• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପିଏମ୍-ଶ୍ରୀ ସ୍କୁଲ ପାଇଁ କେନ୍ଦ୍ର କ୍ୟାବିନେଟରେ ବଡ଼ ନିଷ୍ପତ୍ତି । ପିଏମ୍ ଶ୍ରୀ ସ୍କୁଲ ଅର୍ଥାତ୍‌ ପ୍ରଧାନମନ୍ତ୍ରୀ ସ୍କୁଲ୍‌ସ ଫର୍ ରାଇଜିଂ ଇଣ୍ଡିଆ। ପିଏମ୍-ଶ୍ରୀ ଯୋଜନାରେ ଦେଶରେ ୧୪ ହଜାର ସ୍କୁଲର ଉନ୍ନତୀକରଣ ହେବ। କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟର ଉନ୍ନତୀକରଣ କରାଯିବ ବୋଲି କ୍ୟାବିନେଟ୍ ନେଇଛି ବଡ଼ ନିଷ୍ପତ୍ତି। 

ବୈଷୟିକ ଜ୍ଞାନକୌଶଳରେ ସମୃଦ୍ଧ ହେବ ପିଏମ୍-ଶ୍ରୀ ସ୍କୁଲ । କ୍ୟାବିନେଟ ନିଷ୍ପତ୍ତି ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଛନ୍ତି ଏହି ସୂଚନା । ୧୪ ହଜାର ସ୍କୁଲର ଉନ୍ନତୀକରଣ ପାଇଁ ୫ ବର୍ଷରେ ଖର୍ଚ୍ଚ ହେବ ମୋଟ ୨୭ ହଜାର ୩୬୦ କୋଟି ଟଙ୍କା । ବିଶେଷ କରି ପିଏମ୍-ଶ୍ରୀ ସ୍କୁଲ ଯୋଜନାରେ ଉପକୃତ ହେବେ ୧୮ ଲକ୍ଷ ଛାତ୍ରଛାତ୍ରୀ ବୋଲି ଧର୍ମେନ୍ଦ୍ର ସୂଚନା ଦେଇଛନ୍ତି 

ଗୁରୁ ଦିବସ ଅବସରରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍କୁଲ୍‌ସ ଫର୍ ରାଇଜିଂ ଇଣ୍ଡିଆ ବା ପିଏମ୍-ଶ୍ରୀ ଯୋଜନା ଘୋଷଣା କରିଛନ୍ତି । ଏହି ନୂଆ ପ୍ରୟାସରେ ଦେଶବ୍ୟାପୀ ୧୪ ହଜାରରୁ ଅଧିକ ସ୍କୁଲର ଉନ୍ନତିକରଣ ଓ ଆଧୁନିକୀକରଣ କରାଯିବ ବୋଲି ଟ୍ୱିଟ୍ କରିଛନ୍ତି ମୋଦି । ଏଥିସହ ଲେଖିଛନ୍ତି ଯେ, ଜାତୀୟ ଶିକ୍ଷା ନୀତିକୁ ସମ୍ପୂର୍ଣ୍ଣ ଇଚ୍ଛାଶକ୍ତି ସହ ପ୍ରଣୟନ କରିବାରେ ଏଗୁଡ଼ିକ ମଡେଲ୍ ସ୍କୁଲ ହେବ । ସେଠାରେ ଆଧୁନିକ, ପରବର୍ତ୍ତନକାରୀ ତଥା ସାମଗ୍ରିକ ଶିକ୍ଷାଦାନ ବ୍ୟବସ୍ଥା ରହିବ । ନୂଆ କିଛି ଆବିଷ୍କାର ବା ଉଦ୍ଭାବନ ଦିଗରେ ଅଧିକ ଗୁରୁତ୍ୱ ଦିଆଯିବ।

ନୂଆ ଟେକ୍ନୋଲଜି, ସ୍ମାର୍ଟ କ୍ଲାସରୁମ୍, କ୍ରୀଡ଼ା ଓ ଅନ୍ୟାନ୍ୟ ଆଧୁନିକ ଭିତ୍ତିଭୂମି ଉପରେ ଧ୍ୟାନ ଦିଆଯିବ । ଜାତୀୟ ଶିକ୍ଷାନୀତି ବିଗତ ବର୍ଷମାନଙ୍କରେ ଶିକ୍ଷା କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ଆଣିଛି । ଏଥିସହ ମୋଦି ପ୍ରକାଶ କରିଛନ୍ତି- ମୁଁ ନିଶ୍ଚିତ ଯେ, ପିଏମ୍-ଶ୍ରୀ ଯୋଜନା ମଧ୍ୟ ଭାରତର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଲାଭ ଦେବ । ଦୁଇ ଦିନ ପୂର୍ବରୁ ଗୁରୁଦିବସ ଅବସରରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବୋଧନ କରିବା ବେଳେ ମଧ୍ୟ ଜାତୀୟ ଶିକ୍ଷାନୀତି-୨୦୨୦ ଉପରେ ଜୋର୍ ଦେଇଥିଲେ ପ୍ରଧାନମନ୍ତ୍ରୀ।

ପିଏମ୍-ଶ୍ରୀ ଯୋଜନାରେ କୌଣସି ନୂଆସ୍କୁଲ ସ୍ଥାପନ ହେବ ନାହିଁ ବରଂ ପ୍ରଚଳିତ ସ୍କୁଲକୁ ଚିହ୍ନଟ କରି ତାହାର ଆଧୁନିକୀକରଣ ହେବ । ଏହାର ପରିଚାଳନା କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ଗାଇଡ୍‌ଲାଇନ ଅନୁସାରେ ହେବ । ଆବଶ୍ୟକତା ଅନୁସାରେ ସରକାରୀ ସ୍କୁଲର ପରିସର ଓ ନିର୍ମାଣକୁ ଅଧିକ ମଜବୁତ, ସୁନ୍ଦର ଓ ଆକର୍ଷଣୀୟ କରାଯିବ । ଏଥିପାଇଁ ଆବଶ୍ୟକ ଅର୍ଥ କେନ୍ଦ୍ର ସରକାର ବହନ କରିବେ । ରାଜ୍ୟ ସରକାର ଏହି ଯୋଜନାର ପ୍ରଣୟନ କରିବା ସହିତ କାର୍ଯ୍ୟକାରିତା ଉପରେ ନଜର ରଖିବେ।