ରାହୁଲ ଗାନ୍ଧିଙ୍କୁ ନେଇ ଏବେ ଜାତୀୟ ରାଜନୀତି ଉଠୁଛି ପଡ଼ୁଛି । ରାହୁଲ ଗାନ୍ଧିଙ୍କୁ ଇଡିର ଜେରାକୁ ନେଇ କଂଗ୍ରେସ ଓ ଗାନ୍ଧି ପରିବାରକୁ ଏବେ ଜୋରାଦାର ଟାର୍ଗେଟ କରୁଛନ୍ତି ବିରୋଧୀ । ଏହିକ୍ରମରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ରାହୁଲ ଓ ଗାନ୍ଧି ପରିବାରକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, ଇଡି ଜେରା ବିରୋଧରେ ଏଭଳି ସତ୍ୟାଗ୍ରହ ଓ ଶୋଭାଯାତ୍ରା କରି କଂଗ୍ରେସ ତଦନ୍ତକାରୀ ସଂସ୍ଥା ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛି । ଯେହେତୁ ତାଙ୍କ ଦୁର୍ନୀତି ଧରା ପଡ଼ିଯାଇଛି, ସେଥିଲାଗି କଂଗ୍ରେସ ଏଭଳି କରୁଛି । ସେ ଆହୁରି କହିଛନ୍ତି ଯେ, ଗାନ୍ଧି ପରିବାରର ସଂପତ୍ତି ସୁରକ୍ଷିତ ରଖିବା ଲାଗି କଂଗ୍ରେସର ଏହା ଏକ ପ୍ରୟାସ ।
ଗାନ୍ଧି ପରିବାରକୁ ଟାର୍ଗେଟ କରି ସ୍ମୃତି କହିଛନ୍ତି ଯେ, କଣ ପାଇଁ ଗୋଟିଏ ଖବରକାଗଜ ପ୍ରକାଶନୀ କଂପାନି ପ୍ରତି ଗାନ୍ଧି ପରିବାର ଏତେ ଉତ୍ସାହୀ ଥିଲେ ? ୟେଉଁ କଂପାନି ଏବେ ରିଅଲ ଇଷ୍ଟେଟ କାରବାରରେ ଅଛି । ସେହି କଂପାନୀ ପ୍ରତି ଗାନ୍ଧି ପରିବାର କାହିଁକି ଆଗ୍ରହୀ ଥିଲେ ? ଏଥିରୁ ସ୍ପଷ୍ଟ ହେଉଛି ଯେ, କେବଳ ଜିଜାଜୀ (ରବର୍ଟ ଭଦ୍ରା) ନୁହଁ, ପୁରା ଗାନ୍ଧି ପରିବାର ହିଁ ରିଅଲ ଇଷ୍ଟେଟ କାରବାର ପ୍ରତି ମୋହଗ୍ରସ୍ତ ଥିଲେ । ଏଭଳି କଡ଼ା ସମାଲୋଚନା କରିଛନ୍ତି ସ୍ମୃତି ।
Also Read
ସ୍ମୃତି ଆହୁରି କହିଛନ୍ତି ଯେ, ୧୯୩୦ରେ ୫ ହଜାର ସ୍ୱାଧୀନତା ସଂଗ୍ରାମୀ ଅଂଶୀଦାର ଭାବେ ଆସୋସିଏଟ୍ ଜର୍ଣ୍ଣାଲ ସ୍ଥାପନା କରିଥିଲେ । ଯେଉଁ କଂପାନୀ ସ୍ୱାଧୀନତା ସଂଗ୍ରାମୀଙ୍କ ଦ୍ୱାରା ପରିଚାଳିତ ହେବାର ଥିଲା, ତାହା ଆଜି ଗାନ୍ଧି ପରିବାରର କବଜାରେ ରହିଛି । ପ୍ରଥମେ ଏହି ସଂସ୍ଥା ଖବରକାଗଜ ପ୍ରକାଶ କରିବ ବୋଲି ଜଣାଇଥିଲା ପରେ ୨୦୦୮ରେ କୁହାଗଲା, ଏହି କଂପାନି ଖବରକାଗଜ ପ୍ରକାଶ ନ କରି ରିଅଲ ଇଷ୍ଟେଟ ବିଜିନେସରେ ରହିବ । ଗାନ୍ଧି ପରିବାର ଏଭଳି ଆଚରଣକୁ ସ୍ମୃତି ତାତ୍ସଲ୍ୟ କରିବା ସହ କଡ଼ା ସମାଲୋଚନା କରିଛନ୍ତି ।
ସେହିଭଳି ରାହୁଲ ଇଡିରେ ହାଜରକୁ ନେଇ କଂଗ୍ରେସର ପ୍ରତିବାଦ ଶୋଭାଯାତ୍ରାକୁ, ତୀବ୍ର ଭର୍ତ୍ସନା କରିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର । କଂଗ୍ରେସର ଏହି ଶୋଭାଯାତ୍ରାକୁ ଭ୍ରଷ୍ଟାଚାର ଉତ୍ସବ ବୋଲି କହିଛନ୍ତି ସମ୍ବିତ । ବିଭିନ୍ନ ଶୋଭାଯାତ୍ରା ଓ ରାଲି ମାଧ୍ୟମରେ କଂଗ୍ରେସ, ରାହୁଲଙ୍କୁ ନେତା ଭାବେ ଉଭା କରିବାକୁ ଚେଷ୍ଟା କରୁଥିଲେ ବି ସେସବୁ ଅସଫଳ ରହୁଛି । ଆଜି ମଧ୍ୟ ଦଳ ସେମିତି ଏକ ପ୍ରୟାସ କରିଛି ବୋଲି ସମ୍ବିତ କହିଛନ୍ତି ।
ରାହୁଲଙ୍କୁ ଇଡିର ଜେରା ପରେ ପ୍ରମୁଖ ସଂସ୍ଥାଗୁଡ଼ିକର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ । ଏହାସହ ଦେଶରେ ଏହି ପ୍ରମୁଖ ସଂସ୍ଥାସବୁ ବିରୋଧରେ ଭୁଲ୍ ଜନମତ ସୃଷ୍ଟି ହେଉଥିବା ଅଶୋକ କହିଛନ୍ତି । ଏଥିଲାଗି ସେ ଇଡି, ଆଇଟି ଓ ସିବିଡିଟିର ଅଧିକାରୀଙ୍କୁ ଭେଟି ଆଲୋଚନା କରିବାକୁ ତ ଚାହିଁଥିଲେ । ତିନି ଅଧିକାରୀ ମଧ୍ୟ ତାଙ୍କୁ ଭେଟିବାକୁ ସମ୍ମତି ଦେଇଥିଲେ । ପରେ ମନା କରିବାରୁ ତିନି ସଂସ୍ଥା ଚାପରେ ରହୁଥିବା ଅଶୋକ କହିଛନ୍ତି ।