• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

ପୁଣି ବାଣ ଟ୍ରାଜେଡି । ଯାଜପୁର ଜାଲପୁରରେ ଏକ ବେଆଇନ ବାଣ ଗୋଦାମରେ ଭୟଙ୍କର ବାଣ ବିସ୍ପୋରଣ ଘଟି ୫ ଜଣ ଗୁରୁତର ହୋଇଛନ୍ତି । ଯାହାଙ୍କ ମଧ୍ୟରେ ଅଛନ୍ତି ଆହତ ବ୍ୟବସାୟୀଙ୍କ ସହ ଜଣେ ପଡ଼ୋଶୀଙ୍କର ଦୁଇ ନବଜାତ ଶିଶୁ । ଯାଜପୁର ଟାଉନ୍ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳକୁ ଯାଇ ଛାନଭିନ୍ କରୁଛନ୍ତି। ଆଜିର ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି ।

ଆହତ ବାଣ ବ୍ୟବସାୟୀଙ୍କ ନାଁରେ ପୂର୍ବରୁ ମଧ୍ୟ ବେଆଇନ୍ ବାଣ କାରବାରଜନିତ ମାମଲା ରହିଥିଲା ।ବାଣ ଭିଡ଼ିବା ବେଳେ ପ୍ରାଣଘାତୀ ବିସ୍ଫୋରଣ ହୋଇ ଥରି ଉଠିଥିଲା ଯାଜପୁରର ଜାଲପୁର ଗାଁ । ଗାଁର ନଳିନୀ ପତି ନାମକ ଜଣେ ବ୍ୟକ୍ତିଙ୍କ ଘରେ ବାଣ ଭିଡ଼ା ଚାଲିଥିବା ବେଳେ ସେଥିରେ ଘଟିଥିଲା ବିସ୍ଫୋରଣ। ସେଠି ଉପସ୍ଥିତ ଥିଲେ ନିଜେ ବାଣ ବ୍ୟବସାୟୀ ନଳିନୀ ପତି ଓ ତାଙ୍କର ୨ ଜଣ କର୍ମଚାରୀ l ତୁରନ୍ତ ସମସ୍ତଙ୍କୁ ଉଦ୍ଧାର କରାଯାଇ ଯାଜପୁର ମେଡିକାଲ ନିଆଯାଇଥିଲା । ଏହି ଘଟଣାରେ ଆହତ ଦୁଇ କର୍ମଚାରୀଙ୍କ ଅବସ୍ଥା ଗୁରୁତର ରହିଛି ।

ସେହିପରି ବିସ୍ଫୋରଣସ୍ଥଳଠାରୁ ପ୍ରାୟ ୫୦ ମିଟର ଦୂରରେ ଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କର ଦୁଇଟି ନବଜାତ ଶିଶୁ ମଧ୍ୟ ପ୍ରଚଣ୍ଡ ଶବ୍ଦ ଶୁଣି ଅସୁସ୍ଥ ହୋଇ ପଡ଼ିଛନ୍ତି । ସେମାନଙ୍କୁ ବି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବେଆଇନ୍ ବାଣ କାରବାର ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ଆହତ କର୍ମଚାରୀଙ୍କ ସମ୍ପର୍କୀୟ ଓ ଅସୁସ୍ଥ ଶିଶୁଙ୍କ ବାପା ଅଭିଯୋଗ କରିଛନ୍ତି ।

