ବିଶ୍ବ ଦରବାରରେ ଓଡ଼ିଶାକୁ ନିନ୍ଦିତ କରିଥିବା କାଣ୍ଡ ପାଇଁ କିଟ୍ ବିରୋଧରେ ଦୃଷ୍ଟାନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ଆହ୍ବାନକଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ସେ କହିଛନ୍ତି କିଟ୍ କ୍ୟାମ୍ପସରେ ରେସିଜିମ୍ ଚାଲିଥିଲା । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।
ଅପରପକ୍ଷେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତଙ୍କ ଗିରଫ ଦାବିରେ ତାତି ଥମିବାର ନାଁ ନେଉନି । ଆଜି ବି କିଟ୍ ମୁଖ୍ୟ ଗେଟ୍ ଆଗରେ ବିକ୍ଷୋଭ ହୋଇଛି । କିଟ୍ ମୁଖିଆଙ୍କ କୁଶପୁତ୍ତଳିକା ଦାହ ହୋଇଛି । ଯେଉଁ ଦେଶରେ ଅତିଥିଙ୍କୁ ଭଗବାନର ମାନ୍ୟତା ଦିଆଯାଏ । ଅତିଥିଙ୍କୁ ସତ୍କାର ଯେଉଁ ରାଜ୍ୟର ମୂଳ ମନ୍ତ୍ର, ସେଇ ରାଜ୍ୟର ରାଜଧାନୀର ଛାତି ଉପରେ ଗଢ଼ି ଉଠିଥିବା ଶିକ୍ଷାନୁଷ୍ଠାନରେ ବିଦେଶୀ ଛାତ୍ରଛାତ୍ରୀଙ୍କ ପ୍ରତି ଏ ଦୁର୍ବ୍ୟବହାର, ମାଡ଼, ତିରସ୍କାର ପ୍ରସଙ୍ଗକୁ ନେଇ ଆଜି କଡ଼ା ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ।
Also Read
ସେ ପ୍ରେସମିଟ୍ କରି କହିଛନ୍ତି, କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରଛାତ୍ରୀଙ୍କ ପ୍ରତି ଜାତିଆଣ ଭେଦଭାବ କରାଯାଇଛି । ସେ କ୍ୟାମ୍ପସ୍ ରେ ରେସିଜିମ୍ ଚାଲିଛି । ଗୋଟିଏ ଦେଶ ପ୍ରତି ଅତ୍ୟନ୍ତ ଅଶାଳୀନ, ଅରୁଚିକର ମନ୍ତବ୍ୟ ଦିଆଯାଇଛି । ଯାହା ହୋଇଛି ଇଏ ସାଧାରଣ ଘଟଣା ନୁହେଁ, ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କାରଣ ଏହା ଦ୍ବାରା ଆଗକୁ ବିଦେଶୀ ଛାତ୍ରଛାତ୍ରୀ ଓଡ଼ିଶାକୁ ପଢ଼ିବାକୁ ଆସିବେ କି ନାହିଁ ଭାବିବାକୁ ବାଧ୍ୟହେବେ । କିଟ୍ର ଏ କାଣ୍ଡ ପାଇଁ ସାରା ବିଶ୍ବରେ ଭାରତର ଛବି ମଳିନ ପଡ଼ିଛି । ଓଡ଼ିଶା ନିନ୍ଦିତ ହୋଇଛି । ତେଣୁ କିଟ୍ର ଡିମ୍ଡ ୟୁନିଭର୍ସିଟି ଷ୍ଟାଟସ୍ ରଦ୍ଦ ହେଉ ।
