• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆ ଲୁକରେ ସଜେଇ ହୋଇଛି ବାରବାଟୀ । ହର୍ସ ଗେଟ୍ ଠାରୁ ଆରମ୍ଭ କରି ଖେଳାଳିଙ୍କ ଡ୍ରେସିଂ ରୁମ, ପିଚ୍‌ ଠାରୁ ପାଭିଲିୟନ୍, ଷ୍ଟାଡିୟମର ଏଣ୍ଟ୍ରି ଗେଟ୍ ଠାରୁ କ୍ଲକ୍ ଟାୱାର ଯାଏଁ । ପୁରା ରଙ୍ଗୀନ କରାଯାଇଛି । ୯ ଓ ୧୦ ତାରିଖ ଦୁଇ ଦିନ ଧରି କାଉଣ୍ଟରରେ ଦର୍ଶକଙ୍କ ଲାଗି ଟିକେଟ୍ ବିକ୍ରି ହେବ । ଏଥିପାଇଁ ମୋଟ ୯ଟି କାଉଣ୍ଟର କରାଯାଇଛି ।

ପୁରୁଷ ଦର୍ଶକଙ୍କ ଲାଗି ୭ଟି ରହିଥିବା ବେଳେ ମହିଳାଙ୍କ ଲାଗି ୨ଟି ସ୍ୱତନ୍ତ୍ର କାଉଁଣ୍ଟର ରହିଛି । ଜଣକୁ ଦୁଇଟି ଲେଖାଏଁ ଟିକେଟ୍ ଦିଆଯିବ । ପୂର୍ବରୁ ଅନ୍ ଲାଇନରେ ୫ ହଜାର ଟିକେଟ୍ ବିକ୍ରି ସରିଥିବା ବେଳେ ଓସିଏ ଅନୁବନ୍ଧିତ କ୍ଲବ, ସ୍କୁଲ, ଆସୋସିଏସନ ପାଇଁ ୮ହଜାର ଟିକେଟ୍ ବିକ୍ରି ହୋଇଥିଲା । ଆଉ ମାତ୍ର ୧୨ ହଜାର ଟିକେଟ୍ କାଉଣ୍ଟରରେ ବିକ୍ରି କରାଯିବ । ଟିକେଟ୍ କିଣିଲା ବେଳେ ଦର୍ଶକ ଯେକୌଣସି ପରିଚୟ ପତ୍ର ଦେଖାଇ କିଣିପାରିବେ । ଟିକେଟ୍ ବିକ୍ରି ପାଇଁ କାଉଣ୍ଟର ଆଗରେ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୧୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି କହିଛନ୍ତି କଟକ ଡିସିପି ।

ଏପଟେ ହୋଟେଲ ମେ’ ଫେୟାରରେ ପ୍ଲେୟାରଙ୍କୁ ଉଚିତ୍ ଆତିଥ୍ୟ ପ୍ରଦାନ ପାଇଁ ସବୁପ୍ରକାର ବନ୍ଦୋବସ୍ତ କରାଯାଇଛି । ହୋଟେଲର ସମସ୍ତ ରୁମ୍‌ ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ ବୁକିଂ ହୋଇଛି । ଉଭୟ ଦେଶର ଖେଳାଳି ଓ ସପୋର୍ଟିଂ ଷ୍ଟାଫ୍‌ ମାନଙ୍କ ଲାଗି ଲୋ କ୍ୟାଲୋରୀ ଡାଏଟ ଆଣ୍ଡ ଏନର୍ଜି ଫୁଡ୍‌ ପ୍ରସୁତ କରିବାକୁ ବିସିସିଆଇ ପକ୍ଷରୁ ଚିଠି ଆସିଛି । ୨୦୧୫ ପରେ ଅର୍ଥାତ ୭ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ପ୍ରୋଟିଜ୍ ବା ଦକ୍ଷିଣ ଆଫ୍ରିକା ଦଳ ଓଡ଼ିଶା ଆସୁଛି ।

ସେହିପରି ଟିମ୍ ଇଣ୍ଡିଆ ପ୍ରାୟ, ପ୍ରତି ଦୁଇ ବର୍ଷରେ ଥରେ ଓଡ଼ିଶା ଆସୁଛି । ହୋଟେଲର ସମସ୍ତ କର୍ମଚାରୀ କୋଭିଡ ଗାଇଡ୍‌ ଲାଇନକୁ ମାନି ସେବା ପ୍ରଦାନ କରିବେ । ଡବଲ ଡୋଜ୍ ନେଇଥିବା କର୍ମଚାରୀଙ୍କୁ ହିଁ ପ୍ଲେୟାରଙ୍କ ସେବା କାର୍ଯ୍ୟରେ ଲଗାଯିବ । ୪୮ ଘଣ୍ଟା ପୂର୍ବରୁ ସେମାନଙ୍କ କୋଭିଡ ଟେଷ୍ଟ୍ କରାଯିବ ।  ସମସ୍ତେ ମାସ୍କ ପିନ୍ଧି ସେବା ପ୍ରଦାନ କରିବେ ବୋଲି ହୋଟେଲ୍ ତରଫରୁ କୁହାଯାଇଛି ।

ହୋଟେଲର ସୁରକ୍ଷା ସାଙ୍ଗକୁ ଟ୍ରାଫିକ ସମସ୍ୟା ଯେଭଳି ନହେବ ସେଥିପ୍ରତି ଗୁରୁତ୍ୱ ଦେଉଛି କମିଶନରେଟ ପୋଲିସ । ୯ ତାରିଖରେ ବିମାନ ବନ୍ଦରଠାରୁ ଆରମ୍ଭ କରି ହୋଟେଲ ପର୍ଯ୍ୟନ୍ତ ଏବଂ ହୋଟେଲ ଠାରୁ ଆରମ୍ଭ କରି ବାରବାଟୀ ଷ୍ଟାଡିୟମ ପର୍ଯ୍ୟନ୍ତ ପୋଲିସର କାରକେଡ୍‌ ରିହରସେଲ୍ ହେବ । ଏନେଇ ଆଜି ଡିସିପି ଅଫିସରେ ହୋଟେଲ କର୍ତ୍ତୁପକ୍ଷ, ସିଆଇଏସ୍‌ଏଫ, ଏନ.ଏଚ.ଏ.ଆଇ, ଟ୍ରାଫିକ ଡିସିପିଙ୍କ ସମେତ ବିଭିନ୍ନ ଥାନାର ଅଫିସର ମାନଙ୍କ ସହ ଏକ ବୈଠକ ବସିଥିଲା ।

ଏହା ପୂର୍ବରୁ ୨୦୧୫ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ କଟକ ବାରବାଟୀ ଷ୍ଟାଡିୟମରେ ପ୍ରଥମ ଥର ପାଇଁ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ଭାରତ ୬ ୱିକେଟ୍‌ରେ ପରାସ୍ତ ହୋଇଥିଲା ।