• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପେଷା ରୋଗୀସେବା, ନିଶା ଅଭିନୟ । ଦିନରେ ବ୍ୟସ୍ତବହୁଳ ରୋଗୀ ସେବା, ରାତିରେ ମୁହଁରେ ରଙ୍ଗ ମାଖି ମଞ୍ଚରେ ଅଭିନୟ । ଜଣେ ନମ୍ର ସ୍ୱଭାବୀ ଓ ମିଷ୍ଟଭାଷୀ ଡାକ୍ତରରୁ ମହାପରାକ୍ରମୀ ରାବଣ ଚରିତ୍ରରେ ଅଭିନୟ । ଆଜିକୁ ଦୀର୍ଘ ୧୫ ବର୍ଷ ହେବ ହଜି ଯାଇଥିବା ପୁରୁଣା ଲୋକକଳା ରାମଲୀଳାକୁ ପୁନର୍ଜିବିତ କରିବା ଉଦ୍ଦେଶ୍ୟରେ ବଲାଙ୍ଗିର ରାମଜୀପଡ଼ାରେ ନିଜେ ମଞ୍ଚକୁ ଓହ୍ଲାଇଛନ୍ତି ସ୍ତ୍ରୀ ପ୍ରସୂତି ବିଭାଗର ବରିଷ୍ଠ ଡାକ୍ତର ରୂଦ୍ର ନାରାୟଣ ପଟେଲ । ଲୋକକଳାକୁ ବଞ୍ଚାଇ ରଖିବାର ଏ ନିଆରା ଝୁଙ୍କ ଖାଲି ତାଙ୍କୁ କଳାକାରର ପରିଚୟ ଦେଇନି, ବରଂ ରାମଲୀଳାକୁ ବି ଜୀବନ୍ୟାସ ଦେଇଛି ।

ବଲାଙ୍ଗିର ସହରର ଜଗନ୍ନାଥପଡ଼ାରେ ହଜିଯାଇଥିବା ଲୋକକଳା ରାମଳୀଳାରେ ରାବଣ ଚରିିତ୍ରରେ ଅଭିନୟ କରୁଥିବା କଳାକାର, ପେଷାଦାର ଅଭିନେତା ନୁହଁନ୍ତି, ବରଂ ପ୍ରସୂତି ଓ ସ୍ତ୍ରୀରୋଗ ବିଭାଗର ଜଣେ ନାଁକରା ଡାକ୍ତର । ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ୍ ତାଙ୍କ କର୍ମସ୍ଥଳ । ଦିନ ତମାମ ସେଇଠି ଚାଲେ ରୋଗୀସେବା । ରୋଗୀ ଦେଖିବା ବେଳେ ନିଜର ନମ୍ର ସ୍ୱଭାବ ଓ ମିଷ୍ଠଭାଷାରେ ରୋଗ ଭଲ କରି ଦେଉଥିବା ଏହି ଡାକ୍ତରଙ୍କୁ କିନ୍ତୁ ରାତି ହେଲେ ଘାରେ କଳାର ନିଶା । ତା ପୁଣି ଲୋକକଳାକୁ ବଞ୍ଚାଇ ରଖିବାର ଝୁଙ୍କ । ଖାସ ସେଇଥିପାଇଁ ମୁହଁରେ ରଙ୍ଗ, ଦେହରେ ନକଲି ପୋଷାକ ପିନ୍ଧି ରାବଣ ବେଶରେ ଓହ୍ଲାଇ ଆସନ୍ତି ମଞ୍ଚକୁ ।

ଦିନରେ ଡାକ୍ତରୀ ଭଳି ଦାୟିତ୍ୱପୂର୍ଣ୍ଣ ବୃତ୍ତି ଓ ରାତିର ମଞ୍ଚକଳା ଭିତରେ ସମାନ୍ତରାଳ ରେଖା ଟାଣି ପାରିଥିବା ରୂଦ୍ରନାରାୟଣଙ୍କ ଏହି ଝୁଙ୍କ ପଛରେ ଅଛି କିଛି ମହତ ଉଦ୍ଦେଶ୍ୟ । ସ୍ଥାନୀୟ ରାମଜୀପଡ଼ାରେ ଆଗରୁ ବର୍ଷ ବର୍ଷ ଧରି ରାମଲୀଳା ମଞ୍ଚସ୍ଥ ହୋଇ ଆସୁଥିଲା । କିନ୍ତୁ ଆଧୁନିକତାର ଚାକଚକ୍ୟ ଭିତରେ ପୁରୁଣା ପରମ୍ପରା ଓ ଲୋକକଳା ହଜିଯିବା ଭଳି ବାର୍ଷିକ ରାମଲୀଳା ଉତ୍ସବ ବି ବନ୍ଦ ହୋଇଯାଇଥିଲା । ହେଲେ ଡାକ୍ତର ରୂଦ୍ରନାରାୟଣଙ୍କ ଭିତରେ ପିଲା ବେଳୁ ଥିବା ଦୁର୍ବଳତା ତାଙ୍କ ଭିତରେ ଏ କଳାକୁ ପୁଣି ଉଜ୍ଜିବୀତ କରିଥିଲା । ନୂଆ ପୀଢ଼ୀରି କିଛି ଲୋକଙ୍କୁ ଏକାଠି କରି ତାଙ୍କରି ନେତୃତ୍ୱରେ ଏ ଅଞ୍ଚଳରେ ପୁଣି ଆରମ୍ଭ ହୋଇଛି ରାମଲୀଳା । ଯାହାକୁ ଶ୍ରଦ୍ଧା ଓ ଭଲ ପାଇବା ଦେଇଛନ୍ତି ଆଖାପାଖ ଅଞ୍ଚଳର ଆବାଳ ବୃଦ୍ଧ ବନିତା ।