• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୂଅ ଭିତରେ କଲରା ପତରିଆ । ଉଦ୍ଧାର କରିବାକୁ ଚାଲିଥିଲା ସ୍ୱାତନ୍ତ୍ର ଅପରେସନ । ଏଥିରେ ସାମିଲ ଥିଲେ ସମ୍ବଲପୁର ଜିଲ୍ଲା ଚାରମାଳ ରେଞ୍ଜର ବନ କର୍ମଚାରୀ, ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ଓ ପୋଲିସ୍ । ରାତିରେ ହିନ୍ଦୋଳ ଘାଟି ନିକଟରେ ଥିବା ଏକ ଖୋଲା କୂଅରେ କଲରାପତରିଆ ଛୁଆଟି ପଡ଼ିଯାଇଥିବା ଅନୁମାନ କରାଯାଉଛି । କୂଅରେ ୬-୭ ଫୁଟର ପାଣି ଥିଲା । ତେଣୁ ଏହି ବର୍ଷେ ଦେଢ଼ ବର୍ଷର କଲରା ପତରିଆ ଛୁଆଟି ଯେପରି ବୁଡ଼ି ନ ଯାଏ, ସେଥିପାଇଁ ପ୍ରଥମେ ଦଉଡ଼ି ସାହାଯ୍ୟରେ ଏକ ବଡ଼ କାଠ କୂଅ ଭିତରକୁ ପକାଯାଇଥିଲା ।

ସେହି କାଠରେ ବସି ରହିଥିଲା ବାଘ ଛୁଆ । କୂଅର ଗୋଟିଏ ପଟେ ଜଙ୍ଗଲ, ଆରପଟେ ଗାଁ । କୂଅରୁ ବାହାରିବା ପରେ କଲରା ପତରିଆଟି ଯେମିତି ଗାଁ ଆଡ଼କୁ ନ ଯାଏ ସେଥିପାଇଁ ସେହି ପଟକୁ ବିଛା ଯାଇଥିଲା ଜାଲ । କୂଅ ଆଖପାଖରେ ସ୍ଥାନୀୟ ଲୋକେ ଜମା ହୋଇଥିବାରୁ ଯେମିତି କିଛି ଅଘଟଣ ନ ଘଟେ, ତାହା ବି ଥିଲା ଉଦ୍ଧାରକାରୀ ଟିମ୍ ପାଇଁ ଏକ ଚ୍ୟାଲେଞ୍ଜ । ଏହାପରେ କଲରା ପତରିଆ ଛୁଆଟି ଯେମିତି ଉପରକୁ ନିଜେ ନିଜେ ଆସି ପାରିବ, ସେଥିପାଇଁ ବାଉଁଶର ଏକ ସିଡ଼ି ତିଆରି କରି କୂଅ ଭିତରେ ପକା ଯାଇଥିଲା ।

ଜୀବନ ବିକଳରେ ଥିବା ବାଘ ଛୁଆଟି ସିଡ଼ିକୁ ଦେଖିବା ମାତ୍ରେ ବସିଥିବା କାଠକୁ ଛାଡ଼ି ସିଡ଼ିରେ ଧୀରେ ଧୀରେ ଉପରକୁ ଉଠିଥିଲା । ଆଉ ଉପରକୁ ଆସିବା ମାତ୍ରେ ଜଙ୍ଗଲକୁ ମାରିଥିଲା ଚମ୍ପଟ । ସଫଳ ହୋଇଥିଲା ୪ ଘଣ୍ଟାର ଅପରେସନ । ବାଘଟି ସିଧା ଜଙ୍ଗଲକୁ ପଳାଇଥିବାରୁ କାହାରି କିଛି କ୍ଷତି ହୋଇନାହିଁ । ବନ ବିଭାଗର ସୂଚନା ଅନୁସାରେ କଲରାପତରିଆଟି ସୁସ୍ଥ ଓ ସୁରକ୍ଷିତ ଅଛି ।

ଅନ୍ୟପଟେ ମହାନଦୀରେ ଫସିଛନ୍ତି ଦୁଇଟି ହାତୀ । କଟକ ବାଙ୍କୀ ଅଞ୍ଚଳର ଭଗିପୁରରେ ଫସିଛନ୍ତି ହାତୀ । ଅନୁମାନ କରାଯାଉଛି ଆଠଗଡ଼ ସୁକାଶନ ଜଙ୍ଗଲରୁ ଚନ୍ଦକା ଅଭୟାରଣ୍ୟକୁ ରାତିରେ ଫେରିବା ବେଳେ ସକାଳ ହୋଇଯିବାରୁ ଲୋକଙ୍କ ଚଳପ୍ରଚଳକୁ ଦେଖି ହାତୀ ଦୁଇଟି ମହାନଦୀରୁ ଆଉ ବାହାରକୁ ଆସି ନାହାନ୍ତି । ସକାଳୁ ହାତୀ ଦେଖି କିଛି ଲୋକ ନଈ କୂଳରେ ଜମା ହେବାରୁ ସମସ୍ୟା ଆହୁରି ବଢ଼ିଥିଲା । ବହୁ ସମୟ ପାଣିରେ ଠିଆ ହେବା ପରେ ଦୁଇଟି ଯାକ ହାତୀ କୂଳକୁ ଆସିଥିଲେ । କିନ୍ତୁ ଲୋକଙ୍କ ଗହଳି ଓ ହୋହଲ୍ଲା ପାଇଁ ସେମାନେ ପୁଣି ପାଣି ଭିତରକୁ ପଶି ଯାଇଥିଲେ । ସେଠାରେ ରେଞ୍ଜର୍ ଓ ବନ ବିଭାଗର ୩ଟି ଟିମ୍ ରହି ହାତୀ ଉପରେ ନଜର ରଖିଛନ୍ତି ।

ସେହିଭଳି ଉତ୍ତର ଶିମିଳିପାଳ ଚହଲା ରେଞ୍ଜରେ ବାଘ ଗଣନା ବେଳେ ୨ ଜଣ ବନ ସୁରକ୍ଷାକର୍ମୀ ଭାଲୁ ଆକ୍ରମଣରେ ଆହତ ହୋଇଛନ୍ତି । ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଶିମିଳିପାଳ ଅଭୟାରଣ୍ୟର ୧୬ଟି ରେଞ୍ଜର ୧୭୩ଟି ସ୍ଥାନରେ ବାଘ ଗଣନା କରୁଛନ୍ତି । ୬ ତାରିଖରୁ ଏହା ଆରମ୍ଭ ହୋଇଥିବା ବେଳେ ୧୩ ତାରିଖରେ ସରିବ । ଏଥିରେ ସାମିଲ ହୋଇଛନ୍ତି ଅଛନ୍ତି ୫ ଶହରୁ ଅଧିକ ବନ କର୍ମଚାରୀ ।