• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ପିଲାଙ୍କ ଖାଦ୍ୟରେ ପୋକ ସାଲୁ ବାଲୁ। କୁନି କୁନି ପିଲାଙ୍କ ଶାରୀରିକ ବିକାଶ ସହ ଗର୍ଭବତୀଙ୍କ ପାଇଁ ସରକାର ଅଙ୍ଗନବାଡି ଜରିଆରେ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେଉଛନ୍ତି। ହେଲେ ସେହି ଖାଦ୍ୟ ଶିଶୁଙ୍କ ପାଇଁ କେତେ ସୁରକ୍ଷିତ ତାହା ଗୋଟିଏ ଉଦାହରଣରୁ ସ୍ପଷ୍ଟ ହୋଇଛି। କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ହାତିନା ପଞ୍ଚାୟତରେ ଦିଆଯାଇଥିବା ଛତୁଆ ପ୍ୟାକେଟରୁ ପୋକ ବାହାରୁଥିବା ସହ ଖାଦ୍ୟ ଅନୁପଯୋଗୀ ବୋଲି ଅଭିଯୋଗ ହୋଇଛି। 

ସୁଜି ଓ ଛତୁଆ ପ୍ୟାକେଟ୍ ଉପରେ ଲେଖାଯାଇଛି ପ୍ରସ୍ତୁତକାରୀ ସଂସ୍ଥାର ନାଁ- ମା ବୁଢ଼ୀ ମଙ୍ଗଳା। ଏସ୍‌ଏଚଜି ନାଁରେ ପ୍ୟାକିଂ ହୋଇଥିବା ଏହି ଛତୁଆ ପ୍ୟାକେଟ୍ ଭିତରୁ ପୋକ ସାଲୁ ବାଲୁ ଥିବା ଦେଖିବାକୁ ମିଳିଛି। ଏପରିକି ପ୍ୟାକେଟ୍ ଭିତରେ ମଲା ପୋକ ମଧ୍ୟ ବାହାରୁଥିବା ଅଭିଯୋଗ ହୋଇଛି। ରାଜନଗର ବ୍ଲକ ହାତିନା ପଞ୍ଚାୟତରେ ବଣ୍ଟା ଯାଇଥିବା ସୁଜି ଓ ଛତୁଆରେ ପୋକ ବାହାରି ଥିବା ଦେଖିବାକୁ ମିଳିଛି।

ପ୍ୟାକେଟ୍‌ରେ ସ୍ପଷ୍ଟ ଭାବେ ଲେଖାଯାଇଛି, ଖାଦ୍ୟ ତିଆରି ହେବାର ମାସେ ଭିତରେ ଖାଦ୍ୟ ବ୍ୟବହାର ଦରକାର।  କିନ୍ତୁ ଏଠି ଖାଦ୍ୟ ବଣ୍ଟା ହେବା ବେଳକୁ କେତେ ମାସ ବିତି ସାରିଲାଣି ତାହାର ହିସାବ କେବଳ ସେହି ସଂସ୍ଥା ପାଖରେ ହିଁ ଅଛି। ପ୍ୟାକେଟ୍ ଉପରେ ପେନ୍‌ରେ ପ୍ରସ୍ତୁତ ତାରିଖ ଲେଖା ଯାଇଛି। କେଉଁ ପ୍ୟାକେଟ୍‌ରେ ଏପ୍ରିଲ ମାସ ଉଲ୍ଲେଖ ଥିବା ବେଳେ ଆଉ କେଉଁ ପ୍ୟାକେଟ୍‌ରେ ଜୁନ୍ ଲେଖା ଅଛି।

ନିମ୍ନମାନର ଖାଦ୍ୟ ବଣ୍ଟନ ହେଉଥିବାରୁ ଲୋକେ ଗାଈ ଗୋରୁଙ୍କୁ ଖାଦ୍ୟ ଦେଇ ଦେଉଥିବା ଦେଖିବାକୁ ମିଳିଛି। କିଛି ପ୍ୟାକେଟରେ ପୋକ ବାହାରିଥିବା ଘଟଣାକୁ  ସ୍ଥାନୀୟ ସୁପରଭାଇଜର ସ୍ୱୀକାର କରିଛନ୍ତି। ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା ସେ କହିଛନ୍ତି। ଘଟଣାକୁ ନେଇ ଜିଲ୍ଲାପାଳ କହିଛନ୍ତି, ଏନେଇ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 

ଛୋଟ ଛୋଟ ପିଲାମାନେ କିଭଳି ଅପପୃଷ୍ଟିର ଶିକାର ନହେବେ ସେନେଇ ସରକାର ଚିନ୍ତା କରୁଥିବା ବେଳେ କିଛି ଅସାଧୁ କର୍ମଚାରୀ ଓ ବେପରୁଆ ସଂସ୍ଥାଙ୍କ ପାଇଁ ଶିଶୁଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଉଛି।

(ପଟ୍ଟାମୁଣ୍ଡାଇରୁ ପ୍ରବୀର କୁମାର ନାୟକଙ୍କ ରିପୋର୍ଟ)