Advertisment

ମାଟ୍ରିମୋନିରୁ ପସନ୍ଦ ହେଲା, ଦୃଷ୍ଟିବାଧିତ ଜାଣି ବି ହାତଗଣ୍ଠି ପଡ଼ିଲା

ମହାନତା ଦେଖାଇଲେ ମନମୋହନ। ମାଟ୍ରିମୋନିରୁ ଫଟୋ ଦେଖି ପସନ୍ଦ ହେବା ପରେ ଦୃଷ୍ଟିବାଧିତ ସୁଜାତାଙ୍କୁ ପ୍ରେମ ନିବେଦନ କରିଥିଲେ ମନମୋହନ। ହେଲେ ପ୍ରଥମେ ଅରାଜି ହେଲେ ସୁଜାତା। କିନ୍ତୁ ପିଛା ଛାଡ଼ିନଥିଲେ ମନମୋହନ। ଦୀର୍ଘ ୩ ବର୍ଷ ପରେ ସୁଜାତାଙ୍କ ହାତ ଧରି ସମାଜ ପାଇଁ ଉଦାହରଣ ସାଜିଲେ ମନମୋହନ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Love is Blind

Love is Blind

ପଣ୍ଡିତ ମନ୍ତ୍ର ଉଚ୍ଚାରଣ କରୁଛନ୍ତି, କନିଆଁ ଅରୁଆ ଚାଉଳ ଧରି ବେଦୀକୁ ଆସୁଛି । ପୂରା ବୈଦିକ ରୀତିନୀତି ଅନୁସାରେ ଚାଲିଛି ବାହାଘର। ୧୦ ଦିଗପାଳଙ୍କୁ ସାକ୍ଷୀ ରଖି ବେଦୀ ଉପରେ ଚାଲିଛି ବାହାଘର। ଏଭଳି ଦୃଶ୍ୟ ଦେଖି ଆପଣ ନିଶ୍ଚୟ କହିବେ ସବୁ ବାହାଘରରେ ଏମିତି ହୁଏ, ଏଥିରେ ନୂଆ କଣ? କିନ୍ତୁ ଏ ବାହାଘର ହିଁ ନୂଆ, ଆଉ ସମାଜ ପାଇଁ ଉଦାହରଣ ସାଜିଛି । 

Advertisment

ମହାନତା ଦେଖାଇଲେ ମନମୋହନ। ସବୁଜାଣି ମଧ୍ୟ ଜଣେ ଦୃଷ୍ଟିବାଧିତ ଯୁବତୀଙ୍କୁ ନିଜ ଜୀବନସାଥୀ ରୂପେ ଗ୍ରହଣ କଲେ । ଚଳଚ୍ଚିତ୍ରର କାହାଣୀ ପରି ଲାଗୁଥିଲେ ମଧ୍ୟ ଏହା ପୂରା ସତ । ଆଉ ଏ ଘଟଣା ଘଟିଛି ବ୍ରଜରାଜନଗରରେ। ଜନ୍ମରୁ ସବୁ କିଛି ଠିକ୍ ଥିଲା । ପାଠ ପଢ଼ିବେ, ଭଲ ଚାକିରି କରିବେ, ଆଉ ବିବାହ କରି ସୁଖର ସଂସାର କରିବେ ବୋଲି ସ୍ୱପ୍ନ ଦେଖିଥିଲେ । ମାତ୍ର ବିଧିର ବିଧାନ ଥିଲା ଭିନ୍ନ ପ୍ରକାର।

କଲେଜ ପଢ଼ିବା ସମୟରେ କୌଣସି କାରଣରୁ ଦୃଷ୍ଟିଶକ୍ତି ହରାଇ ବସିଲେ ସୁଜାତା। କେମିତି ଆଗକୁ ବଢିବେ ସେନେଇ ସବୁବେଳେ ଚିନ୍ତାରେ ଥିଲେ ସେ। କିନ୍ତୁ ସୁଜାତାଙ୍କ ମନର ମଣିଷ ମନମୋହନ ତାଙ୍କୁ ମିଳିବା ପରେ ଏବେ ବେଶ୍‌ ଖୁସିରେ। ସୁଜାତା ଦୃଷ୍ଟିବାଧିତ ହେବା ପରେ ମଧ୍ୟ ମନମୋହନ ତାଙ୍କୁ ପ୍ରେମ କରି ବସିଥିଲେ। ହେଲେ ବାହା ହେବା ପାଇଁ ୩ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ଶେଷରେ ତିନିବର୍ଷ ପରେ ଏବେ ବିବାହ ବନ୍ଧନରେ ବାନ୍ଧି ହେଲେ ସୁଜାତା-ମନମୋହନ।

Advertisment

ତେବେ ସୁଜାତାଙ୍କ ପରିବାର ଏକ ଅଭିଶପ୍ତ ପରିବାର କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ବାପା ଚାଲିଯିବା ପରେ ମାଆ ଏକ ଘରୋଇ କମ୍ପାନୀରେ କାମ କରୁଛନ୍ତି। ଦୁର୍ଭାଗ୍ୟର କଥା ସେମାନଙ୍କ ଭିତରୁ ୨ ଭାଇ କିଛି ଅଂଶ ଓ ସୁଜାତା ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ହରାଇ ବସିଛନ୍ତି। ସୁଜାତାଙ୍କ ଦୃଷ୍ଟିଶକ୍ତି ଚାଲିଯିବାରୁ ଯୁକ୍ତ ତିନି ଶେଷବର୍ଷ ପରୀକ୍ଷା ଦେଇପାରିନଥିଲେ ସୁଜାତା। ହେଲେ ପାଠ ପଢିବା ବେଳେ ବିବାହ ପାଇଁ ମାଟ୍ରିମୋନି ସାଇଟ୍‌ରେ ଏକ ଫଟୋ ଦେଇଥିଲେ। ଆଉ ସେଇ ଫଟୋ ଦେଖି ସୁଜାତାଙ୍କୁ ପସନ୍ଦ କରିଥିଲେ ମନମୋହନ। ହେଲେ ଦୃଷ୍ଟିବାଧିତ ହୋଇଥିବାରୁ ମନମୋହନଙ୍କୁ ବିବାହ ପାଇଁ ମନା କରିଥିଲେ ସୁଜାତା।

କିନ୍ତୁ ପରେ ମନମୋହନ ସୁଜାତାଙ୍କୁ ବୁଝାଇବାରେ ସକ୍ଷମ ହୋଇଥିଲେ ଆଉ ୩ ବର୍ଷ ଭଲପାଇବା ପରେ ଏବେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।  ଯାହା ବି ହେଉ, ସୁଜାତା ଦୃଷ୍ଟିବାଧିକ ହେବା କଥା ଜାଣିବା ପରେ ମଧ୍ୟ ତାଙ୍କୁ ମନମୋହନ ବିବାହ କରିଥିବାରୁ ତାଙ୍କୁ ସବୁଆଡ଼େ ପ୍ରଶଂସା କରାଯାଉଛି ।

ରିପୋର୍ଟର- ଭାଗିରଥୀ ସାହୁ

Special Story Love Is Blind
Advertisment
Advertisment