• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଉତ୍ତମ ସ୍ୱାସ୍ଥ୍ୟସେବା, ଗର୍ଭାବସ୍ଥା ଓ ଶିଶୁ ଜନ୍ମ ପରେ ଉତ୍ତମ ପୋଷଣ କାରଣରୁ ଦେଶରେ ବଢୁଛି ହାରାହାରି ଆୟୁସୀମା । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସାମ୍ପଲ ରେଜିଷ୍ଟ୍ରେସନ୍ ସିଷ୍ଟମ-SRS ୨୦୧୫-୧୯ ତଥ୍ୟ ଅନୁସାରେ ଦେଶର ହାରାହାରି ଆୟୁ ସୀମା ୬୯.୭ ବର୍ଷ ରହିଛି । ଓଡ଼ିଶାରେ ଏହା ଜାତୀୟ ହାରାହାରି ସହ ପ୍ରାୟତଃ ସମାନ ୬୯.୮ ବର୍ଷ । ରାଜ୍ୟରେ ପୁରୁଷ ହାରାହାରି ଆୟୁ ସୀମା ୬୮.୫ ବର୍ଷ ହୋଇଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ଏହା ୭୧.୧ ବର୍ଷ ରହିଛି ।

ତେବେ ସର୍ଭେ ହୋଇଥିବା ୨୨ ରାଜ୍ୟ ତାଲିକାରେ ଓଡ଼ିଶାର ସ୍ଥାନ ପଞ୍ଚଦଶ । ଦିଲ୍ଲୀବାସୀଙ୍କ ହାରାହାରି ଜୀବନ କାଳ ୭୫.୯ ବର୍ଷ ହୋଇଥିବା ବେଳେ କେରଳ, ଜମ୍ମୁ-କାଶ୍ମୀର ଓ ହିମାଚଳପ୍ରଦେଶରେ ଏହା ୭୩ ବର୍ଷରୁ ଅଧିକ । ସେହିପରି ଆୟୁସୀମା କ୍ଷେତ୍ରରେ ପଞ୍ଜାବ, ମହାରାଷ୍ଟ୍ର, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ, ଆନ୍ଧ୍ର ଓ ଗୁଜରାଟ ସମେତ ୧୪ଟି ରାଜ୍ୟ ଓଡ଼ିଶା ଉପରେ ରହିଛନ୍ତି ।

ତେବେ ମହିଳା ଓ ଶିଶୁଙ୍କ ଲାଗି ତମାମ ଯୋଜନା ସତ୍ତ୍ୱେ ଓଡ଼ିଶାରେ ଲାଇଫ୍ ଏକ୍ସପାନ୍‌ନ୍ସିରେ କାହିଁକି ସୁଧାର ଆସୁନି ? ତାକୁ ନେଇ ଉଠିଛି ପ୍ରଶ୍ନ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ରାଜ୍ୟରେ ଅପପୁଷ୍ଟି, ରକ୍ତହୀନତା ସମସ୍ୟା ଏବେବି ଉତ୍କଟ ରହିଛି । ଯାହାକି ଦୀର୍ଘାୟୁ ହେବା ରାସ୍ତାରେ ମୁଖ୍ୟ ପ୍ରତିବନ୍ଧକ ଉନ୍ନତ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଅଭାବ ଓ ଦାରିଦ୍ର୍ୟ ଅନ୍ୟ ପ୍ରମୁଖ କାରଣ ବୋଲି କୁହାଯାଇଛି ।

ଗତ ୪୫ ବର୍ଷ ମଧ୍ୟରେ ଓଡ଼ିଶାରେ ଲୋକଙ୍କ ହାରାହାରି ଆୟୁଷ ୨୪ ବର୍ଷ ବଢ଼ିଛି । ୧୯୭୦-୭୫ରେ ରାଜ୍ୟରେ ହାରାହାରି ଆୟୁସୀମା ଥିଲା ୪୫.୭ ବର୍ଷ । ଏହାସତ୍ତ୍ୱେ ବି ତଥ୍ୟ ସନ୍ତୋଷଜନକ ନୁହେଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମାଜିକ କର୍ମୀ । ସେମାନଙ୍କ ମତରେ, ଓଡ଼ିଶାରେ ଲୋକଙ୍କ ହାରାହାରି ଜୀବନ କାଳ ଜାତୀୟସ୍ତରରେ ଥିବାରୁ ଭଲ ଲାଗୁଛି । ମାତ୍ର ବାସ୍ତବ ଚିତ୍ର ଅତି ଭୟଙ୍କର । କାରଣ ଜିଲ୍ଲାୱାରି ତଥ୍ୟ ଦେଖିଲେ ଆଦିବାସୀ ବହୁଳ ଓ ପଛୁଆ ଜିଲ୍ଲାର ସ୍ଥିତି ବିବ୍ରତ କରିବ । କୁପୋଷଣ ଓ ରକ୍ତହୀନତା ଜନିତ ମାତୃ ଓ ଶିଶୁ ମୃତ୍ୟୁହାର ଏସବୁ ଜିଲ୍ଲାରେ ଉଦ୍‌ବେଗଜନକ ସ୍ଥିତିରେ ରହିଛି ।

ଦେଶରେ ହାରାହାରି ଜୀବନ କାଳ ୬୯.୭ ବର୍ଷ ରହିଥିବା ବେଳେ ବିଶ୍ୱର ହାରାହାରି ଜୀବନକାଳ ରହିଛି ୭୨.୬ ବର୍ଷ । ଭାରତକୁ ବିଶ୍ୱସ୍ତରରେ ପହଞ୍ଚିବାକୁ ହେଲେ ସ୍ୱାସ୍ଥ୍ୟ ଭିତ୍ତିଭୂମି, କୁପୋଷଣ ସାଙ୍ଗକୁ ମାତୃ ଓ ଶିଶୁ ମୃତ୍ୟୁହାର ରୋକିବା ଲାଗି ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବାକୁ ପଡିବ ।