• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୁଲିରୁ ପ୍ରଶାସନିକ ଅଧିକାରୀ । ପରିବାର ପୋଷିବା ପାଇଁ ଏ ପ୍ଲାଟଫର୍ମରୁ ସେ ପ୍ଲାଟଫର୍ମ ଘୂରି ବୁଲୁଥିଲେ । ବଡ଼ ବଡ଼ ଲୋକଙ୍କ ହୀନ ବ୍ୟବହାର ପାଇଁ ମଧ୍ୟ ହାରିଯାଇନଥିଲେ । ହେଲେ ତାହାରି ଭିତରେ ପାଠ ପଢ଼ି ସେ ଆଜି ବଡ଼ ବାବୁ ହୋଇପାରିଛନ୍ତି । ଟ୍ରେନ୍‌ ପ୍ଲାଟଫର୍ମରେ କେଇଟା ଟଙ୍କା ପାଇଁ ଭାର ବୋହୁଥିବା କୁଲି ଆଜି ଆଇଏଏସ୍ ଅଫିସର୍ । ଦୁନିଆରେ କଠିନ ପରିଶ୍ରମ ଏବଂ ଦୃଢ଼ ଇଚ୍ଛା ଶକ୍ତି ଆଗରେ କିଛି ଅସମ୍ଭବ ନୁହେଁ । ଜଣେ ବ୍ୟକ୍ତି ଯଦି କିଛି କରିବାକୁ ସଂକଳ୍ପବଦ୍ଧ ହୁଏ, ତେବେ କେହି ତାଙ୍କୁ ଅଟକାଇ ପାରିବେ ନାହି , ପ୍ରତିକୂଳ ପରିସ୍ଥିତି ବି ନୁହେଁ, ଆର୍ଥିକ ଅନଟନ ବି ନୁହେଁ । ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ (UPSC) ପାସ୍ କରିବାକୁ ପିଲାମାନେ କଠିନ ପରିଶ୍ରମ ଏବଂ ନିଷ୍ଠା ସହିତ ପାଠପଢ଼ା ପାଇଁ ଏକରୁ ଅଧିକ କୋଚିଂ ନିଅନ୍ତି । କିନ୍ତୁ କେରଳର ଶ୍ରୀନାଥ ବିନା କୋଚିଂରେ UPSC ପରୀକ୍ଷା ପାସ୍ କରିଛନ୍ତି ।

ଶ୍ରୀନାଥ ରେଳ ଷ୍ଟେସନରେ କୁଲି କାମ କରନ୍ତି । ସେ ପ୍ରଥମେ କେରଳ ଜନସେବା ଆୟୋଗ (କେପିଏସସି)ର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ପରେ ସେ UPSC ରେ ମଧ୍ୟ ସଫଳତା ପାଇଲେ । ହେଲେ ତାଙ୍କ ସଫଳତାର ଯାତ୍ରା ଏତେ ସହଜ ନଥିଲା । ମୁନ୍ନାର ନିବାସୀ ଶ୍ରୀନାଥଙ୍କର ଏକ ଗରିବ ପରିବାରରେ ଜନ୍ମ । ସେ ତାଙ୍କ ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତି । ଚାଳ ଛପର ଘରେ ରହି ରହି ବଡ଼ ବାବୁ ହେବାକୁ ସ୍ୱପ୍ନ ଦେଖିବାର ବେଳ ତାଙ୍କ ପାଖରେ ନଥିଲା । ହେଲେ ପିଲାବେଳୁ ଖୁବ୍‌ ମେଧାବୀ ଥିଲେ ସେ । ପାଠ ପଢ଼ିବା ସହ ପରିବାର ମୁହଁରେ ଦାନା ଦେବାକୁ ପ୍ରତିଦିନ ସଂଘର୍ଷ କରୁଥିଲେ । ଅଭାବ ଅନଟନ ଭିତରେ ପାଠ ପଢ଼ିବା ଜାରି ରଖିବା ସହ ଷ୍ଟେସନରେ କୁଲି କାମ କରୁଥିଲେ । ଏ ଷ୍ଟେସନରୁ ସେ ଷ୍ଟେସନ୍‌ ଦଉଡ଼ିଲେ କେଇଟା ଟଙ୍କା ରୋଜଗାର କରି ଗୁଜୁରାଣ ମେଣ୍ଟାଉଥିଲେ ।

