• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଜ୍ୟସଭା ପ୍ରାର୍ଥୀ ପାଇଁ ଶେଷ ହୋଇଛି ବିଜେଡିର କସରତ୍ । ବହୁ କଳ୍ପନାଜଳ୍ପନା ପରେ ଖାଲିଥିବା ୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ । ସେ ଭିତରୁ କେବଳ ସସ୍ମିତ ପାତ୍ରଙ୍କୁ ଦ୍ୱିତୀୟ ଥର ପାଇଁ ମନୋନୀତ କରାଯାଇଥିଲା ବେଳେ କଟ୍ଟର ସରକାର ବିରୋଧୀ ଆଦିବାସୀ ଚେହେରା ନିରଞ୍ଜନ ବିଶିଙ୍କୁ ଟିକେଟ୍ ଦେଇ ସରପ୍ରାଇଜ୍ କାର୍ଡ ଖେଳିଛନ୍ତି ନବୀନ । ତେବେ ସଂଖ୍ୟା ଦୃଷ୍ଟିରୁ ସବୁ ଆସନ ବିଜେଡି ହାତକୁ ଯିବା ନିଶ୍ଚିତ ଥିଲା ବେଳେ ଆସନ୍ତା ୩୧ ତାରିଖ ରହିଛି ନାମାଙ୍କନପତ୍ର  ଦାଖଲର ଶେଷ ଦିନ ।

ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର, ନିରଞ୍ଜନ ବିଶି ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଖାଲିଥିବା ୪ ରାଜ୍ୟସଭା ଆସନ ପାଇଁ ୪ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେଡି । ଯେଉଁଥିରେ ମହିଳା, ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ଓ ସାଧାରଣ ବର୍ଗ ଭଳି ସବୁ ବର୍ଗରୁ ପ୍ରତିନିଧିତ୍ୱର ସୁଯୋଗ ଉପକୂଳ ଓ ପଶ୍ଚିମ ଓଡ଼ିଶାକୁ ଗୁରୁତ୍ୱ ଦିଆଯାଇଛି ।

ବଡ଼ କଥା ହେଉଛି ବିଜେଡି ପଲିଟିକ୍ସରେ ବୈଜୟନ୍ତ ପଣ୍ଡା, ପ୍ୟାରୀମୋହନ ମହାପାତ୍ରଙ୍କ ପରେ ସସ୍ମିତ ପାତ୍ରଙ୍କୁ ରାଜ୍ୟସଭାକୁ ଦଳ ରିପିଟ୍ କରିଥିଲା ବେଳେ ବାକି ସବୁ ନୂଆ ମୁହଁ ରହିଛନ୍ତି । ସେ ଭିତରୁ ଚର୍ଚ୍ଚା ହେଉଥିବା ନାଁ ଭିତରୁ ଦଳୀୟ ମୁଖପାତ୍ର ସୁଲତା ଦେଓ ଓ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜଙ୍କୁ ଦଳ ଟିକେଟ୍ ତ ଦେଇଛି କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେଉଁମାନଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଛି, ସେମାନଙ୍କ ଭିତରୁ ତିନିଜଣଙ୍କର ଆଦୌ ସଂସଦୀୟ ରାଜନୀତିର ଅଭିଜ୍ଞତା ନାହିଁ । ଏପରିକି ବିଜୁବାବୁଙ୍କ ସମୟର ବହୁ ଅନୁଭବୀ ନେତାଙ୍କୁ ବାଦ୍ ଦେଇ ପୂରା ଯୁବ ଚେହେରାକୁ ପ୍ରାଧାନ୍ୟ ଦିଆଯାଇଛି ।

ଚମକେଇବା ଭଳି ନିଷ୍ପତ୍ତି ନେବାରେ ମାହିର ସୁପ୍ରିମୋ ନବୀନ ଏଥର ବି ରାଜ୍ୟସଭା ରେସ୍ ପାଇଁ ଆଦୌ ଚର୍ଚ୍ଚାରେ ନଥିବା ପଶ୍ଚିମ ଓଡ଼ିଶାର ଚର୍ଚ୍ଚିତ ଆଦିବାସୀ ଚେହେରା ନିରଞ୍ଜନ ବିଶିଙ୍କୁ ମନୋନୀତ କରି ପୁଣି ସରପ୍ରାଇଜ୍ କାର୍ଡ ଖେଳିଛନ୍ତି । ତେବେ ଦଳ ଭିତରୁ ବହୁ ଦାବିଦାର ଥିବା ସତ୍ତ୍ୱେ ଜଣେ କଟ୍ଟର ସରକାର ବିରୋଧୀ ଚେହେରା ନିରଞ୍ଜନଙ୍କୁ ବିଜେଡି ରାଜ୍ୟସଭା ଟିକେଟ୍ ଦେବା ପଛର କାରଣକୁ ନେଇ ଚର୍ଚ୍ଚା ଚାଲିଛି ।

ଗତ ପଞ୍ଚାୟତ ନିର୍ବାଚନ ବେଳେ ସଂରକ୍ଷଣ ପ୍ରସଙ୍ଗକୁ ନେଇ ପଶ୍ଚିମଓଡ଼ିଶାରେ ଆଦିବାସୀ ଆନ୍ଦୋଳନର ନେତୃତ୍ୱ ନେଇଥିବା ନିରଞ୍ଜନଙ୍କ ବିଜେଡି ବିରୋଧୀ ଅବତାର ଦେଖିବାକୁ ମିଳିଛି । ସେଥିରେ ପୁଣି ତାଙ୍କରି ନେତୃତ୍ୱରେ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଦିବାସୀଙ୍କ ସଶସ୍ତ୍ର ଆନ୍ଦୋଳନ କଥା ଭାବନ୍ତୁ ।

ତେଣୁ ସରକାରଙ୍କ ବିରୋଧରେ ଉଠୁଥିବା ଆଦିବାସୀଙ୍କ ସ୍ୱରକୁ ନିଷ୍ପ୍ରଭ କରିବା ସହ ପଶ୍ଚିମ ଓଡ଼ିଶାର ଟ୍ରାଇବାଲ୍ ଭୋଟ୍ ହାତେଇବା ପାଇଁ ବିଜେଡିର ଏ ଚାଲ୍ ନୁହେଁ ତ । ଏଭଳି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି । କ୍ଷମତାକେନ୍ଦ୍ର ସହ ସଂପୃକ୍ତ ଏବଂ ଆନୁଗତ୍ୟ ଥିବା ନେତା ଏପରିକି ବିଭିନ୍ନ ଫୋରମ୍‌ରେ ଗଣମାଧ୍ୟମ ଜରିଆରେ ସରକାରଙ୍କୁ ଅହରହ ସୁରକ୍ଷା ଦେଉଥିବା ବ୍ୟକ୍ତିଙ୍କୁ ହିଁ ରାଜ୍ୟସଭା ଟିକେଟ୍ ମିଳିଥିବା ଚର୍ଚ୍ଚା ହେଉଛି ।

ରିପୋର୍ଟର- ମନରଞ୍ଜନ ଯୋଶୀ, ଜଗଦୀଶ ଦାସ, ହରିହର ଚାନ୍ଦ

OTV is now on Whatsapp

Join and get latest news update delivered to you via whatsapp

Join Now