Advertisment

ଲୁଧିଆନା କୋର୍ଟ ବ୍ଲାଷ୍ଟ୍‌ ଘଟଣା: ଜର୍ମାନୀରୁ ଧରାପଡ଼ିଲା ମାଷ୍ଟରମାଇଣ୍ଡ୍‌, ଦିଲ୍ଲୀ, ମୁମ୍ବାଇ ମଧ୍ୟ ଟାର୍ଗେଟରେ ଥିଲା !

ଲୁଧିଆନା ସ୍ଥିତ ଏକ କୋର୍ଟ ପରିସରରେ ହୋଇଥିବା ବିସ୍ଫୋରଣ ଘଟଣାର ମାଷ୍ଟରମାଇଣ୍ଡ୍‌କୁ ପୋଲିସ୍‌ ଗିରଫ କରିଛି। ଦିଲ୍ଲୀ ଓ ମୁମ୍ବାଇରେ ମଧ୍ୟ ଆତଙ୍କବାଦୀ ଆକ୍ରମଣ ନେଇ ଷଡ଼ଯନ୍ତ୍ର ରଚିଥିଲା।

author-image
Rajalaxmi Sahoo
Ludhiana Court Blast Mastermind

Ludhiana Court Blast Mastermind

ନୂଆଦିଲ୍ଲୀ: ପଞ୍ଜାବ ଲୁଧିଆନା ସ୍ଥିତ ଏକ କୋର୍ଟ ପରିସରରେ ହୋଇଥିବା ବିସ୍ଫୋରଣ ଘଟଣାର ମାଷ୍ଟରମାଇଣ୍ଡ୍‌କୁ ପୋଲିସ୍‌ ଗିରଫ କରିଛି। ବିସ୍ଫୋରଣର ଘଟଣାର ମାଷ୍ଟରମାଇଣ୍ଡ୍‌ କୁହାଯାଉଥିବା ଜସ୍‌ୱିନ୍ଦର ସିଂ ମୁଲ୍‌ତାନୀଙ୍କୁ ପୋଲିସ୍‌ ଜର୍ମାନୀରୁ ଗିରଫ କରିଥିବା ସୂଚନା ମିଳିଛି। 

Advertisment

ମିଳିଥିବା ସୂଚନା ଅନୁସାରେ, ଜସ୍‌ୱିନ୍ଦର ଦିଲ୍ଲୀ ଓ ମୁମ୍ବାଇରେ ମଧ୍ୟ ଆତଙ୍କବାଦୀ ଆକ୍ରମଣ ନେଇ ଷଡ଼ଯନ୍ତ୍ର ରଚିଥିଲା। ଏହି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପରେ ସେ ସାମିଲ ଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି।

ସିଂଘୁ ବର୍ଡରରେ କୃଷକ ନେତା ବଲ୍‌ଭୀର୍‌ ସିଂ ରାଜେୱାଲାଙ୍କୁ ହତ୍ୟା ପାଇଁ ଜସ୍‌ୱିନ୍ଦର ଷଡ଼ଯନ୍ତ୍ର ରଚିଥିଲେ। ଏଥିପାଇଁ ଜୀବନ ସିଂ ନାମକ ଜଣେ ଯୁବକଙ୍କୁ ସେ ଉସକାଇ ଥିଲେ। ବଲ୍‌ଭୀର୍‌ଙ୍କୁ ହତ୍ୟା ପାଇଁ ମଧ୍ୟପ୍ରଦେଶରେ ଜୀବନଙ୍କୁ ମାରଣାସ୍ତ୍ର ଯୋଗାଇ ଦିଆଯାଇଥିଲା। ହେଲେ ଏହା ପୂର୍ବରୁ ଦିଲ୍ଲୀ ପୋଲିସ୍‌ର ସ୍ପେଶାଲ୍‌ ସେଲ୍‌ ଜୀବନଙ୍କୁ ଗିରଫ କରିଥିଲେ। ଏହି ଘଟଣା ପରେ ପ୍ରଥମ ଥର ପାଇଁ ଜସ୍‌ୱିନ୍ଦରଙ୍କ ନାଁ କୌଣସି ଏକ ମାମଲାରେ ସ୍ପେଶାଲ୍‌ ସେଲ୍‌ର ସାମ୍ନାକୁ ଆସିଥିଲା। ଏହାପରେ ଏସମ୍ପର୍କରେ ସ୍ପେଶାଲ୍‌ ସେଲ୍‌ କେନ୍ଦ୍ରୀୟ ଏଜେନ୍ସିକୁ ସୂଚନା ଦେଇଥିଲା। ଏହାସହ ରାଜେୱାଲାଙ୍କ ସୁରକ୍ଷା ପାଇଁ ମଧ୍ୟ ସ୍ପେଶାଲ୍‌ ସେଲ୍‌ କହିଥିଲା। 

Advertisment

ସୂଚନାଥାଉ କି, ଚଳିତ ବର୍ଷ ଡିସେମ୍ବର ୨୩ରେ ଲୁଧିଆନା ସ୍ଥିତ ଏକ କୋର୍ଟ ପରିସରରେ ଥିବା ଦ୍ୱିତୀୟ ମହଲାର ଟଏଲେଟ୍‌ରେ ବିସ୍ଫୋରଣ ହୋଇଥିଲା। IED ସହାୟତାରେ ଏହି ବିସ୍ଫୋରଣ ହୋଇଥିଲା। ତେଣୁ ଏହା ପଛରେ ଆତଙ୍କବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉଛି। ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଥିଲେ। ତଦନ୍ତକାରୀ ଏଜେନ୍ସି ସନ୍ଦେହ କରିଥିଲେ ଯେ, ବିସ୍ଫୋରଣରେ ଯେଉଁ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି, ଘଟଣା ପଛରେ ତାଙ୍କର ହିଁ ହାତ ରହିଛି। କୋର୍ଟ ବାଥରୁମ୍‌ରେ ସେ ବୋମା ଖଞ୍ଜୁ ଥିବାବେଳେ ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି। 

Ludhiana Court Blast
Advertisment
Advertisment