/odishatv-khabar/media/post_attachments/uploadimage/library/16_9/16_9_0/Ipl_Jersey_1753805657.jpg)
Ipl Jersey
ଜୁଆ ନିଶା ମଣିଷକୁ କ’ଣ କ’ଣ କରିବାକୁ ବାଧ୍ୟ କରିଥାଏ ? ଜୁଆରେ ମାତିଥିବା ଜଣେ ବ୍ୟକ୍ତି BCCIକୁ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ଘଟାଇଛି । ଅଭିଯୁକ୍ତ ଯୁବକ ମୁମ୍ବାଇରେ BCCIର ମୁଖ୍ୟ କାର୍ଯ୍ୟାଳୟରେ ସୁରକ୍ଷାକର୍ମୀ ଭାବେ କାମ କରୁଛନ୍ତି ।
ଅଭିଯୋଗ ହୋଇଛି ଯେ ସେ ଓ୍ଵାଙ୍ଖେଡ଼େ ଷ୍ଟାଡିୟମର ଷ୍ଟୋରରୁମରୁ ୬ ଲକ୍ଷ ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଜର୍ସି ଚୋରି କରିଥିଲେ ଏବଂ ଭଲ ଦାମରେ ବିକ୍ରି କରିଦେଇଥିଲେ। BCCIର ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।
ରିପୋର୍ଟ ଅନୁଯାୟୀ, BCCI ବିଗତ କିଛି ଦିନ ହେଲା ଓ୍ଵାଙ୍ଖେଡ଼େ ଷ୍ଟାଡିୟମରେ ରଖାଯାଇଥିବା ଷ୍ଟକର ଅଡ଼ିଟ କରୁଥିଲା। ଏହି ସମୟରେ ବୋର୍ଡର ଅଧିକାରୀମାନେ ଜାଣିପାରିଲେ ଯେ IPLର ୨୬୧ଟି ଜର୍ସିର ଏକ ଷ୍ଟକ ଗାୟବ ହୋଇଛି, ଯାହାର ମୂଲ୍ୟ ୬ ଲକ୍ଷ ୫୨ ହଜାର ଟଙ୍କା ଥିଲା। ଅର୍ଥାତ୍, ପ୍ରତ୍ୟେକ ଜର୍ସିର ମୂଲ୍ୟ ପ୍ରାୟ ୨ ହଜାର ୫୦୦ ଟଙ୍କା ଥିଲା।
କୁହାଯାଇଛି ଯେ ଏହି ଜର୍ସିଗୁଡ଼ିକ ବିଭିନ୍ନ IPL ଟିମର ଥିଲା। ତେବେ, ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ ଏହା ଖେଳାଳିମାନଙ୍କ ପାଇଁ ଥିଲା ନା ସାଧାରଣ ଜନତାଙ୍କ ପାଇଁ। ଯେତେବେଳେ ଜର୍ସି ଷ୍ଟକର କୌଣସି ସୂଚନା ମିଳିଲା ନାହିଁ, BCCI ଅଧିକାରୀମାନେ CCTV ଫୁଟେଜ ଯାଞ୍ଚ କଲେ।
ଏଥିରେ ଜଣେ ସୁରକ୍ଷାକର୍ମୀଙ୍କୁ ଏକ ବାକ୍ସ ସହିତ ବାହାରକୁ ଯାଉଥିବା ଦେଖାଗଲା। ଏହାପରେ ବୋର୍ଡ ୧୭ ଜୁଲାଇରେ ମୁମ୍ବାଇର ମରିନ ଡ୍ରାଇଭ ପୋଲିସ ଷ୍ଟେସନରେ ଅଭିଯୋଗ ଦାୟର କଲା। ମାମଲାରେ କାର୍ଯ୍ୟାନୁଷ୍ଠାନ ନେଇ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।
ତାଙ୍କର ପରିଚୟ ଫାରୁକ ଅସଲମ ଖାନ (୪୦) ଭାବେ ହୋଇଛି। ଫାରୁକ ପୋଲିସକୁ କହିଛନ୍ତି ଯେ ଜର୍ସି ଚୋରି କରିବା ପରେ ସେ ଏହାକୁ ହରିୟାଣାର ଜଣେ ଅନଲାଇନ ଜର୍ସି ଡିଲରଙ୍କୁ ବିକ୍ରି କରିଥିଲେ। ଷ୍ଟକକୁ କୋରିଅର ମାଧ୍ୟମରେ ଡିଲରଙ୍କ ପାଖକୁ ପଠାଯାଇଥିଲା।
ଅଭିଯୁକ୍ତ କହିଛନ୍ତି ଯେ ସେ ଏହି ଜର୍ସିଗୁଡ଼ିକୁ ‘ଷ୍ଟକ କ୍ଲିୟରାନ୍ସ ସେଲ’ର ଅଂଶ ବୋଲି କହି ଡିଲରଙ୍କୁ ବିକ୍ରି କରିଥିଲେ ଏବଂ ପେମେଣ୍ଟ ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରାଇଥିଲେ।
ପୋଲିସର କହିବା ଅନୁଯାୟୀ, ଅଭିଯୁକ୍ତ ଜର୍ସିଗୁଡ଼ିକୁ ଅନଲାଇନ ଡିଲରଙ୍କୁ ବିକ୍ରି କରିବା ପୂର୍ବରୁ କିଛି ମୂଲଚାଲ କରିଥିଲେ। କିନ୍ତୁ ସେ କେତେ ଟଙ୍କା ଆୟ କରିଥିଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅଭିଯୁକ୍ତଙ୍କୁ ଯେଉଁ ଟଙ୍କା ମିଳିଥିଲା, ସେ ତାହା ଜୁଆରେ ଲଗାଇ ଦେଇଥିଲେ। ପୋଲିସ ଏପର୍ଯ୍ୟନ୍ତ ମାତ୍ର ୫୦ଟି ଜର୍ସି ହିଁ ଉଦ୍ଧାର କରିପାରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)