Advertisment

୧୦ ସେକେଣ୍ଡ ଏକ ଗୋଡିକିଆ ଠିଆ ହୋଇ ନ ପାରିଲେ ମୃତ୍ୟୁ ଆସନ୍ନ

ଆପଣ ୧୦ ସେକେଣ୍ଡ ଗୋଟିଏ ଗୋଡରେ ଠିଆ ହୋଇ ପାରୁଛନ୍ତି ତ? ଯଦି ନା, ତେବେ ଆପଣଙ୍କ ପ୍ରତି ବିପଦ ରହିଛି। ଅନ୍ୟମାନଙ୍କ ତୁଳନାରେ ଆଗାମୀ ୧୦ ବର୍ଷ ମଧ୍ୟରେ ମୃତ୍ୟୁ ହେବାର ଆଶଙ୍କା ରହିଛି।

author-image
Prasanna Sahoo
ଅଦ୍ୟତନ ହୋଇଛି
If not stand 10 second in one leg then death risk

If not stand 10 second in one leg then death risk

ମଧ୍ୟମ ବୟସ୍କ ବ୍ୟକ୍ତି ଯଦି ୧୦ ସେକେଣ୍ଡ ପାଇଁ ଗୋଟିଏ ଗୋଡରେ ଠିଆ ହେବାକୁ ଅସମର୍ଥ ତେବେ ତାଙ୍କର ମୃତ୍ୟୁ ଆସନ୍ନ। ବ୍ରିଟିଶ ଜର୍ଣ୍ଣାଲ ଅଫ୍ ସ୍ପୋର୍ଷ୍ଟସ ମେଡିସିନ୍‌ରେ ପ୍ରକାଶିତ ଏକ ରିସର୍ଚ୍ଚ ରିପୋର୍ଟରେ ଦିଆଯାଇଛି ଏଭଳି ଚାଞ୍ଚଲ୍ୟକର ତଥ୍ୟ। ଏହି ରିପୋର୍ଟ ଅନୁସାରେ ଗବେଷଣାରେ ଭାଗ ନେଇଥିବା ଭଲ୍ୟୁଣ୍ଟିୟରଙ୍କ ମଧ୍ୟରୁ ଯେଉଁମାନେ ଗୋଟିଏ ଗୋଡ଼ରେ ୧୦ ସେକେଣ୍ଡ ଠିଆ ହେବା ଭଳି ସହଜ ସନ୍ତୁଳନ କ୍ରିୟା କରିବାରେ ବିଫଳ ହୋଇଥିଲେ, ସେମାନଙ୍କର ଅନ୍ୟମାନଙ୍କ ତୁଳନାରେ ଆଗାମୀ ୧୦ ବର୍ଷ ମଧ୍ୟରେ ମୃତ୍ୟୁ ହେବାର ଆଶଙ୍କା ୮୪ ପ୍ରତିଶତ ଅଧିକ।

Advertisment

ବୟସ, ଶାରିରୀକ ଅବସ୍ଥା, ବ୍ୟକ୍ତିଙ୍କ ଠାରେ ଥିବା ସ୍ୱାସ୍ଥ୍ୟ ସମସ୍ୟା ଓ ଫିଟ୍‌ନେସ୍ ଲେବଲ୍‌ ବା ସୁସ୍ଥତା ସ୍ତରକୁ ବିଚାରକୁ ନେଇ ୨୦୦୯ରୁ ବ୍ରାଜିଲ୍‌ରେ ୫୦ ବର୍ଷରୁ ଅଧିକ ବର୍ଗର ୧୭ ଶହ ଭଲ୍ୟୁଣ୍ଟିୟରଙ୍କୁ ନେଇ ଏହି ଗବେଷଣା କରାଯାଇଥିଲା।

