• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଅନ୍ୟକୁ ହସାଉଥିବା, ଖୁସିରେ ରହିବାର କଳା ଶିଖାଉଥିବା ବ୍ୟକ୍ତି କାହିଁକି କରୁଛି ଆତ୍ମହତ୍ୟା? ସବୁ ବାଟ ବନ୍ଦ ହେଉଯାଉଛି ନା ବାଟ ଦେଖାଇବାକୁ କେହି ମିଳୁନାହାନ୍ତି? କାରଣ ବିଗତ କିଛି ବର୍ଷ ଭିତରେ ସେଲିବ୍ରିଟିଙ୍କ ଆତ୍ମହତ୍ୟା ଘଟଣା ବଢ଼ିବାରେ ଲାଗିଛି । ସିଲକ୍ ସ୍ମିତାଠୁ ସୁଶାନ୍ତ ସିଂ ରାଜପୁତ ଆଉ ଏବେ ରାଇମୋହନ...ନିଜ କ୍ୟାରିୟରରେ ସଫଳତାର ଶୀର୍ଷରେ ଥାଇ ବି ଏମାନେ ଆତ୍ମହତ୍ୟା କରିଛନ୍ତି । ତେବେ ଆସନ୍ତୁ ଜାଣିବା ଏହା ପଛର କାରଣ କଣ ?

ଚକାଚକ୍ ମନୋରଞ୍ଜନ ଦୁନିଆ ଭିତରେ ଲୁଚି ରହିଛି ଅନେକ କଷ୍ଟ । ଲାଇଟ୍...କ୍ୟାମେରା...ଆକ୍ସନ୍ ଭିତରେ ଚାପି ହେଉଯାଉଛି ମନର କୋହ, ଆଉ ଆଖିର ଲୁହ । ଅନ୍ୟକୁ ହସାଉଥିବା, ବଞ୍ଚିବାକୁ ରାସ୍ତା ଦେଖାଉଥିବା ମଣିଷ ଖୋଦ୍ ବାଟବଣା ହୋଇଯାଉଛି । ୧୪ ଜୁନ୍ ୨୦୨୦, ବଲିଉଡ୍ ଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ ଅକାଳ ମୃତ୍ୟୁ ସାରା ଦେଶକୁ ସ୍ତବ୍ଧ କରି ଦେଲା । ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ବୋଲି ଲକ୍ଷ ଲକ୍ଷ ଫ୍ୟାନ୍, ଶୁଭେଚ୍ଛୁ ଓ ନିଜର ଲୋକେ ବିଶ୍ୱାସ କରିପାରୁନଥିଲେ । ମୃତ୍ୟୁ ପୂର୍ବରୁ ନିଜ ବ୍ୟକ୍ତିଗତ ଜୀବନ ଓ କ୍ୟାରିୟର୍‌କୁ ନେଇ ସୁଶାନ୍ତ ମାନସିକ ଚାପରେ ଥିବା କଥା ତଦନ୍ତରୁ ଜଣାପଡ଼ିଥିଲା ।

ସେହିପରି ୧୨ ନଭେମ୍ବର ୨୦୨୦, ବଲିଉଡ୍‌ର ଆଉ ଜଣେ ଚର୍ଚ୍ଚିତ ଅଭିନେତା ଆସିଫ୍ ବସ୍ରା ହିମାଚଳ ପ୍ରଦେଶର ଧର୍ମଶାଳାରେ ଆତ୍ମହତ୍ୟା କରିଥିଲେ । ଆର୍ଥିକ ସମସ୍ୟାକୁ ନେଇ ସେ ଚରମ ପଦକ୍ଷେପ ନେଇଥିବା ପୋଲିସ୍ କହିଥିଲା । ଏହାପୂର୍ବରୁ ୨୦୧୩ରେ ଜିଆ ଖାନ୍‌ଙ୍କ ମୃତ୍ୟୁ ସାରା ବଲିଉଡ୍ ଇଣ୍ଡଷ୍ଟ୍ରିକୁ ଦୋହଲାଇ ଦେଇଥିଲା । ବାଲିକା ବଧୂ ଫେମ୍ ପ୍ରତ୍ୟୁଷା ବାନାର୍ଜୀଙ୍କ ସୁଇସାଇଡ୍ ଅନେକଙ୍କୁ ଚକିତ କରିଥିଲା ।

କେବଳ ବଲିଉଡ୍ କିମ୍ବା ଦକ୍ଷିଣ ଭାରତରେ ନୁହେଁ ଓଡ଼ିଆ ମନୋରଂଜନ ଦୁନିଆରେ ବି ଅନେକ ସେଲିବ୍ରିଟି ଆତ୍ମହତ୍ୟା କରିଛନ୍ତି । ୨୦୦୮ରେ ଆଲବମ୍ ଅଭିନେତା ପପୁ ଓ ୨୦୧୬ରେ ଟେଲି ଅଭିନେତା ରାଜା ପଟ୍ଟନାୟକଙ୍କ ଆତ୍ମହତ୍ୟା ଘଟଣା ଚର୍ଚ୍ଚାରେ ରହିଥିଲା । ରାଜାଙ୍କ ମୃତ୍ୟୁ ମାମଲାରେ ଅଭିନେତ୍ରୀ ଜେସିଙ୍କୁ ଗିରଫ ବି କରାଯାଇଥିଲା ।

୨୦୧୯ରେ କଟକରେ ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ପାରିବାରିକ କଳହ ଘଟଣାକୁ ସାମ୍ନାକୁ ଆଣିଥିଲା । ଗତ ସପ୍ତାହରେ ରାଜଧାନୀରେ ଟେଲି ଅଭିନେତ୍ରୀ ରଶ୍ମୀରେଖାଙ୍କ ଆତ୍ମହତ୍ୟା ମାମଲା ଏବେ ବି ରହସ୍ୟ ଘେରରେ ରହିଛି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ଖାଲି ଆର୍ଥିକ ଦୁଃସ୍ଥିତି, ନା ନିଜ ଲୋକଙ୍କ ସହ ଖରାପ ସମ୍ପର୍କ...କେଉଁ କାରଣ ପାଇଁ ସେଲିବ୍ରିଟି ନିଜ ଜୀବନ ହାରୁଛନ୍ତି । ବରିଷ୍ଠ ଅଭିନେତାଙ୍କ ମତରେ, କରୋନା ଯୋଗୁ ସିନେମା ଓ ଷ୍ଟେଜ୍ ଶୋକମିଯିବା କଳାକାରଙ୍କ ଆର୍ଥିକ ବୋଝ ବଢ଼ାଇଛି । ସେହିପରି ବ୍ୟକ୍ତିଗତ ଜୀବନରେ ଥିବା ଚାପ ଓ ଦୁଃଖକୁ କାହା ସହ ନବାଣ୍ଟିବା ବି ଆତ୍ମହତ୍ୟା ଘଟଣାକୁ ବଢ଼ାଉଥିବା ମାନସିକ ରୋଗ ବିଶେଷଜ୍ଞ କହିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now