ପୁଣିଥରେ ଚର୍ଚ୍ଚାରେ ଆଇଆଇଟି ବାବା ଓରଫ୍ ଅଭୟ ସିଂହ । ଏକ ଘରୋଇ ଟିଭି ସୋ'ରେ ତାଙ୍କୁ ମାଡ଼ ମରାଯିବାର ଭିଡିଓ ଭାଇରାଲ ହେବା ପରେ ବାବାଙ୍କ ଆଉ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଚହଳ ପକାଇଛି । ଏଥିରେ ତାଣ୍ଡବ ନୃତ୍ୟ କରୁଥିବାର ନଜର ଆସିଛନ୍ତି ଆଇଆଇଟି ବାବା । ଦେହର କଳା ଧୋତି ଓ ବେକରେ ମାଳା ପକାଇ ସେ ଜୋରଦାର୍ ଡ୍ୟାନ୍ସ କରିଛନ୍ତି । ଏହି ନୂଆ ଭିଡ଼ିଓରେ ସୋସିଆଲ ମିଡିଆ ୟୁଜର୍ସ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି ।
ଅଧିକ ପଢ଼ନ୍ତୁ: ଓଡ଼ିଶା ଯାତ୍ରା ଜଗତରେ ବଡ଼ ହଲଚଲ୍; ବିବାଦ ଘେରରେ ପୀୟୂଷ ତ୍ରିପାଠୀ
ନିକଟରେ ଆଇଆଇଟି ବାବା ଦାବି କରିଥିଲେ ଯେ, ତାଙ୍କୁ ଏକ ଘରୋଇ ଟିଭି ଚ୍ୟାନେଲରେ ଇଣ୍ଟରଭ୍ୟୁ ପାଇଁ ଡକାଯାଇଥିଲା । ହେଲେ ସେଠି କିଛି ଲୋକ ତାଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିଲେ । ଏହି ଘଟଣାର ଭିଡିଓ ବି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା । ଏହା ବିରୋଧରେ ସେ ନୋଏଡା ସେକ୍ଟର ୧୨୬ ପୋଲିସ ନିକଟରେ ଅଭିଯୋଗ କରିଥିଲେ ।
ଏହି ମାଡ଼ ଖାଇବା ଘଟଣାର ତୁରନ୍ତ ପରେ ଆଇଆଇଟି ବାବାଙ୍କ ତାଣ୍ଡବ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ସେ କଳା ଧୋତି ଓ ବିଭିନ୍ନ ମାଳା ପିନ୍ଧି ନୃତ୍ୟ କରୁଛନ୍ତି । କାନରେ ଇୟରଫୋନ ଲାଗିଛି । ଏକ ବନ୍ଦ କୋଠରୀ ଭିତରେ ବାବା ଏମିତି ଶିବ ତାଣ୍ଡବ କରୁଥିବାର ଦେଖାଯାଇଛି ।
ଏହି ଭିଡିଓକୁ 'କଲ୍କିୱାର୍ଲ୍ଡ 777' ନାମକ ଏକ ଆକାଉଣ୍ଟରେ ସେୟାର କରାଯାଇଛି, ଯାହାକି ଖୁବ୍ ଭାଇରାଲ ହେବାରେ ଲାଗିଛି । ଏଥିରେ ସୋସିଆଲ ମିଡିଆ ୟୁଜରମାନେ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି । କିଛି ଲୋକ ଏହାକୁ ଆଇଆଇଟି ବାବାଙ୍କ ଆତ୍ମବିଶ୍ବାସ କହି ସପୋର୍ଟ କରୁଥିବାବେଳେ ଆଉ କିଛି ତାଙ୍କର ମାନସିକ ସ୍ଥିତି ଉପରେ ପ୍ରଶ୍ନ ଉଠାଇଛନ୍ତି ।
କହିରଖୁଛୁ କି, ପ୍ରୟାଗରାଜ ମହାକୁମ୍ଭ ବେଳେ ଚର୍ଚ୍ଚାକୁ ଆସିଥିଲେ ଅଭୟ ସିଂହ । ସେ ଆଇଆଇଟି ବମ୍ବେରୁ ଏରୋସ୍ପେଶ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିବାବେଳେ ସାଧୁ ହୋଇ ମହାକୁମ୍ଭରେ ବୁଲିଥିଲେ । ସେବେଠୁ ସେ ଆଇଆଇଟି ବାବା ଭାବେ ସାରା ଦେଶରେ ପରିଚିତ । ତେବେ ନିଜର ବିବାଦୀୟ ବୟାନ ଓ କାର୍ଯ୍ୟକଳାପକୁ ନେଇ ଅନେକ ସମୟରେ ଚର୍ଚ୍ଚାର ଶିରୋନାମା ପାଲଟୁଛନ୍ତି ଅଭୟ । ଏହାସତ୍ତ୍ୱେ ଦିନକୁ ଦିନ ତାଙ୍କର ଲୋକପ୍ରିୟତା ବଢିଚାଲିଛି ।