ହେଲେ ଯେତେ ପରିଶ୍ରମ କଲେ ସୁଦ୍ଧା ପରିବାରର ପେଟ ପାଳିବା ସମ୍ଭବ ହୋଇପାରୁ ନଥିଲା । ଏଥିପାଇଁ ସେ ଦୁଇ ସିଫ୍ଟରେ କୁଲି କାମ କରୁଥିଲେ । ପରର ବୋଝ ମୁଣ୍ଡାଇ ମୁଣ୍ଡାଇ ଥକିଗଲେ ଷ୍ଟେସନରେ ବସି ପାଠ ପଢ଼ୁଥିଲେ । ଷ୍ଟେସନରେ ମାଗଣାରେ ମିଳୁଥିବା ୱାଇଫାଇ ତାଙ୍କ ପାଇଁ ସୁଯୋଗ ଆଣିଥିଲା । ନିଜ ପରି ନିଜ ଝିଅକୁ କାହା ଘରେ କାମ କରିବା କଥା ଭାବିଲେ ତାଙ୍କ ମୁଣ୍ଡ ଘୂରି ଯାଉଥିଲା । ଝିଅ ପାଇଁ ଗରିବ ପୁଅ ପୁଣି ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲା । ୨୦୧୮ମସିହାରେ କଠିନ ପରିଶ୍ରମ କରି କିଛି କରିବାକୁ ସ୍ଥିର କରିଥିଲେ । କିନ୍ତୁ କମ ରୋଜଗାର ଭିତରେ ପାଠ ପଢ଼ିବା ଓ ଘର ଚଳାଇବା ତାଙ୍କ ପାଇଁ ସମ୍ଭବପର ନଥିଲା । ତଥାପି ମନକୁ ଦୃଢ଼ କରି ସେ ସିଭିଲ୍ ସର୍ଭିସେସ୍ ପରୀକ୍ଷା ଦେବାକୁ ଚିନ୍ତା କଲେ ।

ଶ୍ରୀନାଥ ଜାଣିଥିଲେ ସେ କୋଚିଂ ସେଣ୍ଟର ଫି ଦେଇପାରିବେ ନାହିଁ । ଏଥିପାଇଁ ସେ ଏକ ଉପାୟ ଆପଣାଇ ଥିଲେ । ଜାନୁଆରୀ ୨୦୧୬ରେ ମୁମ୍ବାଇ ରେଳ ଷ୍ଟେସନରେ ମାଗଣା ୱାଇ-ଫାଇ ସେବା ଆରମ୍ଭ ହୋଇଥିଲା । ଆଉ ତାହାର ସୁଯୋଗ ଉଠାଇ ସେ ପାଖରେ ଥିବା ଅଧାଭଙ୍ଗା ସ୍ମାର୍ଟଫୋନ୍ ମାଧ୍ୟମରେ ଅଧ୍ୟୟନ ଆରମ୍ଭ କଲେ । ମାଗଣା ୱାଇଫାଇ ସାହାଯ୍ୟରେ ଶ୍ରୀନାଥ ରେଳ ଷ୍ଟେସନରେ କାମ କରିବା ସମୟରେ ଅନଲାଇନ୍ ଲେକଚର୍ ଶୁଣୁଥିଲେ । ପ୍ରଥମେ ସେ KPSC ପାସ୍ କରିବା ପରେ ଚତୁର୍ଥ ପ୍ରୟାସରେ UPSC ପରୀକ୍ଷା କ୍ଲିୟର୍ କରି ଆଇପିଏସ୍‌ ଅଫିସର୍ ହୋଇଯାଇଛନ୍ତି ।

ଆଜି ଆଇଏଏସ୍ ଶ୍ରୀନାଥ ଲକ୍ଷ ଲକ୍ଷ ଛାତ୍ରଙ୍କ ପାଇଁ ଏକ ପ୍ରେରଣା । ଯେଉଁମାନେ ବିଫଳ ହେବା ପରେ ନିରାଶା ଅନୁଭବ କରନ୍ତି, ଯେଉଁମାନେ ସମ୍ବଳ ଅଭାବ ହେତୁ ନିଜ ଦକ୍ଷତା ଉପରେ ବିଶ୍ୱାସ କରୁନାହାନ୍ତି, ଯେଉଁମାନେ ଅଯଥାରେ ବାପାମା’ଙ୍କୁ ଦୋଷ ଦେଉଛନ୍ତି, ସେମାନଙ୍କ ପାଇଁ ସେ ଜଣେ ପ୍ରେରଣାଦାୟୀ ମଣିଷ ।