• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣମୀ । ରତ୍ନବେଦୀରୁ ସ୍ନାନବେଦୀକୁ ଓହ୍ଲାଇ ଆସିବେ ମହାବାହୁ । ଏଣେ ଦୁଇବର୍ଷ ପରେ ପୁଣି ଚର୍ମଚକ୍ଷୁରେ ଦିବ୍ୟସ୍ନାନ ଲୀଳା ଦର୍ଶନ ପାଇଁ ଭକ୍ତ ମନ ଉଛନ୍ନ । ସେପଟେ ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ନୀତିକାନ୍ତି ବି ଆଗେଇ ଚାଲିଛି । ଗତକାଲି ଦଇତା ପ୍ରବେଶ ପରେ ରାତିରେ ରତ୍ନସିଂହାସନକୁ ଚାରମାଳ ବନ୍ଧା ହୋଇଥିଲା । ଏହା ପରେ ଆଜି ସକାଳୁ ଆରମ୍ଭ ହୋଇଥିଲା ଶ୍ରୀଅଙ୍ଗ ସୁରକ୍ଷା ନୀତି ବା ସେନାପଟା ଲାଗି । ମଧ୍ୟାହ୍ନ ସୁଦ୍ଧା ଏହା ସମ୍ପନ୍ନ ହୋଇଛି ।

ତେଣେ ଆସନ୍ତାକାଲି, ସ୍ନାନ ନୀତି ନିର୍ଘଣ୍ଟ ଅନୁସାରେ ଭୋର ସାଢ଼େ ୩ଟାରେ ମଙ୍ଗଳାର୍ପଣ ପରେ ୪ଟାରୁ ଆରମ୍ଭ ହେବ ପହଣ୍ଡି । ସକାଳ ୬ଟା ସୁଦ୍ଧା ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ମଣ୍ଡପରେ ବିରାଜମାନ କରିବେ । ସକାଳ ସାଢ଼େ ୯ଟାରୁ ସାଢ଼େ ୧୧ଟା ଭିତରେ ଜଳବିଜେ, ମଧ୍ୟାହ୍ନ ୧୨ଟା ୧୫ରୁ ୧୨ଟା ୪୫ ଭିତରେ ଛେରାପହଁରା, ୧୨ଟା ୪୫ରୁ ୨ଟା ୩୦ ମଧ୍ୟରେ ହାତୀବେଶ କରାଯିବ । ସନ୍ଧ୍ୟା ୬ଟାରୁ ରାତି ୯ଟା ୩୦ ପର୍ଯ୍ୟନ୍ତ ଚାଲିବ ସାହାଣ ମେଲା ଦର୍ଶନ । ଭକ୍ତମାନେ ବ୍ୟାରିକେଡ୍‌ରେ ଯାଇ ସ୍ନାନମଣ୍ଡପ ପାଖରେ ଶ୍ରୀଜୀଉଙ୍କ ହାତିବେଶ ଦର୍ଶନ କରିପାରିବେ । ରାତି ୧୦ଟାରୁ ରାତି ଗୋଟାଏ ଭିତରେ ବାହୁଡ଼ା ପହଣ୍ଡି ପାଇଁ ସ୍ଥିର ହୋଇଛି ।

ସେପଟେ କୋଭିଡ୍ କୋପ କମିଥିବାରୁ ଦୁଇବର୍ଷ ପରେ ଏବର୍ଷ ପୁରୀରେ ହେବାକୁ ଯାଉଛି ଭକ୍ତ ବହୁଳ ସ୍ନାନ ଯାତ୍ରା । ସେଥିପାଇଁ ଟ୍ରାଫିକ୍ ନିୟନ୍ତ୍ରଣ, ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଛି ପୁରୀ ପୋଲିସ୍ । ସ୍ନାନଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ୫୨ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ । ଯେଉଁଥିରେ ୩ଜଣ କମାଣ୍ଡାଣ୍ଟ, ୧୧ଜଣ ଅତିରିକ୍ତ ଏସ୍‌ପି, ୫୦ରୁ ଅଧିକ ଇନ୍ସପେକ୍ଟର, ୧ ହଜାର କନଷ୍ଟେବଳ ନିୟୋଜିତ ହେବେ । ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶ ଆଇନ୍ ଶୃଙ୍ଖଳାଙ୍କ ଅଧ୍ୟକ୍ଷତାରେ ଏନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ପୁରୀ ଟାଉନହଲ୍‌ରେ ବସିଥିଲା । ପୁରୀ ସହରକୁ ଆସନ୍ତାକାଲି ୫ ସ୍ତରୀୟ ସୁରକ୍ଷା ବଳୟ ଭିତରେ ରଖାଯିବାକୁ ନିଷ୍ପତ୍ତି ହୋଇଛି ।

ଏସବୁ ଭିତରେ ଶ୍ରୀମନ୍ଦିରରେ ଆଜି ଦେଖିବାକୁ ମିଳିଥିଲା ଏକ ବ୍ୟତିକ୍ରମ । ସ୍ନାନଯାତ୍ରା ପାଇଁ ଶ୍ରୀଜିଉଙ୍କ ଗୁପ୍ତନୀତି ଗର୍ଭଗୃହରେ ଚାଲୁଥିଲେ ବି ଭକ୍ତଙ୍କ ପାଇଁ ଆଜି ୪ ଦ୍ୱାର ବନ୍ଦ ରହିଥିଲା । ଫଳରେ ହଜାର ହଜାର ଭକ୍ତ ପତିତପାବନଙ୍କ ଦର୍ଶନରୁ ବଞ୍ଚିତ ହେବା ସହ ମନ୍ଦିର ବେଢ଼ାକୁ ପ୍ରବେଶ କରିନପାରି ବାହାରେ ଖରା ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇ ପଡିଥିଲେ । ତେବେ ଗର୍ଭଗୃହ ବନ୍ଦ ବେଳେ ଅନ୍ୟ ଦେବଦେବୀଙ୍କୁ ଦର୍ଶନରେ କୌଣସି ଅସୁବିଧା ନାହିଁ ବୋଲି ଭକ୍ତ ଓ ସେବକ ସମସ୍ତେ କହୁଥିବାବେଳେ ଏନେଇ ଗଣମାଧ୍ୟମରେ ଘନ ଘନ ଖବର ପ୍ରସାରଣ ପରେ ହଠାତ୍ ସିଂହଦ୍ୱାର ଖୋଲାଯାଇଥିଲା ।