ସରିଲା ମାଟ୍ରିକ୍ ପରୀକ୍ଷା, ମେ ପ୍ରଥମ ସପ୍ତାହରେ ଆସିବ ରେଜଲ୍ଟ । ଆଜି ଶେଷ ଦିନ ପରୀକ୍ଷା ସରିବା ପରେ ଅଧିକାଂଶ ଛାତ୍ରଛାତ୍ରୀ ସେମାନଙ୍କ ପରିଶ୍ରମ ସାର୍ଥକ ହେବାକୁ ନେଇ ଆଶାବାଦୀ ଅଛନ୍ତି । ସେପଟେ ବୋର୍ଡ କର୍ତ୍ତୃପକ୍ଷ ପ୍ରଶ୍ନପତ୍ର ଭାଇରାଲ୍ ରୋକିବାରେ ସିନା ସଫଳ ହେଲେ, କିନ୍ତୁ ପ୍ରଶ୍ନପତ୍ର ବିଭ୍ରାଟ ରୋକିପାରିଲେନି ବୋଲି ଅଭିଯୋଗ ହୋଇଛି । ପୂର୍ବରୁ ବିଜ୍ଞାନରେ ୪ ମାର୍କ ପ୍ରଶ୍ନ ଗାଏବ ଥିବା କଥା ସାମ୍ନାକୁ ଆସିଥିବା ବେଳେ, ଆଜି ତୃତୀୟ ଭାଷା-ଭୋକେସନାଲରେ ୫୦ ମାର୍କରୁ ୪୩ ମାର୍କ ପ୍ରଶ୍ନ ସିଲାବସ୍ ବାହାରୁ ଆସିଛି ବୋଲି କାନ୍ଦି କାନ୍ଦି କହିଛନ୍ତି ଛାତ୍ରଛାତ୍ରୀ ।
କେଉଁଠି ହସ ହସ ମୁହଁ, ଆଉ କେଉଁଠି ଆଗୁଆ ହୋଲି । ମାଟ୍ରିକ୍ ପରୀକ୍ଷା ଶେଷ ଦିନରେ ଖୁସ୍ ମିଜାଜ୍ ରେ ଛାତ୍ରଛାତ୍ରୀ । କିଏ ବର୍ଷ ବର୍ଷର ବନ୍ଧୁଙ୍କୁ ବିଦାୟ ଦେଉଛି, ଆଉ କିଏ ହୋଲି ଛୁଟିରେ ଦେଖାହେବନି ବୋଲି, ଆଗୁଆ ଅବିର ଖେଳୁଛି । ଆଜି ମାଟ୍ରିକ୍ ପରୀକ୍ଷା ସରିବା ପରେ ଅଧିକାଂଶ ଛାତ୍ରଛାତ୍ରୀ ଆଶ୍ବସ୍ତ ଥିଲେ । କିନ୍ତୁ, ବିଡ଼ମ୍ବନା ପରୀକ୍ଷା ସରିଥିଲେ ବି ସମସ୍ତେ ଶଙ୍କାମୁକ୍ତ ନାହାଁନ୍ତି ।
Also Read
ଆଜି ପରୀକ୍ଷା ସରିବା ପରେ ବୋର୍ଡ ସଭାପତି କହିଛନ୍ତି- ଚଳିତବର୍ଷ ନୂଆ ଜ୍ଞାନକୌଶଳ ଉପଯୋଗ ଫଳରେ ପ୍ରଶ୍ନପତ୍ର ଭାଇରାଲ ରୋକିବା ସମ୍ଭବ ହୋଇଛି । ୱାଟରମାର୍କ ଓ QR କୋଡ୍ ବ୍ୟବସ୍ଥା କାମ ଦେଇଛି। AI କ୍ୟାମେରା ବି କପି ଧରିବାରେ ସଫଳ ହୋଇଛି । ତେବେ ବିଜ୍ଞାନ ସବଜେକ୍ଟିଭ୍ ସି-ସେଟ୍ ରେ ୪ ମାର୍କ ମିସିଂ ପ୍ରଶ୍ନକୁ ନେଇ ସେ କହିଛନ୍ତି- କଂପ୍ୟୁଟର ଭାଇରସ୍ ଯୋଗୁଁ ସେଭଳି