• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୮୦ ଫୁଟ୍‌ର ଗଭୀର ଗାତରୁ କେତେବେଳେ ବାହାରିବ ୧୦ ବର୍ଷର ଛୁଆ ରାହୁଲ ସାହୁ ? ବାସ୍ତବରେ ବୋରୱେଲ ଗାତ ଭିତରେ କେମିତି ଅବସ୍ଥାରେ ଅଛି ମାନସିକ ଅନଗ୍ରସର ଶିଶୁ ରାହୁଲ ? କେବେ ସରିବ ଅପରେସନ ରାହୁଲ ? ଶୁକ୍ରବାରରୁ ସୋମବାର ହୋଇଗଲା, ଲାଗିରହିଛି ସସ୍‌ପେନ୍ସ । ୭୨ ଘଣ୍ଟା ବିତିଗଲା, ଅପରେସନ ରାହୁଲକୁ ନେଇ ଯେତିକି ଆଶା ଦେଖାଦେଇଛି, ସେତିକି ଆଶଙ୍କା ବି ଲାଗିରହିଛି ।

ଆଜିକୁ ୩ ଦିନ ବିତିଗଲା, ଜାରି ରହିଥିବା ଅପରେସନ୍ ସରିବାର ନାଁ ଧରୁନି । ଇତିମଧ୍ୟରେ ସମାନ୍ତରାଳ ଭାବେ ପ୍ରାୟ ୮୦ ଫୁଟ ତଳକୁ ଗାତ ଖୋଳାସରିଛି । ଏବେ ଚାଲିଛି ସୁଡ଼ଙ୍ଗ ଖୋଳା । ରାୟପୁରରୁ ଆସିଥିବା ହେଭି ମେସିନାରୀ ସହ ରକ୍ ବ୍ରେକର ସହାୟତାରେ ଖୋଳାଯାଉଛି ସୁଡ଼ଙ୍ଗ । ଷ୍ଟୋନ ବ୍ରେକର ସହାୟତାରେ ପଥରକୁ ଭେଦି ଚାଲିଛନ୍ତି ଏନ୍‌ଡିଆରଏଫ୍ ଏବଂ ଏସ୍‌ଡିଆରଏଫ୍ ଯବାନ । ପ୍ରାୟ ୫ଫୁଟ ଲମ୍ବର ସୁଡ଼ଙ୍ଗ ଖୋଳିବା ପରେ ସେହି ବାଟ ଦେଇ ରାହୁଲ ନିକଟରେ ପଞ୍ଚିବେ ଯବାନ । ଆଉ ଉଦ୍ଧାର କରିବେ ରାହୁଲକୁ । କିନ୍ତୁ ଅପରେସନରେ ପ୍ରତିବନ୍ଧକ ସାଜୁଛି ପଥର ଖଣ୍ଡ । ତେଣୁ ଟନେଲ୍ ତଥା ସୁଡ଼ଙ୍ଗ ଖୋଳାରେ ବିଳମ୍ବ ହେଉଛି । ଏପରିକି କାଳେ ମାଟି ଧସିବ, ତେଣୁ ଅତି ସତର୍କତାର ସହ ଟନେଲ୍ ଖୋଳାଯାଉଛି ।

ଗୋଟିଏ ପଟେ ଖନନ, ଅନ୍ୟପଟେ ରାହୁଲର ଜୀବନ । ସବୁଠୁ ବଡ଼ ଚାଲେଞ୍ଜ ହେଉଛି ଗାତ ଭିତରେ ଥିବା ରାହୁଲକୁ ଧୈର୍ଯ୍ୟ ଆଉ ସାହସ ଯୋଗାଇବା । ତେଣୁ ରାହୁଲକୁ ମଝିରେ ମଝିରେ ଡାକ ପକାଉଛନ୍ତି ଉଦ୍ଧାରକାରୀ ଟିମ୍‌ର ସଦସ୍ୟ । ନିୟମିତ ବ୍ୟବଧାନରେ ତାପାଖକୁ ଖାଦ୍ୟ ପଦାର୍ଥ ଯଥା କଦଳୀ, ସେଓ ସହ ଓଆର୍‌ଏସ୍‌ ପଠାଯାଉଛି । କେବଳ ଖାଦ୍ୟ ନୁହେଁ, ପାଇପ୍ ଜରିଆରେ ଅମ୍ଲଯାନ ପଠାଯାଉଛି । ତାସହ ୨୪ ଘଣ୍ଟା ସିସିଟିଭି ଜରିଆରେ ମନିଟରିଂ କରାଯାଉଛି ।

ତେବେ ଉଦବେଗଜନକ କଥା ହେଉଛି, ବୋରୱେଲ ଗାତ ଭିତରେ ରହିବାର ୭୨ ଘଣ୍ଟା ବିତିଯାଇଥିବାରୁ ରାହୁଲର ବେକରୁ ପାଦ ଯାଏଁ ଶେତା ପଡ଼ିଗଲାଣି । ବଳ ବି ଆଉ ନାହିିଁ । ତେଣୁ ତାକୁ ବାଓଟିକ୍ ବି ଦିଆଯାଉଛି । ଆଜି ସକାଳେ ଯାହା ୨ଟି କଦଳୀ ଖାଇଥିବା ରାହୁଲ ଗତ ୧୦ ଘଣ୍ଟାରୁ ଅଧିକ ସମୟ ହେଲାଣି କୌଣସି ଖାଦ୍ୟ ଆଉ ଛୁଉଁନଥିବା କୁହାଯାଉଛି । ପୂର୍ବରୁ ଯାହା କିଛି ବି ହଲ୍‌ଚଲ୍ ହେଉଥିଲା ତାହା ବି ଧିରେ ଧିରେ କମି ଆସିଲାଣି । ତେଣୁ ଏନ୍‌ଡିଆରଏଫ୍, ଏସ୍‌ଡିଆରଏଫ୍, ରୋବୋଟିକ୍ ଟିମ୍, ସେନା, ଜିଲ୍ଲା ପ୍ରଶାସନିକ ଅଧିକାରୀ ରେସ୍‌କ୍ୟୁ ଅପରେସନ୍‌ସକୁ ଆହୁରି ଜୋରଦାର କରିଛନ୍ତି । ଜାଞ୍ଜଗିର-ଚାମ୍ପା ଜିଲ୍ଲାପାଳଙ୍କ କହିବା କଥା, ରାହୁଲ ପାଖରେ ଜଳସ୍ତର ଯେମିତି ହ୍ରାସ ପାଇବ, ସେଥିପାଇଁ ଫିରିଡ୍ ଗାଁ ସମେତ ଆଖପାଖରେ ଥିବା ବୋରୱେଲ ଗୁଡ଼ିକୁ ଖୋଲି ଦିଆଯାଇଛି ।

ଛତିଶଗଡ଼ ଜାଞ୍ଜଗିର-ଚମ୍ପା ଜିଲ୍ଲା ଫିରିଡ୍ ଗାଁର ୧୦ ବର୍ଷର ପିଲା ରାହୁଲ ସାହୁ ଗତ ଶୁକ୍ରବାର ଅପରାହ୍ନ ୪ଟାରେ ଖେଳୁ ଖେଳୁ ଖୋଲାଥିବା ବୋରୱେଲ ଗାତରେ ଗଳିପଡ଼ିଥିଲା । ଇତିମଧ୍ୟରେ ୭୨ ଘଣ୍ଟା ବିତିଯାଇଥିବା ବେଳେ କେତେ ଶୀଘ୍ର ରାହୁଲ ଉଦ୍ଧାର ହେବ, ତାଉପରେ ନଜର ।