• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚାଷୀ ଓ ଚାଷ ଜମି ମଧ୍ୟରେ ପ୍ରତିବନ୍ଧକ ସାଜିଛି ରେଳଧାରଣା । ତାଳଚେର ଓ ଡ଼ୁବୁରୀ ମଧ୍ୟରେ ଚାଲିଥିବl ରେଳପ୍ରକଳ୍ପ ଏବେ ଚାଷୀଙ୍କ ପାଇଁ କାଳ ସାଜିଛି l କାମାକ୍ଷାନଗର ବ୍ଲକ ବଡସୁଆଁଳ ପଞ୍ଚାୟତ ଅନ୍ତର୍ଗତ ହାଟୁଆରି ଗ୍ରାମର ପ୍ରାୟ ଶହଶହ ଏକର ଜମି ରେଳଧାରଣାର ଅପରପାର୍ଶ୍ୱରେ ରହିଛି l କିନ୍ତୁ ଜମିକୁ ଯିବା ପାଇଁ କୌଣସି ରାସ୍ତା ନାହିଁ l ଫଳରେ ଚାଷକାମ କରି ପରିବାର ପ୍ରତିପୋଷଣ କରୁଥିବା ଚାଷୀ ଏବେ ଚିନ୍ତାରେ l ଚାଷ ଜମିକୁ ଯିବାପାଇଁ ରାସ୍ତା ନଥିବାରୁ ବିଲରେ ଫସଲ ନଷ୍ଟ ହେଉଥିବା ଯୋଗୁ ଚାଷୀ ମାନଙ୍କ ମଧ୍ୟରେ ଭାଳେଣି ପଡିଛି l

ହାଟୁଆରି ଗ୍ରାମବାସୀଙ୍କ ମୁଖ୍ୟ ବେଉସା ଚାଷ l ଚାଷ କରି ନିଜର ପରିବାର ପ୍ରତିପୋଷଣ କରିବା ସହିତ ପନିପରିବା ଚାଷ କରି ବଜାରକୁ ଯୋଗାଉଥିଲେ l କିନ୍ତୁ ଏବେ ଚାଷୀମାନଙ୍କ ପାଇଁ କାଳ ସାଜିଛି ହାଟୁଆରି ଠାରେ ନିର୍ମାଣ ହେଉଥିବା ରଙ୍ଗମାଟିଆ ରେଲୱେ ଷ୍ଟେସନ l ଚଳିତ ବର୍ଷ ରେଲୱେ ଟ୍ରାକ ବିଛା ହୋଇ ନଥିଲା ବେଳେ କୌଣସିମତେ ଚାଷୀ ମାନେ ଚାଷ କାର୍ଯ୍ୟ ସମ୍ପୂର୍ଣ କରିଥିଲେ l କିନ୍ତୁ ଫସଲ ଅମଳ ସମୟରେ ରେଲୱେ ଟ୍ରାକ ବିଛାଯିବା ସହିତ ରେଲୱେ ଷ୍ଟେସନ ନିର୍ମାଣ ହେବା ଫଳରେ ଚାଷୀ ମାନେ ଚାଷଜମିକୁ ନା ଯାଇପାରୁଛନ୍ତି ନା ଫସଲ ଅମଳ କରି ଘରକୁ ଆଣିପାରୁଛନ୍ତି l

କେହି କେହି ଅଧିକ ଖର୍ଚ୍ଚାନ୍ତ ହୋଇ ଶ୍ରମିକ ଦ୍ୱାରା ମୁଣ୍ଡରେ ବୁହାଇ ବିପଦ ସଂକୁଳ ଅବସ୍ଥାରେ ରେଲୱେ ଟ୍ରାକ ପାର କରି ଫସଲ ଘରକୁ ଆଣୁଥିବା ବେଳେ ଅନ୍ୟ ମାନେ ଫସଲ ଆଣିନପାରି ଚାଷଜମିରେ ଛାଡିଦେଇଛନ୍ତି l ଏ ସମ୍ପର୍କରେ ଗ୍ରାମବାସୀ ମାନେ ବାରମ୍ବାର ଜିଲ୍ଲାପାଳ, ଉପଜିଲ୍ଲାପାଳ, ରେଲୱେ ପ୍ରୋଜେକ୍ଟ ମ୍ୟାନେଜର ଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସେମାନଙ୍କର କୌଣସି ସମାଧାନ ହୋଇ ପାରିନାହିଁ l

ଲୋକମାନଙ୍କର ମୁଖ୍ୟ ଦାବି ହେଲା ନିକଟରେ ରେଲୱେ ଟ୍ରାକ କଡ଼ରେ ଚାଷ ଜମିକୁ ଯିବାପାଇଁ ରାସ୍ତା ଟିଏ ଦିଆଗଲେ, ସେମାନେ ସୁରୁଖୁରୁରେ ନିଜ ଜମିକୁ ଯିବାଆସିବା କରିବା ସହ ଚାଷ କରିପାରନ୍ତେ l ସେପଟେ ଚାଷ ଉଜୁଡିଲେ ବାଧ୍ୟହୋଇ ଚାଷୀ ଆତ୍ମହତ୍ୟା କରିବେ ବୋଲି କ୍ୟାମେରା ସାମ୍ନାରେ କିଛି ଚାଷୀ ଧମକ ମଧ୍ୟ ଦେଇଛନ୍ତି l ଏ ସମ୍ପର୍ ରେ କାମାକ୍ଷାନଗର ଉପଜିଲ୍ଲାପାଳ ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରି ତାହାର ସମାଧାନ କରିବାପାଇଁ ପ୍ରତିଶୃତି ଦେଇଛନ୍ତି l

କାମାକ୍ଷାନଗରରୁ ବିଦ୍ୟାଧର ବରାଳଙ୍କ ରିପୋର୍ଟ