• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗାନ୍ଧୀନଗର : ନିର୍ବାଚନ ହାରିବା ପରେ ଭୋ ଭୋ କାନ୍ଦିଲେ ସରପଞ୍ଚ ପ୍ରାର୍ଥୀ । ହେଲେ ପରାଜୟ ପାଇଁ ନୁହେଁ ପରିବାର ଲୋକଙ୍କ ପାଇଁ ତାଙ୍କ ଆଖିକୁ ଲୁହ ଆସିଛି । ଗାଁ ଲୋକ କିମ୍ବା ପଞ୍ଚାୟତର ଲୋକଙ୍କ କଥା ଦୂରେ ଥାଉ, ନିଜ ପରିବାରର ୧୨ ଜଣ ସଦସ୍ୟ ବି ତାଙ୍କୁ ଭୋଟ୍ ଦେଇନାହାନ୍ତି । ଆଉ ଏକଥା ଜାଣିବା ପରେ ସେ କୋହ ସମ୍ଭାଳି ପାରିନାହାନ୍ତି । ପିଲାଙ୍କ ପରି କାନ୍ଦି ଉଠିଛନ୍ତି । ଗୁଜରାଟର ବାପି ଜିଲ୍ଲାରେ ଏପରି ଘଟଣା ଘଟିଛି । ସେଠାରେ ନିର୍ବାଚନ ​ଲଢ଼ୁଥିବା ସାନ୍ତୋଷଭାଇଙ୍କ ପରାଜୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ସରପଞ୍ଚ ପ୍ରାର୍ଥୀ ହିସାବରେ ​​ସନ୍ତୋଷ ନାମାଙ୍କନ ଦାଖଲ କରିଥିଲେ । ଚରୱାଲା ଗାଁ ବାସିନ୍ଦା ସନ୍ତୋଷ ନିର୍ବାଚନ ଜିତିବେ ବୋଲି ଆଶା କରିଥିଲେ । ମତଦାନ ପୂର୍ବରୁ ଜୋରସୋରରେ ଚାଲିଥିଲା ପ୍ରଚାର । ଆଶା କରିଥିଲେ ଏଥର ସେ ନିଶ୍ଚୟ ସରପଞ୍ଚ ପଦବୀ ପାଇଁ ହକଦାର । ହେଲେ ଦୁଃଖର ବିଷୟ ପଞ୍ଚାୟତ ଲୋକେ ତ ଭୋଟ୍‌ ଦେଲେନି, ଏହାସହ ତାଙ୍କ ପରିବାର ୧୨ ଜଣ ସଦସ୍ୟ ମଧ୍ୟ ତାଙ୍କୁ ଭୋଟ୍ ଦେଇନାହାନ୍ତି । ତାଙ୍କ ଖାତାରେ ମାତ୍ର ଗୋଟିଏ ଭୋଟ୍ ପଡ଼ିଛି ।

ପରିବାରର ୧୨ ଜଣ ସଦସ୍ୟଙ୍କ ମଧ୍ୟରୁ କେବଳ ଗୋଟିଏ ଭୋଟ୍ ପାଇଛନ୍ତି ସନ୍ତୋଷ । ତେବେ ଏହି ଭୋଟ୍‌ ବି ସେ ନିଜେ ଦେଇଛନ୍ତି । ଭୋଟ୍ ଗଣତି ପରେ ସନ୍ତୋଷ ଏତେ ଭାବପ୍ରବଣ ହୋଇଗଲେ ଯେ ଗଣନା କେନ୍ଦ୍ରରେ ବସି ପିଲାଙ୍କ ପରି କାନ୍ଦିବାକୁ ଲାଗିଲେ । ପରାଜୟର ଦୁଃଖ ଅପେକ୍ଷା ପରିବାରର ଅସହଯୋଗ ତାଙ୍କୁ ବେଶୀ କଷ୍ଟ ଦେଇଛି । ଏକଥାକୁ ସହ୍ୟ କରିପାରୁ ନାହାନ୍ତି ସନ୍ତୋଷ । ମୋର ପରିବାର ସଦସ୍ୟ ମଧ୍ୟ ମୋତେ ଭୋଟ୍ ଦେଇ ନାହାଁନ୍ତି ବୋଲି କାନ୍ଦି କାନ୍ଦି କହିଛନ୍ତି ।

ଗୁଜୁରାଟରେ ଅନୁଷ୍ଠିତ ଗ୍ରାମପଞ୍ଚାୟତ ନିର୍ବାଚନର ଫଳାଫଳ ଆଜି ଘୋଷଣା କରାଯିବ । ଏଥିପାଇଁ ଭୋଟ୍ ଗଣତି ଚାଲିଛି । ଆଜି ଗୁଜୁରାଟରେ ସମୁଦାୟ ୮୬୮୬ ପଞ୍ଚାୟତର ନିର୍ବାଚନର ଫଳାଫଳ ଘୋଷଣା କରାଯିବ । ସେଠାରେ ସମସ୍ତ ଗ୍ରାମରେ ବାଲାଟ ପେପର ମାଧ୍ୟମରେ ଭୋଟ୍ ଦେଇଛନ୍ତି ଭୋଟର୍ । ଭୋଟ୍ ହାର ୭୭ ପ୍ରତିଶତ ରହିଛି । ସେହିପରି ଗୁଜୁରାଟରେ ସରପଞ୍ଚ ପଦବୀ ପାଇଁ ୨୭ ହଜାର ପ୍ରାର୍ଥୀ ମୈଦାନକୁ ଓହ୍ଲାଇଥିଲେ । ଅନ୍ୟପଟେ ୧.୧୯ ଲକ୍ଷ ଲୋକ ପଞ୍ଚାୟତ ସଦସ୍ୟ ପାଇଁ ମୈଦାନକୁ ଓହ୍ଲାଇଥିଲେ ।