• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବଜେଟରେ ଅର୍ଥମନ୍ତ୍ରୀଙ୍କ ଘୋଷଣା ପରେ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି-CBDCକୁ ନେଇ ଚର୍ଚ୍ଚା ଜୋର ଧରିଛି । କଣ ଏହି ଡିଜିଟାଲ କରେନ୍ସି ? କାହିଁକି ଏମିତି ମୁଦ୍ରା ଆଣିବାକୁ ବିଚାର କଲା ଆରବିଆଇ ? ଏହାର ଉପଯୋଗିତା କଣ? କେମିତି ବ୍ୟବହାର କରିବେ ଲୋକେ ? ଏହାକୁ ନେଇ ଅନେକ ପ୍ରଶ୍ନ, ଅନେକ ଦ୍ୱନ୍ଦ୍ୱ ।

ଭାରତରେ ପ୍ରଚଳନ ହେବ ଡିଜିଟାଲ କରେନ୍ସି । ୨୦୨୨-୨୩ ଆର୍ଥିକ ବର୍ଷରେ ଆର୍‌ବିଆଇ ଏହି ଅଦୃଶ୍ୟ ମୁଦ୍ରା ଜାରି କରିବ ବୋଲି ଗତକାଲି ବଜେଟ୍ ଅବସରରେ ଘୋଷଣା କରିଥିଲେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ଏ ଡିଜିଟାଲ କରେନ୍ସି ଆସିବା ପୂର୍ବରୁ, ଏହାକୁ ନେଇ ଚର୍ଚ୍ଚା ଓ ଆଲୋଚନା ଚାଲିଛି । ଏହା ଭିତରେ ବିଶେଷଜ୍ଞ ଶୁଣାଇଛନ୍ତି ଅଭୟବାଣୀ, ବ୍ୟସ୍ତ ହେବାର କାରଣ ନାହିଁ, ଡିଜିଟାଲ କରେନ୍ସି ଏବେକାର ପ୍ରଚଳିତ ମୁଦ୍ରାର ଭିନ୍ନ ଏକ ରୂପ, ତେବେ କଣ ଏ ଡିଜିଟାଲ କରେନ୍ସି, ଆସନ୍ତୁ ଜାଣିବା ।

ବିଶେଷଜ୍ଞଙ୍କ ମତରେ, ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି ହେଉଛି ଭାରତୀୟ ମୁଦ୍ରାର ଡିଜିଟାଲ ରୂପ । ଅନ୍ୟ କ୍ରିପ୍ଟୋକରେନ୍ସି ଭଳି ବ୍ଲକଟେନ୍ ଟେକ୍ନୋଲୋଜିରେ ତିଆରି ହେବ ଏହି ଡିଜିଟାଲ କରେନ୍ସି, ଯାହାକି ସମ୍ପୂର୍ଣ୍ଣ ନିରାପଦ । କାରଣ ଏ ଡିଜିଟାଲ କରେନ୍ସି ଏଣ୍ଡ-ଟୁ-ଏଣ୍ଡ ଏନ୍‌କ୍ରିପ୍ଟେଡ୍‌ ରହିବ, ଅର୍ଥାତ ଏହାକୁ ଚୋରି କରିବା ସହଜ ନୁହେଁ । ଏହାର ସମ୍ପୂଣ୍ଣ ନିୟନ୍ତ୍ରଣ ଆରବିଆଇ କରିବ ।

 

ଏବେ ପୁଣି ପ୍ରଶ୍ନ ଉଠୁଛି, ଏବେ ତ ବିଶ୍ୱରେ ବିଟ୍‌କଏନ୍, ଏଥିରିୟମ୍ ଭଳି ଶହ ଶହ କ୍ରିୋକରେନ୍ସି ଅଛି ତାସତ୍ତ୍ୱେ କାହିଁକି ଡିଜିଟାଲ କରେନ୍ସି ଆଣିବ ଆର୍‌ବିଆଇ ? ବିଶେଷଜ୍ଞ କହୁଛନ୍ତି, କ୍ରିପ୍ଟୋକରେନ୍ସି ନିବେଶ ବୃଦ୍ଧି ଯୋଗୁ କଳାଧନ ବୃଦ୍ଧି ଆଶଙ୍କା ବଢ଼ିଛି । ଏମିତିକି ଏସବୁରେ କିଏ ନିବେଶ କରୁଛି, କେତେ ଅର୍ଥ ଖଟାଉଛି, ତା ଉପରେ ସରକାରଙ୍କ କୌଣସି କର୍ତ୍ତୃତ୍ୱ ରହୁନାହିଁ । ତେଣୁ କେନ୍ଦ୍ର ସରକାର ଓ ଆରବିଆଇକୁ ନିଜସ୍ୱ ଡିଜିଟାଲ କରେନ୍ସି ଆଣିବାକୁ ବାଧ୍ୟ କରିଛି ।

