• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନିକଟରେ କଳିଙ୍ଗା ଘାଟି ମର୍ମନ୍ତୁଦ ଦୁର୍ଘଟଣାରେ ୬ ଜୀବନ ଯିବା ପରେ ପ୍ରଶ୍ନ ରାଜ୍ୟରେ କେତେ ସୁରକ୍ଷିତ ଘାଟି ରାସ୍ତା ? କଳିଙ୍ଗା, ଗଇଲୋ ଅବା କୋରାପୁଟ ସବୁଠି ପ୍ରଶାସନିକ ତ୍ରୁଟିକୁ ଦାୟୀ କରିଛନ୍ତି ସାଧାରଣ ଲୋକେ ଓ ସଡ଼କ ସୁରକ୍ଷା ବିଶେଷଜ୍ଞ । ତେଣେ ଘାଟି ରାସ୍ତାରେ ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କୁ ସଚେତନ ପାଇଁ କେମିତି ଦୁର୍ବଳ ଭିତ୍ତିଭୂମି, ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରିଖିଛି ଓଟିଭି । ସଡ଼କ ଦୁର୍ଘଟଣା ତାଲିକାରେ ୧୨ନମ୍ବରରେ ଥିବା ଓଡ଼ିଶାରେ ଆଗକୁ ୫୦ ପ୍ରତିଶତ ଦୁର୍ଘଟଣା ହାର କମାଇବାକୁ ଲକ୍ଷ୍ୟ ଥିବା କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ମେ ୨୫ କଳିଙ୍ଗା ଘାଟି ଦୁର୍ଘଟଣା, ଏପ୍ରିଲ୍ ୧୭-୨୦୧୬ ଗଇଲୋ ଘାଟି ଦୁର୍ଘଟଣା, ରାଜ୍ୟର ଦୁଇ ପ୍ରମୁଖ ଘାଟି ଦୁର୍ଘଟଣା ପରେ ପ୍ରଶ୍ନ ଉଠୁଛି କାହିଁକି ଏ ରାସ୍ତାରେ ବାରମ୍ବାର ଘଟୁଛି ଆକ୍ସିଡେଣ୍ଟ ? ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ନା ଚାଳକଙ୍କ ପାଇଁ ସଚେତନତାର ଅଭାବ ? 

ନିକଟରେ ଗଞ୍ଜାମ-କନ୍ଧମାଳ ସୀମାନ୍ତ ଦୁର୍ଗାପ୍ରସାଦ ପାଖରେ ୬ ମୁଣ୍ଡ ନେଇଥିବା କଳିଙ୍ଗା ଘାଟିରେ ଗତ ୨ ବର୍ଷରେ ଘଟିଲାଣି ୫ ଦୁର୍ଘଟଣା । କ୍ଷୋଭର ବିଷୟ ଏତେବଡ଼ ଘାଟିକୁ କିନ୍ତୁ କନ୍ଧମାଳ ଓ ଭ଼ଞ୍ଜନଗର ପଟୁ ପ୍ରବେଶ ବେଳେ କୌଣସି ଜାଗାରେ ନାହିଁ ସଚେତନତା ଫଳକ । ମଝିରେ ମଝିରେ ଥିବା ସାଇନ୍ ସବୁ ବି ନଷ୍ଟ ହୋଇଗଲାଣି ।

ଠିକ୍ ସେମିତି ଦେବଗଡ଼ ଗଇଲୋ ଘାଟିରେ ବି ସମାନ ଅବସ୍ଥା ଅଣଓସାରିଆ ରାସ୍ତା ସାଙ୍ଗକୁ ୨୫ଟି ବୁଲାଣି ହେଲେ ଅଧିକାଂଶ ସ୍ଥାନରେ ଭାଙ୍ଗି ଗଲାଣି ଗାର୍ଡ ୱାଲ୍ । ରାସ୍ତା ଚଉଡା ସହ ମରାମତି ପାଇଁ ବାରମ୍ବାର ଦାବି ହେଉଛି ହେଲେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗୁନି । ସେମିତି ଜୟପୁର-କୋରାପୁଟ ଘାଟିରେ ବି ଛୋଟବଡ଼ ଦୁର୍ଘଟଣା । ମାଳ ମାଳ ଘାଟିରେ ଦୁର୍ଘଟଣା ରୋକିବାକୁ ୬ ଶହ କୋଟି ବ୍ୟୟରେ ଏବେ ୬ ଲେନ୍ ବିଶିଷ୍ଟ ଟନେଲ ପାଇଁ କେନ୍ଦ୍ର ପରିବହନ ବିଭାଗକୁ ପ୍ରସ୍ତାବ ଦେଇଛି NHAI ।