ହୋଇଛି । ଆଗକୁ ଯେପରି ନହେବ, ସେଥିପ୍ରତି ଧ୍ୟାନ ଦିଆଯିବ । ହେଲେ ଏହି ପ୍ରଶ୍ନ ବାବଦରେ କିଭଳି ମାର୍କିଂ ହେବ, ସେସଂପର୍କରେ ସେ କିଛି ସ୍ପଷ୍ଟ କରିନାହାନ୍ତି । ସେ କହିଛନ୍ତି- ଏକଜାମିନେସନ୍ କଣ୍ଡକ୍ଟିଂ ବୋର୍ଡକୁ ଏନେଇ ଲିଖିତ ଭାବେ ଅବଗତ କରାଯାଇଛି ଏବଂ ଖାତା ମୂଲ୍ୟାୟନ ପୂର୍ବରୁ ଏନେଇ ନିଷ୍ପତ୍ତି ନିଆଯିବ । ତେବେ ପରୀକ୍ଷାର୍ଥୀଙ୍କୁ କୌଣସି କ୍ଷତି ସହିବାକୁ ପଡ଼ିବନି । ଆଜି ଶେଷ ଦିନରେ ତୃତୀୟ ଭାଷା ପରୀକ୍ଷା ଦେଇ ଅଧିକାଂଶ ପରୀକ୍ଷାର୍ଥୀ ହସଖୁସିରେ ହଲ୍ ରୁ ବାହାରିଥିବା ବେଳେ, ଆଉ କିଛି ଜଣଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା ।
ଥାର୍ଡ ଲାଙ୍ଗୁଏଜ୍ ଭୋକେସନାଲ୍ ସବଜେକ୍ଟର ଇଲେକ୍ଟ୍ରୋନିକ୍ସ ହାର୍ଡୱେର ଥିଓରି ପେପରରେ ସିଲାବସ୍ ବାହାରୁ ପ୍ରଶ୍ନ ଆସିଥିବା ଅଭିଯୋଗ କରିଛନ୍ତି ବହୁ ଛାତ୍ରଛାତ୍ରୀ । ସମୁଦାୟ ୫୦ ମାର୍କରୁ କେବଳ ୨-୩ଟି ପ୍ରଶ୍ନର ୭ ମାର୍କ ନୂଆ ସିଲାବସ୍ ଏବଂ ପ୍ରାୟ ୪୩ ମାର୍କର ପ୍ରଶ୍ନ ସେମାନେ ପଢ଼ିନଥିବା ପୁରୁଣା ସିଲାବସ୍ ରୁ ଆସିଥିବା ଅଭିଯୋଗ ହୋଇଛି ।
ନବରଙ୍ଗପୁରରେ କିଛି ପରୀକ୍ଷାର୍ଥୀ କାନ୍ଦି କାନ୍ଦି ଏନେଇ ଅଭିଯୋଗ କରିଥିବାବେଳେ, ଡିଇଓ ସେମାନଙ୍କ ସହ ଆଲୋଚନା କରି ବ୍ୟତିବ୍ୟସ୍ତ ନହେବାକୁ ବୁଝାଇଛନ୍ତି । ସେପଟେ ଗ୍ରେସ ମାର୍କ ଅଥବା ପୁନଃପରୀକ୍ଷା ଦାବିରେ ଭଦ୍ରକ ବାସୁଦେବପୁରରେ ସ୍କୁଲ ଆଗରେ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ । ବୋର୍ଡ ସଭାପତିଙ୍କ ସୂଚନା ଅନୁସାରେ, ଚଳିତ ମାସ ୧୯ ତାରିଖରୁ ଖାତା ଦେଖା ଆରମ୍ଭ ହେବ ଏବଂ ମେ ପ୍ରଥମ ସପ୍ତାହରେ ଫଳ ପ୍ରକାଶ ପାଇବ ।