• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜହ୍ନରେ ଭାରତ ଲେଖିଲା ନାଁ । ଇତିହାସ ରଚିଲା ଚନ୍ଦ୍ରୟାନ-୩ । ଜହ୍ନ ମାମୁଁ ଘରେ ଭାରତ । ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କଲା ଲ୍ୟାଣ୍ଡର । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ କରିଛି ଚନ୍ଦ୍ରୟାନ ୩ । ବିଶ୍ୱର ପ୍ରଥମ ଦେଶ ଭାବେ ଇତିହାସ ଚନ୍ଦ୍ରର ଦକ୍ଷିଣ ମେରୁରେ ରଚିଲା ଭାରତ । ସଫଳ ଲ୍ୟାଣ୍ଡିଂ ନେଇ ଘୋଷଣା କଲେ ଇସ୍ରୋ ମୁଖ୍ୟ ।

ଆଜି ସାରା ଦେଶର ନଜର ଥିଲା ଇସ୍ରୋର ତୃତୀୟ ମୁନ୍ ମିଶନ ଉପରେ । ଆଉ ସମସ୍ତଙ୍କ ଆଶା, ଅପେକ୍ଷା ଓ ଉତ୍କଣ୍ଠାକୁ ଚରିତାର୍ଥ କରି ସଫଳତାର ସହ ଚନ୍ଦ୍ରପୃଷ୍ଠରେ ସଫ୍ଟଲ୍ୟାଣ୍ଡିଂ କଲା ଲ୍ୟାଣ୍ଡର୍ । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟଲ୍ୟାଣ୍ଡିଂ କରିବାରେ ପ୍ରଥମ ଦେଶ ଭାବେ ଗୌରବ ଅର୍ଜନ କରିଛି ଭାରତ । ଇସ୍ରୋ ପକ୍ଷରୁ ପୂର୍ବରୁ ଯେଉଁ ଯୋଜନା କରାଯାଇଥିଲା, ଠିକ୍ ସେହି ଅନୁସାରେ ସ୍ୱୟଂକ୍ରିୟ ଭାବେ ଅବତରଣ କରିଥିଲା ଲ୍ୟାଣ୍ଡର୍ ।

ଠିକ୍ ୫ଟା ୪୫ରେ ପ୍ରାୟ ୩୦ କିଲୋମିଟର ଉଚ୍ଚତାରୁ ନିଜ ବେଗ କମ୍ କରି ତଳକୁ ଖସିବା ଆରମ୍ଭ କରିଥିଲା । ଆରମ୍ଭ ହୋଇଥିଲା ଆହ୍ୱାନପୂର୍ଣ୍ଣ ୧୭ ମିନିଟ । ତେବେ ଚନ୍ଦ୍ରୟାନ-୨ ତୁଳନାରେ ଚନ୍ଦ୍ରୟାନ-୩ର ସବୁଠୁ ବଡ଼ ଫରକ ଏୟା ଥିଲା ଯେ, ଏଥର ସଫ୍ଟଲ୍ୟାଣ୍ଡିଂ ଆରମ୍ଭରୁ ଶେଷ ଯାଏଁ ସବୁକିଛି ଲ୍ୟାଣ୍ଡର୍ ନିଜେ  କରିଥିଲା । ଇସ୍ରୋର ମିଶନ ଅପରେସନ୍ କଂପ୍ଲେକ୍ସରେ ବୈଜ୍ଞାନିକ ମାନେ କେବଳ ପୂରା ପ୍ରକ୍ରିୟା ଉପରେ ତୀକ୍ଷ୍ଣ ନଜର ରଖିଥିଲେ।

ଅବତରଣ ବେଳେ ଚନ୍ଦ୍ରପୃଷ୍ଠର ଭିଡିଓ ପଠାଇବା ଆରମ୍ଭ କରିଦେଇଥିଲା ଲ୍ୟାଣ୍ଡରରେ ଲାଗିଥିବା କ୍ୟାମେରା, ଯାହାକୁ ମିଶନ୍ ଅପରେସନ କଂପ୍ଲେକ୍ସର ମନିଟରରେ ଦେଖି ଉତ୍ସାହିତ ହୋଇଥିଲା ସାରା ଦେଶ ।

 

