• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚିକିତ୍ସା ବିଜ୍ଞାନରେ ଚମତ୍କାର । ଔଷଧରେ ଉଭାନ୍ ମାରାତ୍ମକ କ୍ୟାନସର । ଅବିଶ୍ୱସନୀୟ ଖବର ଆସିଛି ନ୍ୟୁୟର୍କରୁ । ନ୍ୟୁୟର୍କ ଟାଇମ୍‌ସରେ ପ୍ରକାଶିତ ରିପୋର୍ଟ  ଅନୁସାରେ-ନ୍ୟୁୟର୍କସ୍ଥିତ ସ୍ଲୋଆନ୍ କେଟେରିଂ କ୍ୟାନସର ସେଣ୍ଟରରେ ୧୮ ଜଣ ରୋଲ କ୍ୟାନସର ବା ମଳଦ୍ୱାର କର୍କଟ ଆକ୍ରାନ୍ତ ରୋଗୀଙ୍କୁ ପରୀକ୍ଷାମୂଳକ ଭାବେ ନିଆ ଯାଇଥିଲା । ୬ ମାସ ଧରି ସେମାନଙ୍କୁ ଡୋଷ୍ଟାରଲିମ୍ୟାବ୍ ନାମକ ଏକ ପ୍ରକାର ଔଷଧ ଦିଆଯାଇଥିଲା । ଲ୍ୟାବରେ ସ୍ୱତନ୍ତ୍ର ପ୍ରକାର ଅଣୁରେ ପ୍ରସ୍ତୁତ ଏହି ଔଷଧ ଖାଇବା ପରେ ସମସ୍ତ ୧୮ ଜଣ ରୋଗୀଙ୍କର ମଳଦ୍ୱାରରୁ ଟ୍ୟୁମର ଗାଏବ ହୋଇଯାଇଛି ।

ରୋଗୀଙ୍କ ଶାରିରୀକ ପରୀକ୍ଷଣ, ଏଣ୍ଡୋସ୍କୋପି, ଏଢ଼ୋଆରଆଇ ଏବଂ ପିଇଟି ସ୍କାନ ପରେ ମଧ୍ୟ କ୍ୟାନସରର ଟିକିଏ ବି ଲକ୍ଷଣ କି ଭୂତାଣୁ ଆଉ ଦେଖିବାକୁ ମିଳିନାହିଁ । ସ୍ଲୋଆନ କେଟେରିଂ କ୍ୟାନସର ଇନଷ୍ଟିଚ୍ୟୁଟର ଡାକ୍ତର ଲୁଇଜ୍ ଏ ଡିଆଜ ଏହି ଚମତ୍କାରିତା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏଭଳି ଚିକିତ୍ସା କ୍ୟାନସର ଇତିହାସରେ ପ୍ରଥମ ।

ତେବେ ଏ ଔଷଧ ସମସ୍ତ କ୍ୟାନସର ରୋଗୀଙ୍କ ପାଇଁ ଫଳପ୍ରଦ କି ନାହିଁ ସେନେଇ ଅଧିକ ପରୀକ୍ଷା ନିରୀକ୍ଷା କରିବାର ଆବଶ୍ୟକତା ରହିଛି । ଯାହାକୁ ବରିଷ୍ଠ କର୍କଟ ରୋଗ ଚିକିତ୍ସକମାନେ ବି ସମର୍ଥନ କରିଛନ୍ତି । ସେମାନଙ୍କ ମତରେ ଏବେ ଯେଉଁ ଟାର୍ଗେଟେଡ୍‌ କେମୋ ଥେରାପି, ଇଫେକ୍ଟିଭ୍‌ କେମୋ ଥେରାପି ଓ୍ୱିଥ୍ ଇମିନ୍ୟୁ ଥେରାପି ମିଶାଇ କରି ଦିଆଯାଉଛି । ଯାହାକି ଅତ୍ୟାଧୁନିକ ମଳଦ୍ୱାର କ୍ୟାନସରକୁ ଭଲ କାମ ଦେଉଛି । ତେବେ ଭାରତ ଏବଂ ଓଡ଼ିଶାର ଲୋକଙ୍କ ପାଇଁ ସେ ସଂଜିବନୀ କେତେ ଫଳପ୍ରଦ ତା ଉପରେ ଅଧିକ ଗବେଷଣା ଜରୁରୀ ।