ଡିଜିଟାଲ କରେନ୍ସି ପ୍ରସଙ୍ଗ ଶୁଣିବା ପରେ ସମସ୍ତଙ୍କ ମନରେ ସନ୍ଦେହ, ହଜିଯିବନି ତ ଆମେ ବ୍ୟବହାର କରୁଥିବା ନୋଟ୍ ଓ ମୁଦ୍ରା ? ବ୍ୟାଙ୍କରଙ୍କ ମତ, ଫିଜିକାଲ କରେନ୍ସିର ସ୍ଥାନ କେହି ନେଇପାରିବେ ନାହିଁ । କାରଣ ଏହା ଲୋକଙ୍କର ସବୁଠୁ ପସନ୍ଦର ଦେଣନେଣର ମାଧ୍ୟମ । ସରକାରଙ୍କ ଘୋଷଣା ପରେ ଡିଜିଟାଲ କରେନ୍ସି ବ୍ୟବହାରକୁ ଆନୁଷ୍ଠାନିକ ଅନୁମତି ମିଳିଛି ।

ତେଣେ ଆରବିଆଇ ଦ୍ୱାରା ପ୍ରଚଳିତ ହେବାକୁ ଯାଉଥିବା ଡିଜିଟାଲ କରେନ୍ସିକୁ କେବଳ ଲିଗାଲ ଟେଣ୍ଡର ମାନ୍ୟତା ମିଳିବ ବୋଲି ଅର୍ଥ ସଚିବ ଟିଭି ସୋମନାଥ ସ୍ପଷ୍ଟ କରିଛନ୍ତି । ବିଶ୍ୱର ଅନ୍ୟ କୌଣସି କ୍ରିପ୍ଟୋକୁ କେବେବି ଏହି ମାନ୍ୟତା ଦିଆଯିବ ନାହିଁ । ତେଣୁ ନିବେଶକାରୀ କ୍ଷତି ସହିଲେ ରିଜର୍ଭ ବ୍ୟାଙ୍କ ଉତ୍ତରଦାୟୀ ରହିବ ନାହିଁ ବୋଲି କୁହାଯାଉଛି ।

ଅନ୍ୟପକ୍ଷରେ କୌଣସି କ୍ରିପ୍ଟୋର ମୂଲ୍ୟ କେତେ ହେବ ତାହା ରିଜର୍ଭବ୍ୟାଙ୍କ ନିର୍ଦ୍ଧାରଣ କରିବ ନାହିଁ, କାରବାର କରୁଥିବା ଦୁଇ ବ୍ୟକ୍ତି ତାହା ସ୍ଥିର କରିବେ । ସେପଟେ ଏଥର କେନ୍ଦ୍ରୀୟ ବଜେଟ୍‌ରେ କ୍ରିପ୍ଟୋକରେନ୍ସି ଭଳି ସବୁ ପ୍ରକାର ଡିଜିଟାଲ୍ ଓ ଭର୍ଚୁଆଲ୍ ଆସେଟ୍‌ରୁ ଆୟ ଉପରେ ୩୦ ପ୍ରତିଶତ ଟିକସ ଘୋଷଣା କରାଯାଇଛି । ଏକ୍ଷେତ୍ରରେ କୌଣସି ଡିଡକ୍ସନ ବା ଏକ୍ଜମ୍ପସନ୍‌କୁ ଅନୁମତି ମିଳିବ ନାହିଁ । ହେଲେ ଆରବିଆଇ ଆଣିବାକୁ ଥିବା ଡିଜିଟାଲ କରେନ୍ସିର ଗ୍ରହଣୀୟତା ନେଇ ପ୍ରଶ୍ନ ଉଠାଇଛନ୍ତି ବ୍ୟାଙ୍କର୍ ।

ଭାରତୀୟ ରିଜର୍ଭ ବ୍ୟାଙ୍କରେ ଡିଜିଟାଲ କରେନ୍ସିର ରୂପରେଖ କଣ ହେବ ତାକୁ ନେଇ କଳ୍ପନାଜଲ୍ପନା ଭିତରେ କେନ୍ଦ୍ର ସରକାର । ଅନ୍ତର୍ଜାତୀୟ ବଜାରରେ କ୍ରିପ୍ଟୋ କାରବାରର ଅନୁଧ୍ୟାନ କରୁଥିବା ଜଣାପଡିଛି । ଅନ୍ୟପକ୍ଷରେ ଦେଶରେ କ୍ରିପ୍ଟୋକରେନ୍ସି କାରବାର ନିୟନ୍ତ୍ରଣ ଲାଗି ସରକାର ଖୁବ୍ ଶୀଘ୍ର ଆଇନ ଆଣିବା ସମ୍ଭାବନା ରହିଛି ।

ରିପୋର୍ଟର- କପିଳେନ୍ଦ୍ର ପ୍ରଧାନ

OTV is now on Whatsapp

Join and get latest news update delivered to you via whatsapp

Join Now