ଗବେଷଣାରେ ଅଂଶଗ୍ରହଣକାରୀଙ୍କୁ ଏକ ନିର୍ଦ୍ଦିଷ୍ଟ ଶୈଳୀରେ ଠିଆହେବାକୁ କୁହାଯାଇଥିଲା। ଗୋଟିଏ ଗୋଡରେ ଠିଆ ହେବା ସହ ଅନ୍ୟ ଗୋଡକୁ ପ୍ରଥମ ଗୋଡର ପଛ ଭାଗରେ ଏକ ନିର୍ଦ୍ଦିଷ୍ଟ ଉଚ୍ଚତାରେ ରଖିବାକୁ ପଡିଥିଲା। ଦୁଇ ହାତକୁ ଅଣ୍ଟା କଡ଼ରେ ସିଧା ଝୁଲାଇ ରଖି ସିଧା ଦେଖିବାକୁ କୁହାଯାଇଥିଲା। ପ୍ରତ୍ୟେକଙ୍କୁ ୩ଟି ସୁଯୋଗ ଦିଆଯାଇଥିଲା। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ପ୍ରତି ୫ ଜଣରେ ଜଣେ ଏହି ସରଳ କ୍ରିୟା କରିବାରେ ବିଫଳ ହୋଇଥିଲେ। ଦୁର୍ବଳ ଓ ବୟସାଧିକ ବ୍ୟକ୍ତିଙ୍କଠାରେ ଏହି ଶାରିରୀକ ଅସନ୍ତୁଳନ ବେଶି ଦେଖିବାକୁ ମିଳିଥିଲା।

Advertisment

ଗବେଷକଙ୍କ ଅନୁସାରେ ଏହି ସନ୍ତୁଳନ କ୍ରିୟା ବୟସ୍କଙ୍କ ସ୍ୱାସ୍ଥ୍ୟ ସ୍ଥିତି ନିର୍ଦ୍ଧାରଣ ଲାଗି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପାଇଁ ଏକ ଟୁଲ୍ ହୋଇପାରେ। ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା ରୁଟିନ୍ ସହ ଶାରିରୀକ ସନ୍ତୁଳନକୁ ସାମିଲ କଲେ ଏହା ଶରୀରର ସ୍ଥିତି ନେଇ ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିପାରିବ।

ସୂଚନା ଅନୁସାରେ ଶାରିରୀକ ସନ୍ତୁଳନ ହରାଇ ପଡିଯିବା କାରଣରୁ ଆମେରିକା, ବ୍ରିଟେନ୍, ଅଷ୍ଟ୍ରେଲିଆ ଓ ଫିନ୍‌ଲ୍ୟାଣ୍ଡ୍‌ରେ ପ୍ରତିବର୍ଷ ପ୍ରାୟ ୭ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି। ୧୦ ସେକେଣ୍ଡ ସନ୍ତୁଳନ ଟେଷ୍ଟ୍‌ ଏଭଳି ଲୋକଙ୍କୁ ଚିହ୍ନଟ କରିବାରେ ବିଶେଷ ସହାୟକ ହେବ।

ରିପୋର୍ଟ ଅନୁସାରେ ଯେଉଁମାନେ ସନ୍ତୁଳନ ଟେଷ୍ଟ୍‌ରେ ବିଫଳ ହୋଇଥିଲେ ସେମାନଙ୍କ କ୍ଷେତ୍ରରେ ମୃତ୍ୟୁହାର ୧୭.୫ ପ୍ରତିଶତ। ମାତ୍ର ଯେଉଁମାନେ ଟେଷ୍ଟ୍‌ରେ ସଫଳ ହୋଇଥିଲେ ସେମାନଙ୍କ ମୃତ୍ୟୁହାର ମାତ୍ର ୪.୫ ପ୍ରତିଶତ ବୋଲି ଦର୍ଶାଯାଇଛି। ତେବେ ଶାରିରୀକ ସନ୍ତୁଳନ ଅଭାବ ସହ କେଉଁ ରୋଗ ନିର୍ଦ୍ଦିଷ୍ଟ ଭାବେ ସଂଯୁକ୍ତ ଗବେଷକମାନେ ସେ ସଂପର୍କରେ କୌଣସି ସୁରାକ୍ ପାଇପାରି ନାହାନ୍ତି।

Death Risk Health Research
Advertisment
Advertisment