ଅଧିକ ପଢ଼ନ୍ତୁ : 'ବସିବାକୁ ମତେ ଗୋଟେ ଭଙ୍ଗା ସିଟ୍ ଦେଲେ'... ଏୟାର ଇଣ୍ଡିଆକୁ ଗାଳିଦେଲେ କେନ୍ଦ୍ରମନ୍ତ୍ରୀ, କହିଲେ 'ଚିଟର୍'
ୟୁଜିସି ଓ ରାଜ୍ୟ ସରକାର କିଟ୍ର ଡିମ୍ଡ ୟୁନିଭର୍ସିଟି ଷ୍ଟାଟସକୁ କାହିଁକି ପ୍ରତ୍ୟାହାର କରା ନଯିବ ସେ ନେଇ 'ସୋ କଜ୍' ମାଗନ୍ତୁ । କେବଳ ସେତିକି ନୁହେଁ, ପୂର୍ବ ବିଜେଡି ସରକାରଙ୍କ ସମୟରେ କିଟ୍କୁ ଯେ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଇଥିଲା ତାର ପ୍ରମାଣର ଆବଶ୍ୟକତା ନାହିଁ କହି, ଓଡ଼ିଶା ଅସ୍ମିତାକୁ ଭୂଲୁଣ୍ଠୁିତ କରିଥିବା ଏ ଘଟଣାରେ ବର୍ତ୍ତମାନର ସରକାର ନିଜକୁ ଭିନ୍ନ ବୋଲି ପ୍ରମାଣିତ କରନ୍ତୁ ଏବଂ ବିଶ୍ବ ଦରବାରରେ ଓଡ଼ିଶାର ଛବି ସୁଧାରିବାକୁ ଆକ୍ସନ୍ ନିଅନ୍ତୁ ବୋଲି ବି ରାଜ୍ୟ ସରକାରଙ୍କୁ ଆହ୍ବାନ ଦେଇଛନ୍ତି ବିଜୟ ।
ଅନ୍ୟପଟେ ଘଟଣାର ସପ୍ତାହେ ପରେ ବି କିଟ୍ କାଣ୍ଡକୁ ନେଇ ଥମୁନି ତାତି, ତେଜୁଛି କିଟ୍ ମୁଖ୍ୟ ଅଚ୍ୟୁତ ସାମନ୍ତଙ୍କ ଗିରଫ ଦାବି । କିଟ୍ ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକ ସାମ୍ନାରେ ଅଚ୍ୟୁତଙ୍କ କୁଶପୁତ୍ତଳିକା ଦାହ କରି ବିକ୍ଷୋଭ କରିଛି ଯୁବ ଓ ଛାତ୍ର କଂଗ୍ରେସ । ତେବେ ଆନ୍ଦୋଳନକାରୀ କିଟ୍ କ୍ୟାମ୍ପସ ପରିସରକୁ ପଶିବାକୁ ଉଦ୍ୟମ ବେଳେ ପୋଲିସ୍ ରୋକିବାରୁ ସେଠାରେ ଧସ୍ତାଧସ୍ତି ସ୍ଥିତି ବି ଉପୁଜିଥିଲା।
ସେପଟେ ବିଧାୟକ ତାରା ବାହିନୀପତି ବି ଅଚ୍ୟୁତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଦାବି ଦୋହରାଇ ବର୍ଷିଛନ୍ତି । ଉଚ୍ଚଶିକ୍ଷାମନ୍ତ୍ରୀଙ୍କ କହିବା କଥା, ଉଚ୍ଚସ୍ତରୀୟ କମିଟି ତଦନ୍ତର ନିଷ୍କର୍ସ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । କିଟ୍ ଛାତ୍ରୀ ମୃତ୍ୟୁ ମାମଲାରେ ଗତକାଲି କିଟ୍ର ଅନ୍ୟ ଅଧିକାରୀଙ୍କ ଛଡ଼ା କେବଳ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ପ୍ରାୟ ଅଢ଼େଇ ଘଣ୍ଟା ଧରି ଜେରା କରାଯାଇଛି । ଏବେ ଏହି ମାମଲାରେ ଆଗକୁ ସରକାର କି ଆକ୍ସନ୍ ନେଉଛନ୍ତି ତାକୁ ହିଁ ଅପେକ୍ଷା ।