• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଲଣ୍ଡନ: ବ୍ରିଟେନ୍‌ର ୱେଲ୍ସରେ ଦୁଇ ଦିନ ଧରି ପ୍ରାୟ ୨୦ ହଜାର ମହୁମାଛି ଗୋଟେ କାରର ପିଛା କରୁଥିଲେ । ଏତେ ମହୁମାଛିକୁ କାର୍‌ ପଛରେ ଗୋଡାଉଥିବା ଦେଖି ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପ୍ରଥମ ଦିନ ମହୁମାଛି ଚାଷୀମାନେ ଏମାନଙ୍କୁ ଘଉଡାଇଥିଲେ । ହେଲେ ମହୁମାଛିମାନେ ସେଠାରୁ ଯିବାକୁ ନାରାଜ ଥିଲେ । ଫଳରେ ପୁଣିଥରେ ସେମାନେ ସେହି କାର୍‌ ପାଖକୁ ଯାଇଥିଲେ ।

ମହୁମାଛିମାନେ ଏଭଳି କାର୍‌ ପାଖ ଛାଡି ଯାଉନଥିବା ଘଟଣାରୁ ଯଦି ଆପଣ ଭାବୁଛନ୍ତି ସେମାନେ କାର୍‌କୁ ଭଲପାଉଛନ୍ତି, ତେବେ ଏହା ନୁହେଁ । ପ୍ରକୃତରେ ମହୁମାଛିମାନଙ୍କ ରାଣୀ ମହୁମାଛି କାର ଭିତରେ ରହିଥିଲା । ଯାହା କାରଣରୁ ରାଣୀକୁ ସୁରକ୍ଷା ଦେବା ପାଇଁ ମହୁମାଛିଙ୍କ ଏକ ବିରାଟ ଦଳ ସେହି କାର ପଛରେ ଯାଉଥିଲେ । ବ୍ରିଟେନ୍‌ ପଶ୍ଚିମ ୱେଲ୍ସ ଅଞ୍ଚଳରୁ ଏହି ଘଟଣାଟି ସାମ୍ନାକୁ ଆସିଛି ।

କାର ଉପରେ ଭିଡ ଜମାଇଥିଲେ ମହୁମାଛି ଦଳ

ନ୍ୟୁଜ୍‌ ଏଜେନ୍ସି ସିଏନ୍ଏନ୍‌ର ଏକ ରିପୋର୍ଟ ଅନୁଯାୟୀ, ୬୮ ବର୍ଷୀୟ କାରୋଲ ହାୱାରଥ ଜାଣି ନଥିଲେ ଯେ ତାଙ୍କ କାର୍‌ର ପଛ ଭାଗରେ ହଜାର ହଜାର ମହୁମାଛି ଲାଗିରହିଛନ୍ତି ବୋଲି । ସେ ନିଜ କାରକୁ ପାର୍କିଂ କରି ସପିଂ କରିବାକୁ ଯାଇଥିଲେ । ସପିଂରୁ ଫେରି ସେ ଦେଖିବାକୁ ପାଇଥିଲେ ଯେ, ତାଙ୍କ କାର୍‌ ପଛରେ ଏତେ ସଂଖ୍ୟକ ମହୁମାଛି ଅଛନ୍ତି । ମହୁମାଛିଙ୍କୁ ହଟାଇହା ପାଇଁ ସେ ବିଭିନ୍ନ ପ୍ରୟାସ କରିବା ସହ ପାଖ ଆଖ ଲୋକଙ୍କୁ ସାହାଯ୍ୟ ମଧ୍ୟ ମାଗିଥିଲେ । ଶେଷରେ ସେଠାରେ ଜଣେ ମହୁମାଛି ଚାଷୀ ଆସି ମହୁମାଛିଙ୍କୁ ଘଉଡାଇଥିଲେ ।

ଘଉଡାଇବା ପରେ ପୁଣି ଫେରିଆସିଲେ ମହୁମାଛି

ମହୁମାଛି ଚାଷୀ ନିଜ କୌଶଳ ବଳରେ ସେଠାରୁ ମହୁମାଛିଙ୍କୁ ହଟାଇ ଏକ ବାକ୍ସ ଭର୍ତ୍ତି କରି ସେମାନଙ୍କୁ ନେଇ ଅନ୍ୟତ୍ର ସ୍ଥାନରେ ଛାଡିଦେଇଥିଲେ । ହେଲେ ତା ପର ଦିନ ସମସ୍ତ ମହୁମାଛି ପୁଣି ଥରେ ଆସି ସେମାନଙ୍କ କାର୍‌ ବାହାରେ ଜମା ହୋଇଗଲେ ।

ବୈଜ୍ଞାନିକଙ୍କ ମତରେ, ମହୁମାଛି ଦଳ ଯେତେବେଳେ ନିଜ ସ୍ଥାନ ପରିବର୍ତ୍ତନ କରନ୍ତି ସେତେବେଳେ ସେମାନେ ନିଜ ରାଣୀ ମହୁମାଛିକୁ ଅନୁସରଣ କରନ୍ତି । ଏଭଳି ପରିସ୍ଥିତିରେ ରାଣୀ ମହୁମାଛି କୌଣସି କାରଣରୁ କାରରେ ଫସି ରହିଥିବା ହେତୁ ଅନ୍ୟ ମହୁମାଛି ମାନେ ଲଗାତାର ୨ ଦିନ ଧରି କାର ପଛରେ ଘୂରି ବୁଲୁଥିଲେ । ରାଣୀ ମହୁମାଛିକୁ କାରରୁ ବାହାର କରିବାକୁ ଚେଷ୍ଟା କରାଯାଇଥିଲା, ତଥାପି ସେ ବାହାରକୁ ଆସିପାରିନଥିଲା ।

OTV is now on Whatsapp

Join and get latest news update delivered to you via whatsapp

Join Now