ଅଧିକ ପଢ଼ନ୍ତୁ: ‘ସ୍କୁଲ୍ ରଙ୍ଗ ନୁହେଁ, ବିଜେଡି ରଙ୍ଗ ବଦଳାଇଛୁ’: ଗଣଶିକ୍ଷା ମନ୍ତ୍ରୀ

ବାଣ ବିସ୍ଫୋରଣ ପରେ ଜାଲପୁର ଗାଁକୁ ଯାଇ ତନାଘନା ଚଳାଇଛି ପୋଲିସ୍ । ଘଟଣା ସ୍ଥଳରୁ ୩ବସ୍ତା ବାଣ ଜବତ କରିବା ସହ କ୍ଷତିଗ୍ରସ୍ତ ଘର ଓ ପାଖ ଆଖ ଲୋକଙ୍କ ଘର ବୁଲି ଦେଖିଛି l ଅଗ୍ନିଶମ ବିଭାଗ ବି ସେଠୁ ବାଣ ମିଳିଥିବାର ସୂଚନା ଦେଇଛି । ବଡ଼ କଥା ହେଲା ଯେଉଁଠି ବିସ୍ଫୋରଣ ଘଟିଛି ସେଠି ବାଣ ରଖାଯାଇଥିବା ମାନିଛନ୍ତି ଆହତ ମାଲିକ ନଳିନୀ ପତି ।

ସୂଚନାଯୋଗ୍ୟ ଏହି ବାଣ ବ୍ୟବସାୟୀ ଯାହାଙ୍କ ନାଁରେ ପୂର୍ବରୁ ପୋଲିସ୍ ମଧ୍ୟ ବେଆଇନ ବାଣ କାରବାର ନେଇ ମାମଲା ରୁଜୁ କରିଥିଲା । ତାସତ୍ତ୍ବେ ସେ କାହିଁକି ବାଣ ବ୍ୟବସାୟ କରୁଥିଲେ ବୋଲି ପଚରାଯିବାରେ ସେ କଥା ବାଆଁରେଇ ଥିଲେ ।

ଜୀବନ ଯାଉଛି, ହେଲେ ବେଆଇନ୍ ବାଣ କାରବାର ନିଶା ଯାଉନି । ରାଜ୍ୟରେ ବାରମ୍ବାର ଘଟି ଚାଲିଛି ବାଣ ଟ୍ରାଜେଡି ।୨୯ ମେ ୨୦୨୪- ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପ ଖେଳ ବେଳେ ଆତସବାଜି କାର୍ଯ୍ୟକ୍ରମ ସମୟରେ ଘଟିଥିଲା ଭୟଙ୍କର ବାଣ ବିସ୍ଫୋରଣ । ଯେଉଁଥିରେ ୧୬ଜଣଙ୍କର ମୃତ୍ୟୁ ଘଟିଥିଲା। ୩ ଜାନୁଆରୀ ୨୦୨୫- ଜଗତସିଂହପୁର ବଡ଼ବାଗ ଗାଁରେ ବାଣ ବିସ୍ଫୋରଣ ଘଟି ଅକାଳରେ ଯାଇଥିଲା ୩ ଜୀବନ ।

୪ ଏପ୍ରିଲ୍ ୨୦୨୩- ଭୁବନେଶ୍ୱର ଭିଏସଏସ ନଗରରେ ବେଆଇନ୍ ବାଣ ଭିଡ଼ିବା ବେଳେ ଘରର ଆଜବେଷ୍ଟସ ଉଡ଼ିଯିବା ସହ ଜଣଙ୍କ ପ୍ରାଣହାନୀ ଘଟିଥିଲା। ୧୧ ଅକ୍ଟବର ୨୦୧୭- ବାଲେଶ୍ବର ବାହାବଳପୁର ଗାଁରେ ବାଣ ଗୋଦାମରେ ବିସ୍ଫୋରଣରେ ଗଡ଼ିଥିଲା ୧୧ ମୁଣ୍ଡ। ବାରମ୍ବାର ଏଭଳି ଅଘଟଣ ସତ୍ତ୍ବେ ବନ୍ଦ ହେଉନି ବେଆଇନ୍ ବାଣ କାରବାର କି ସତେଚନ ହେଉନାହାନ୍ତି ଲୋକେ ।

ଅଧିକ ପଢ଼ନ୍ତୁ: ଧୋଇଦେଲେ ଅମର, ଲୋକ ମୁହଁ ମୋଡିଦେଲା ପରେ ଖୋଜୁଛନ୍ତି ବିଜୁ ଲିଗାସୀ

OTV is now on Whatsapp

Join and get latest news update delivered to you via whatsapp

Join Now