ତେବେ ବ୍ରିକ୍ସ ସମ୍ମିଳନୀ ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଏହାର ସିଧାପ୍ରସାରଣ ଦେଖୁଥିଲେ ସୁଦୁର ଜୋହାନସବର୍ଗରୁ । ସଫ୍ଟ ଲ୍ୟାଣ୍ଡିଂର ପ୍ରଥମ ପର୍ଯ୍ୟାୟ ରଫ୍ ବ୍ରେକିଂ ଫେଜ୍ ଚାଲିଥିଲା ୬୯୦ ସେକେଣ୍ଡ ଧରି । ଏହାପରେ ଅଲ୍ଟିଚ୍ୟୁଡ୍ ହୋଲ୍ଡ ଫେଜ୍ ଓ ଫାଇନ୍ ବ୍ରେକିଂ ଫେଜ୍ ପରେ ପ୍ରାୟ ୮ଶହ ମିଟର ଉଚ୍ଚତାରୁ ଅବତରଣ ସ୍ଥଳରେ ସିଧା ତଳକୁ ଖସିବା ଆରମ୍ଭ ହୋଇଥିଲା । ଏହି ପ୍ରକ୍ରିୟା ଚାଲିଥିଲା ପ୍ରାୟ ୪ ମିନିଟ୍ ଧରି । ଆଉ ଯେତେବେଳେ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠକୁ ଛୁଇଁଲା, କରତାଳିରେ ଫାଟି ପଡ଼ିଥିଲା କଣ୍ଟ୍ରୋଲ ରୁମ୍।

ଅସୀମ ଉତ୍ସାହରେ ଉଛୁଳି ଉଠିଥିଲା ପରିବେଶ । ଖୁସିରେ ଝୁମି ଉଠିଥିଲେ ଏହି ଅଭିଯାନରେ ସାମିଲ ହୋଇଥିଲା ବୈଜ୍ଞାନିକ । ସାରା ଦେଶର ଛାତି ସେତେବେଳେ କୁଣ୍ଢେମୋଟ  । ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରୟାନ-୩ର ସଫଳ ଲ୍ୟାଣ୍ଡିଂ ନେଇ ଘୋଷଣା କରିଥିଲେ ଇସ୍ରୋ ମୁଖ୍ୟ ଏସ୍. ସୋମନାଥ ।

ଚନ୍ଦ୍ରୟାନ ୩ର ସଫଳ ଲ୍ୟାଣ୍ଡିଂ ପରେ ପ୍ରଧାନମନ୍ତ୍ରୀ ମୋଦି ରଖିଛନ୍ତି ବକ୍ତବ୍ୟ । ସେ କହିଛନ୍ତି ଏ କ୍ଷଣ ଅବିସ୍ମରଣୀୟ । ଆଜି ଭାରତ ନୂଆ ଇତିହାସ ରଚିଲା । ଆଜି ସାରା ଭାରତରେ ଉତ୍ସବର ମାହୋଲ । ସାରା ଦେଶବାସୀଙ୍କ ସହ ମୁଁ ବି ଆଜି ଉତ୍ସବରେ ସାମିଲ । ଏ ଅଦ୍ଭୁତ କ୍ଷଣ ପାଇଁ ସାରା ଦେଶବାସୀଙ୍କୁ କୋଟି କୋଟି ବଧାଇ । ଆମ ବୈଜ୍ଞାନିକଙ୍କ ପାଇଁ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିଲା । ଯେଉଁଠି ସାରା ବିଶ୍ୱର କେହି ପହଞ୍ଚିନଥିଲେ, ଆମେ ପହଞ୍ଚିଲେ । ଆଜି ପରେ ଚନ୍ଦ୍ରକୁ ନେଇ ଅନେକ ଭ୍ରାନ୍ତ ଧାରଣା ବଦଳି ଗଲା । ଆଜିର ଏହି ଦିନକୁ ଦେଶବାସୀ ସବୁଦିନ ମନେରଖିବେ । 

ଚନ୍ଦ୍ରରେ କ’ଣ କରିବ ଚନ୍ଦ୍ରୟାନ

ଚନ୍ଦ୍ରଯାନ ୩ ଅଭିଯାନର ମୁଖ୍ୟତଃ ୩ଟି ଲକ୍ଷ୍ୟ ଅଛି । ପ୍ରଥମ ହେଲା ସୁରକ୍ଷିତ ଭାବେ ଚନ୍ଦ୍ରପୃଷ୍ଠରେ ଲାଣ୍ଡର୍ ବିକ୍ରମର ଅବତରଣ, ଆବୁଡ଼ା ଖାବୁଡ଼ା ଓ ଗର୍ତ୍ତ ଥିବା ଚନ୍ଦ୍ରପୃଷ୍ଠରେ ରୋଭର୍‌ର ବିଚରଣ ଓ ବିକ୍ରମ ଦ୍ୱାରା ବିଭିନ୍ନ ପରୀକ୍ଷା ନିରୀକ୍ଷା । ଆମେରିକା, ରୁଷିଆ, ଚୀନ ଆଗରୁ ନିଜର ମହାକାଶଯାନକୁ ଚନ୍ଦ୍ରପୃଷ୍ଠରେ ଓହ୍ଲାଇଥିଲେ ମଧ୍ୟ କେହି ଦକ୍ଷିଣ ମେରୁରେ ଅବତରଣ କରିପାରି ନାହାନ୍ତି। ଇସ୍ରୋର ଅଭିଯାନ ସଫଳ ହେବା ପରେ ଏହା ଇତିହାସ ସୃଷ୍ଟି କରିଛି ।