ସମସ୍ତେ ଜାଣନ୍ତି କ୍ୟାନସର ଏକ ଦୁସାଧ୍ୟ ରୋଗ । ରୋଗୀ ଏଥିରୁ ମୁକୁଳିବା ବହୁତ କମ୍ । ଏହାର ନିରାକରଣ ପାଇଁ ଏବେ ମୁଖ୍ୟତଃ ଇମ୍ୟୁନୋ ଥେରାପି ଓ କେମୋ ଥେରାପି ଭଳି ଦୁଇ ପ୍ରକାର ପଦ୍ଧତି ଅନୁସରଣ କରାଯାଉଛି । ତେବେ କର୍କଟ ରୋଗ ଚିକିତ୍ସକଙ୍କ ମତରେ ନ୍ୟୁୟର୍କରେ ଯେଉଁ ଟ୍ରିଟ୍‌ମେଣ୍ଟ ହୋଇଛି, ତାହା ଇମ୍ୟୁନୋ ଥେରାପି ଶ୍ରେଣୀର । ଆମ ଦେଶରେ ମଧ୍ୟ ଅନେକ ପ୍ରକାର କ୍ୟାନସର ରୋଗ ପାଇଁ ଇମ୍ୟୁନୋ ଥେରାପି ବ୍ୟବହାର ହେଉଛି । ଯେମିତିକି ଲଙ୍ଗ କ୍ୟାନସର, ବ୍ରେଷ୍ଟ କ୍ୟାନସର, କୋଲୋନ କ୍ୟାନସର ଓ ସ୍କିନ କ୍ୟାନସର ।

ତେବେ ମଳଦ୍ୱାର କ୍ୟାନସର ଭଲ କରିଥିବା ଡୋଷ୍ଟାରଲିମ୍ୟାବ୍ ମେଡିସିନ୍‌ର ଆଦୌ ସାଇଟ୍ ଇଫେକ୍ଟ ନାହିଁ ବୋଲି ଦାବି କରାଯାଇଛି । ଏହା ପରେ ଏହା ଏକ ଭଲ ଖବର ଓ ଏହାକୁ ଅଧିକରୁ ଅଧିକ ରୋଗୀଙ୍କ ଉପରେ ପ୍ରୟୋଗ କରାଯିବା ଦରକାର ବୋଲି କହିଛନ୍ତି ଡାକ୍ତର । ଯେହେତୁ ଏ ପ୍ରକାର ଔଷଧ ଅତ୍ୟଧିକ ବ୍ୟୟବହୁଳ, ତେଣୁ ଶୀଘ୍ର ଭାରତ ସରକାର ଏହା ଉପରେ ଅନୁଧ୍ୟାନ କରି ଶସ୍ତାରେ ଏ ପ୍ରକାର ମେଡିସିନ୍ ଉପଲବ୍ଧ କରାଇଲେ ବହୁ ଜୀବନ ରକ୍ଷା ହୋଇପାରନ୍ତା ବୋଲି କହିଛନ୍ତି କର୍କଟ ରୋଗୀଙ୍କ ସଂପର୍କୀୟ ।

କେବଳ ଭାରତ ନୁହେଁ ସାରା ବିଶ୍ୱ ପାଇଁ ଦୀର୍ଘ ବର୍ଷ ଧରି ବୃହତ୍ତ ଦୁସାଧ୍ୟ ରୋଗ ଭାବେ ଗଣାଯାଉଛି କ୍ୟାନସର । ଏମିତିକି ଫଳପ୍ରଦ ଚିକିତ୍ସା ନଥିବାରୁ ବର୍ଷକୁ ଏଥିରେ କୋଟିଏରୁ ଅଧିକ ଲୋକଙ୍କ ଜୀବନ ବି ଯାଉଛି । ତେବେ ଏଭଳି ଏକ ସମୟରେ ନ୍ୟୁୟର୍କରେ କର୍କଟ ରୋଗ ଭଲ ହେଉଥିବା ଖବର, ଯେମିତି ଚିକିତ୍ସା ବିଜ୍ଞାନ ପାଇଁ ଆଣିଛି ଏକ ନୂଆ ସଂଜବନୀ ।