• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ବଢିବ ସୁଧ ହାର, ଦେବାକୁ ପଡ଼ିବ ଅଧିକ ଇଏମ୍‌ଆଇ । କାହିଁକି ନା ୫ ସପ୍ତାହ ବ୍ୟବଧାନରେ ପୁଣି ବଢ଼ିଲା ରେପୋ ରେଟ୍‌ । ଆଜି ୫୦ ବେସିସ୍‌ ପଏଣ୍ଟ ବଢାଇଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା ଆରବିଆଇ । ରେପୋ ରେଟ୍‌ ୪.୪୦ ରୁ ବଢି ୪.୯୦ ହୋଇଛି । ଗତ ମେ ୪ରେ ମଧ୍ୟ ରେପୋ ରେଟ୍‌ ୪୦ ବେସିସ୍‌ ପଏଣ୍ଟ ବୃଦ୍ଧି କରିଥିଲା ଆରବିଆଇ ।

ତେବେ ବର୍ତ୍ତମାନ ମୁଣ୍ଡବିନ୍ଧାର କାରଣ ସାଜିଥିବା ମୁଦ୍ରାସ୍ପୀତି ହାର ରହିଛି ୭.୮ ପ୍ରତିଶତ । ଯାହାକି ୨୦୧୪ ପରେ ଏବର୍ଷ ମେ’ ମାସରେ ସବୁଠୁ ଅଧିକ ବୋଲି କୁହାଯାଉଛି । ଋଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ନିଅଣ୍ଟିଆ ସ୍ଥିତି, ଅଶୋଧିତ ତୈଳ ଦର ବୃଦ୍ଧିର ପ୍ରଭାବ ପଡିଛି ଦେଶର ଅର୍ଥନୀତି ଉପରେ । ଏହି କାରଣରୁ ବଢିଚାଲିଥିବା ମୁଦ୍ରାସ୍ପୀତିକୁ ନିୟନ୍ତ୍ରଣକୁ ଆଣିବା ଲାଗି ପୁଣି ଥରେ ରେପୋ ରେଟ୍ ବଢାଇଛି ଆରବିଆଇ ।

ତେବେ ରେପୋ ରେଟ୍‌ ବଢିବା ପରେ ଲୋକଙ୍କ ମୁଣ୍ଡରେ ପଡିଛି ଚଡକ । କାହିଁକି ନା ପୁଣି ସୁଧ ବଢାଇବେ ସବୁ ବ୍ୟାଙ୍କ । ଗୃହ, କାର ଋଣ ସମେତ ବାଣିଜ୍ୟ ଓ ପର୍ସନାଲ ଲୋନ୍‌ର ଇଏମଆଇ ବୃଦ୍ଧି ପାଇବ । ଫଳରେ ଋଣ ବାବଦକୁ ଗ୍ରାହକଙ୍କ ମାସିକ କିସ୍ତି ମଧ୍ୟ ବୃଦ୍ଧି ପାଇବ । ମେ’ ମାସରେ ବୃଦ୍ଧି ହୋଇଥିବା ରେପୋରେଟ୍ ଅନୁସାରେ ଚଳିତ ମାସରୁ ବହୁ ବ୍ୟାଙ୍କ ସୁଧହାର ୦.୫ ପ୍ରତିଶତ ପର୍ଯ୍ୟନ୍ତ ବଢାଇ ସାରିଛନ୍ତି । ତେଣୁ ଏବେ ପୁଣି ସୁଧହାର ଆଉ ୦.୫ ରୁ ୦.୭ ପ୍ରତିଶତ ବଢିପାରେ ।

ବର୍ଦ୍ଧିତ ସୁଧହାର ଲାଗୁ ହେଲେ ଋଣ ଗ୍ରହିତାଙ୍କୁ କେତେ ଅଧିକ ଟଙ୍କା ଦେବବାକୁ ପଡିବ ? ଧରନ୍ତୁ ଜଣେ ବ୍ୟକ୍ତି ୨୦ ବର୍ଷ ପାଇଁ ୨୦ ଲକ୍ଷ ଟଙ୍କା ଋଣ କରିଛନ୍ତି, ତେବେ ନୂଆ ସୁଧ ହାର ଲାଗୁ ହେଲେ ତାଙ୍କ ଇଏମ୍‌ଆଇ ପ୍ରାୟ ୨୦୦ରୁ ୨୫୦ ଟଙ୍କା ବଢିବ ବୋଲି ଆକଳନ କରାଯାଇଛି । ନଚେତ୍ ୨୦ରୁ ୨୪ଟି ଇଏମଆଇ ଅଧିକ ଦେବାକୁ ପଡିବ । ଗତଥର ଏହି ଲକ୍ଷ୍ୟରେ ରେପୋ ରେଟ୍‌ ବଢାଇବା ଦ୍ୱାରା ଦରଦାମ ତ ନିୟନ୍ତ୍ରଣକୁ ଆସିଲା ନାହିଁ ହେଲେ ଏବେ ବୃଦ୍ଧି ପାଇଥିବା ରେପୋରେଟ୍ ଦ୍ୱାରା ଋଣ ଗ୍ରହିତାଙ୍କୁ ଅତିରିକ୍ତ ବୋଝ ପଡିବ । ଏହାଦ୍ୱାରା ରିୟଲ ଇଷ୍ଟେଟ୍ କ୍ଷେତ୍ର ବେଶୀ ପ୍ରଭାବିତ ହେବା ଆଶଙ୍କା କରାଯାଉଛି ।ଫଳରେ ଅଭିବୃଦ୍ଧି ହାର ଉପରେ ପ୍ରତିକୁଳ ପ୍ରଭାବ ପଢିବା ଆଶଙ୍କା ବି ବଢିଛି ।

ମହାମାରୀ ସମୟରେ ୨ଥର ଏକ ପ୍ରତିଶତରୁ ଅଧିକ ରେପୋ ରେଟ୍‌ କମାଇଥିଲା ଆର୍‌ବିଆଇ । ତେବେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ବାହାରକୁ ଯିବା ପରେ ରେପୋ ରେଟ୍ ବଢାଇବାକୁ ବାଧ୍ୟ ହୋଇଛି ରିଜର୍ଭ ବ୍ୟାଙ୍କ । ଯଦି ମୁଦ୍ରାସ୍ଫିତୀରେ ବ୍ରେକ୍ ନଲାଗେ ତେବେ ଆସନ୍ତା ଦିନରେ ରେପୋ ରେଟ୍ ଆଉ ୫୦ ବେସିସ୍ ପଏଣ୍ଟ ବଢିପାରେ ବୋଲି ଆଶଙ୍କା କରାଯାଉଛି ।