶିଳ୍ପର ଅନ୍ୟତମ ଲିଡର ଇଲକର ଆୟସିଙ୍କ ନାମ ଉପରେ ମୋହର ମାରିଛନ୍ତି । ତେବେ ଆୟସିଙ୍କ ପଦଭାରକୁ ନେଇ ଏବେ ମଧ୍ୟ ରେଗୁଲେଟରୀରୁ ମଞ୍ଜୁରୀ ମିଳିବା ବାକି ରହିଛି ।

ଏୟାର ଇଣ୍ଡିଆର ୧୦୦ ପ୍ରତିଶତ ଅଂଶଧନକୁ ଟାଟା ଗ୍ରୁପ ୧୮,୩୦୦ କୋଟି ଟଙ୍କାରେ କିଣିଛି । ଜାନୁଆରୀ ୨୭ ତାରିଖରେ ମାଲିକାନା ସଂପର୍କିତ ସଂପୂର୍ଣ୍ଣ ପ୍ରକ୍ରିୟା ଶେଷ ହୋଇଥିଲା ବେଳେ ଏୟାର ଇଣ୍ଡିଆର ମାଲିକାନା ସତ୍ତ୍ଵ ହାସଲ କରି ପାରିଛି ଟାଟା ସନ୍ସ। ଏବେ ଟାଟା ସନ୍ସ ପାଖରେ ଏୟାର ଇଣ୍ଡିଆ ସମେତ ଏୟାର ଏସିଆ ଓ ଭିସ୍ତାରା ଭଳି ଅଗ୍ରଣୀ ଏୟାରଲାଇନ୍ସ ରହିଛି ।