ନନ୍‌ଷ୍ଟପ୍‌ ସଡ଼କ ଦୁର୍ଘଟଣା ସହ ଏଥିଜନିତ ମୃତ୍ୟୁ ହାରକୁ ନେଇ ଚିନ୍ତାରେ ଓଡ଼ିଶା ସରକାର । କେନ୍ଦ୍ର ସରକାରଙ୍କ ରୋଡ ଆକ୍ସିଡେଣ୍ଟ-ଇନ-ଇଣ୍ଡିଆ ୨୦୨୦ର ରିପୋର୍ଟ ଅନୁସାରେ ୨୦୧୯ ତୁଳନାରେ ୨୦୨୦ରେ ଦୁର୍ଘଟଣା ସଂଖ୍ୟା କମିଛି ସତ, ହେଲେ ଲକଡାଉନ୍-ସଟଡାଉନ ସମୟରେ ବି ଘଟିଛି ୯ ହଜାର ୮ ଶହ ୧୭ ଦୁର୍ଘଟଣା । ଅକାଳରେ ଯାଇଛି ୪ ହଜାର ୩୭୮ ଜୀବନ, ୮ ହଜାର ୮ ୨୨ ଆହତ ମଧ୍ୟ ହୋଇଛନ୍ତି । ଅର୍ଥାତ ୨୦୨୦ରେ ଦିନକୁ ପ୍ରାୟ ୨୭ଟି ଦୁର୍ଘଟଣା ହେଉଥିଲା ବେଳେ ପ୍ରତ୍ୟେକ ଦିନ ଯାଉଥିଲା ୧୨ ଜୀବନ ।

ଗାଡ଼ି ଚାଳନା ବେଳେ ମୋବାଇଲ ଫୋନ୍‌ର ବ୍ୟବହାର, ମଦ୍ୟପାନ ଏବଂ ଦ୍ରୁତ ଗତି ଯୋଗୁଁ ୩୫ ପ୍ରତିଶତ ଲୋକଙ୍କ ଜୀବନ ଯାଇଛି । ରିପୋର୍ଟ ଅନୁସାରେ, ଦ୍ରୁତଗତି ଯୋଗୁଁ ୨ ହଜାର ୮୩୫ଟି ଦୁର୍ଘଟଣାରେ ୧୩୮୦ ଜୀବନ ଯାଇଥିବାବେଳେ ମଦ୍ୟପାନ ଜନିତ ୧୭୪ଟି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୮୫ ଜଣ ।ସେହିପରି ଗାଡ଼ି ଚାଳନା ବେଳେ ମୋବାଇଲ ବ୍ୟବହାର କରି ୧୦୭ ଦୁର୍ଘଟଣାରେ ୫୫ ଜଣଙ୍କ ଜୀବନ ଯାଇଛି । ସଡକ ସୁରକ୍ଷା ବିଶେଷଜ୍ଞଙ୍କ ମତରେ ଏହାର ମୁକାବିଲା ପାଇଁ କେବଳ ଏନଫୋର୍ସମେଣ୍ଟ ନୁହେଁ, ଭିତ୍ତିଭୂମି ଦରକାର । ତେଣେ  ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, ରାଜ୍ୟରେ ଦୁର୍ଘଟଣା ହାର ୫୦ ପ୍ରତିଶତ କମାଇବା ତାଙ୍କ ବିଭାଗର ମୁଖ୍ୟ ଲକ୍ଷ୍ୟ ।

୨୦୨୦ ମସିହାରେ ସଡ଼କ ଦୁର୍ଘଟଣାରେ ସାରା ଦେଶରେ ଓଡିଶା ୧୨ ନମ୍ବର ସ୍ଥାନରେ ଥିବା ବେଳେ ଏକ ନମ୍ବରରେ ତାମିଲନାଡୁ ଏବଂ ଦୁଇ ନମ୍ବରରେ ମଧ୍ୟ ପ୍ରଦେଶ ରହିଛି । 
ରିପୋର୍ଟର- ସିଦ୍ଧାର୍ଥ ଗୁରୁ, ତ୍ରିନାଥ ସାହୁ, ଟି. ଗୌରୀଶଙ୍କର, ସୌମ୍ୟ ରଞ୍ଜନ ସାହୁ