ଚନ୍ଦ୍ରପୃଷ୍ଠରେ ବଡ଼ ବଡ଼ ଗର୍ତ୍ତ ଅଛି । ଏହାର ଅର୍ଥ ସେଠାରେ ପାଣି ଥାଇପାରେ । ତେଣୁ ବିକ୍ରମର ଏକ ମୁଖ୍ୟ କାମ ହେଲା ସେଠାରେ ପାଣିର ସନ୍ଧାନ କରିବା । ଯଦି ପାଣି ଥାଏ, ଏହାର ଅର୍ଥ ଜୀବନର ସତ୍ତା ସେଠାରେ ଥାଇପାରେ। ଏହା ସହିତ ପାଣି ରହିଛି ମାନେ ହାଇଡ୍ରୋଜେନ ଓ ଅକସିଜେନ ଅଛି। ଏହାକୁ ନେଇ ଅନେକ ବୈଜ୍ଞାନିକ ଗବେଷଣା କରାଯାଇପାରେ।

ଚନ୍ଦ୍ରରେ ଛାଡ଼ିବ ତ୍ରିରଙ୍ଗା ଛାପ

ଚନ୍ଦ୍ରପୃଷ୍ଠରେ ବିକ୍ରମ ଅବତରଣ କରିସାରିଛି । ଏବେ ରୋଭର ପ୍ରଜ୍ଞାନ୍ ଏହା ଭିତରୁ ବାହାରକୁ ବାହାରିବ। ଏହା ଚାଲିବା ସମୟରେ ଭାରତର ଜାତୀୟ ପତାକା ତ୍ରିରଙ୍ଗା ଓ ଇସ୍ରୋ ଲୋଗୋର ଛାପ ଛାଡ଼ିବ। ଚନ୍ଦ୍ରର ବାୟୁମଣ୍ଡଳରେ କଣ କଣ ଉପାଦାନ ଅଛି, ତାର ତଥ୍ୟ ସଂଗ୍ରହ କରିବ ବିକ୍ରମର ପ୍ଲେଲୋଡ୍। ଏହା ସହିତ ଚନ୍ଦ୍ରପୃଷ୍ଠର ପ୍ଲାଜମାର ସାନ୍ଦ୍ରତା ମଧ୍ୟ ମାପିବ । ଚନ୍ଦ୍ରପୃଷ୍ଠର ତାପମାତ୍ରା ସଂପର୍କିତ ତଥ୍ୟ ସଂଗ୍ରହ ମଧ୍ୟ କରିବ ।

ଏସବୁ ସହିତ ଭୂଚଳନ, ଚନ୍ଦ୍ରର ଆଭ୍ୟନ୍ତରୀଣର ଗଠନ କେମିତି ହୋଇଛି, ତାହା ମଧ୍ୟ ଗବେଷଣା କରି ଜଣାଇବ ଲ୍ୟାଣ୍ଡର । ପ୍ରାୟ ୧୪ ଦିନ ଧରି ଚନ୍ଦ୍ରପୃଷ୍ଠରେ ବିଚରଣ କରିବ ବିକ୍ରମ। ପୃଥିବୀର ୧୪ ଦିନ ହେଉଛି ଚନ୍ଦ୍ରପୃଷ୍ଠର ଗୋଟିଏ ଦିନ । ରୋଭର୍ ପ୍ରଜ୍ଞାନ କେବଳ ଲାଣ୍ଡର ବିକ୍ରମ ସହିତ ହିଁ ଯୋଗାଯୋଗ କରିପାରିବ। ଆଗରୁ ଯାଇଥିବା ଚନ୍ଦ୍ରଯାନ ୨ ଜରୁରୀ ସମୟରେ ଇସ୍ରୋ ସହିତ ଯୋଗାଯୋଗ କରିପାରିବ।