• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଯୋଜନାର କାର୍ଯ୍ୟକାରିତାକୁ ନେଇ ଉଠିଲା ପ୍ରଶ୍ନ

  • ସମୀକ୍ଷା ଓ ତଦନ୍ତ ଦାବି କଲା ଉପଭୋକ୍ତା ମହାସଂଘ

ଭୁବନେଶ୍ୱର : ଲୋ ଭୋଲଟେଜ୍ ସମସ୍ୟା ଦୂର କରିବାକୁ ପ୍ରାୟ ୨ ହଜାର କୋଟି ଖର୍ଚ୍ଚ କରିବେ ସରକାର । ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି, ସତ ହେଲେ କାର୍ଯ୍ୟକାରିତାକୁ ନେଇ ଉଠିଲାଣି ପ୍ରଶ୍ନ । କାହିଁକି ନା ଏହି ସବୁ କାମ ଓପିଟିସିଏଲ୍ ମାଧ୍ୟମରେ କରିବ ଶକ୍ତି ବିଭାଗ । ପୂର୍ବରୁ ଏସବୁ ଦିଗରେ ପାଣି ଭଳି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ସୁଫଳ ମିଳିନାହିଁ । ସିଏଜି ରିପୋର୍ଟ କହୁଛି, ୩ ବର୍ଷରେ ୮୧ ପ୍ରତିଶତ ଖର୍ଚ୍ଚରେ କାମ ହୋଇଥିଲା ମାତ୍ର ୩୬ ପ୍ରତିଶତ । ଯେତିକି ବି କାମ ହୋଇଛି, କେଉଁଠି ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ପାରୁନି ତ କେଉଁଠି ନିମ୍ନ ମାନର ହୋଇଛି । ତେଣୁ ପୁଣି ଥରେ ଖର୍ଚ୍ଚ ପୂର୍ବରୁ ଏହି ସବୁର ତଦନ୍ତ ହେଉ ବୋଲି ଦାବି ଉଠିଛି ।

ବିଜୁଳି ଭିତ୍ତିଭୂମି ସଜାଡିବା ଆଉ ଲୋ-ଭୋଲଟେଜ୍ ସମସ୍ୟା ସମାଧାନ ପାଇଁ ସରକାରଙ୍କ ଚିନ୍ତା ପ୍ରାୟ ୨ ହଜାର କୋଟି ଟଙ୍କା ଖର୍ଚ୍ଚ ପ୍ରସ୍ତାବ ଉପରେ ଦୁଇ ଦିନ ପୂର୍ବରୁ ଲାଗିଛି କ୍ୟାବିନେଟ୍ ମୋହର । ନିର୍ମାଣ ହେବ ୪ଟି ଗ୍ରୀଡ । ସବ୍-ଷ୍ଟେସନ ସହ କେନ୍ଦୁଝରରେ ଗୋଟିଏ ୧୩୨ କେଭି ଲାଇନ୍ ଏହା ବାଦ୍ ୯୯ଟି ୩୩ କେଭି ସବଷ୍ଟେସନ୍ ଓ କେଭି ଲାଇନ୍ ବାବଦକୁ ଖର୍ଚ୍ଚ ହେବ ୧୭୯୬ କୋଟି ଟଙ୍କା । ଓପିଟିସିଏଲ୍ ମାଧ୍ୟମରେ ଖର୍ଚ୍ଚ ହେବ ଏହି ଟଙ୍କା ।

ହେଲେ ଯୋଜନାର କାର୍ଯ୍ୟକାରିତା ନେଇ ଏବେଠାରୁ ପ୍ରଶ୍ନ ଉଠିଲାଣି । କାରଣ ପୂର୍ବରୁ ମଧ୍ୟ ଏହି ସମସ୍ୟାର ସମାଧାନ ପାଇଁ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ସିଷ୍ଟମ ଷ୍ଟ୍ରେଦନିଙ୍ଗ ପ୍ରକଳ୍ପରେ ଗ୍ରାଣ୍ଟ ମାଧ୍ୟମରେ ୨୦୧୭-୧୮ ମସିହାରେ ୩ ହଜାର ୮୪୩ କୋଟି ମଞ୍ଜୁର କରିଥିଲା ବିଭାଗ । ନିର୍ମାଣ ହୋଇଥାନ୍ତା ୪୭୩ଟି ୩୩ କେଭି ସବଷ୍ଟେସନ୍ ।

ନଜର ପକାନ୍ତୁ ସିଏଜି ରିପୋର୍ଟ ଉପରେ

୧୭-୧୮ରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ୮୧ ପ୍ରତିଶତ ଖର୍ଚ୍ଚ ହୋଇଥିବା ବେଳେ କାମ ହୋଇଛି ମାତ୍ର ୩୬ ପ୍ରତିଶତ । ନିର୍ମାଣ ସରିଛି ମାତ୍ର ୪୭୩ରୁ ୧୭୦ଟି ୩୩ କେଭି ସବଷ୍ଟେସନ୍ । ବଡ଼ କଥା ହେଲା ସବଷ୍ଟେସନ୍ ଗୁଡ଼ିକ ମଧ୍ୟରୁ ଅନେକ ଏବେ ବି କାର୍ଯ୍ୟକ୍ଷମ ହୋଇନାହିଁ କି ଡସ୍କମ୍ ଗୁଡିକୁ ହସ୍ତାନ୍ତର କରାଯାଇନାହିଁ । ଅନେକ ସ୍ଥାନରେ କାମ ନିମ୍ନମାନର ହୋଇଥିବାରୁ ବିଦ୍ୟୁତ ବିତରଣ ଓ ସରବରାହ ଜନିତ କ୍ଷତି କମିବା ବଦଳରେ ବଢ଼ିଛି । ତେଣୁ ଏବେ ପୁଣି ଥରେ ଖର୍ଚ୍ଚ ପୂର୍ବରୁ ପ୍ରଥମେ ଏହାର ସମୀକ୍ଷା ଓ ତଦନ୍ତ ପାଇଁ ଦାବି କରିଛି ଉପଭୋକ୍ତା ମହାସଂଘ ।

୨୦୧୭-୧୮ ମସିହାରେ ଏହି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ବେଳେ ଏହାର ମନିଟରିଂ ପାଇଁ ପାଇଁ ଏକ ଷ୍ଟିୟରିଂ କମିଟି ଗଠନ ହେବାର ଥିଲା । ଶକ୍ତି ସଚିବଙ୍କ ଅଧ୍ୟକ୍ଷତାରେ ଅର୍ଥ ବିଭାଗ, ଯୋଜନା ଓ ସଂଯୋଜନା ବିଭାଗର ପ୍ରତିନିଧି, ଓଇଆର୍ସି ଏବଂ ପ୍ରତି ଡିସ୍କମ୍ର ସଦସ୍ୟ ଏଥିରେ ରହିବେ ବୋଲି କୁହଯାଇଥିଲା । ବିଡମ୍ବନା ହେଲା ୩ ବର୍ଷ ପରେ ବି ଏପର୍ଯ୍ୟନ୍ତ ସେହି କମିଟି ଗଠନ ହୋଇ ପାରିନାହିଁ, ଯାହାକୁ ନେଇ ପ୍ରଶ୍ନ ଉଠାଇଲେଣି ବିରୋଧୀ ।