• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଥାରେ ଅଛି ଯାହାର ମନ ଯେଡ଼େ, ତାର ପ୍ରଭୁ ତେଢ଼େ । ଅର୍ଥାତ ଯିଏ ଯେମିତି ଭକ୍ତି କରିବ ସେ ସେମିତି ଫଳ ପାଇବ । ଠିକ୍‌ ସେମିତି ଯିଏ ଯେମିତି ପରିଶ୍ରମ କରିବ ସିଏ ସେମିତି ଫଳ ଫାଇବ । ମଣିଷର ଇଚ୍ଛା ଶକ୍ତି ଆଗରେ ଖୋଦ୍‌ ବ୍ରହ୍ମା ବିଷ୍ଣୁ ମହେଶ୍ୱର ବି ହାର୍‌ ମାନିଥିବା ପୁରାଣରେ ଲେଖା ଅଛି । ମଣିଷର ଜିଦ୍‌ ପାଇଁ ତ୍ରିଦେବଙ୍କୁ ପୃଥିବୀ ପୃଷ୍ଠକୁ ଓହ୍ଲାଇବାକୁ ପଡ଼ିଛି । ଏମିତିକି ସାବିତ୍ରୀଙ୍କ ଜିଦ୍‌ ପାଇଁ ସ୍ୱୟଂ ଜମରାଜା ବି ନିଷ୍ପତ୍ତି ବଦଳାଇବାକୁ ବାଧ୍ୟ ହୋଇଥିଲେ ।

ଠିକ୍‌ ଏମିତି ଏକ ନିଷ୍ଠାପର ବ୍ୟକ୍ତିଙ୍କ ବିଷୟରେ ଆମେ ଆଜି ଆଲୋଚନା କରିବା । ଯିଏ କି ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ଦେଖାଇଛନ୍ତି । ନିଜର ଇଚ୍ଛାଶକ୍ତି ଓ ନିଷ୍ଠାପର ପରିଶ୍ରମ ଯୋଗୁଁ ଜଣେ ଚାଷୀ ଏଭଳି କମାଲ କରିଛନ୍ତି । ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ସାଧାରଣତଃ ଲୋକଙ୍କ ଧାରଣା ଥାଏ ଯେ, କାଶ୍ମୀରରେ ହେଉଥିବା ବିଭିନ୍ନ ଚାଷ, ଓଡ଼ିଶାର ପାଣି ପବନରେ ହେବ ନାହିଁ । କାରଣ କାଶ୍ମୀରେ ଥଣ୍ଡା ପରିବେଶ ଯୋଗୁଁ ସେହି ଫସଲ ଗୁଡ଼ିକ ଭଲ ହୋଇଥାଏ ଏବଂ ସ୍ୱଦିଷ୍ଟ ହୋଇଥାଏ । ଆଉ ସେହି ଫସଲ ଯଦି ଆମେ ଓଡ଼ିଶାର ପରିବେଶରେ କରିବାକୁ ଚେଷ୍ଟା କରିବା ତାହାଲେ ନିରାଶ ହେବା ଛଡ଼ା ଆଉ କିଛି ଫାଇଦା ପାଇବା ନାହିଁ । ଏମିତିକି ଧାରଣ ରହିଛି ଯେ, ଏଠାକାର ଗରମ ଜଳବାୟୁ ସେହି ସବୁ ଚାଷ ବାସ ପାଇଁ ଉପଯୁକ୍ତ ନୁହେଁ ।

ତେବେ ଏଭଳି ମାନସିକତା ରଖୁଥିବା ଚାଷୀଙ୍କ ମନ ବଳ ବଢ଼ାଇବା ସହ ପୁରା ଦେଶବାସୀଙ୍କ ମାନସିକତାକୁ ପରିବର୍ତ୍ତନ କରିଛନ୍ତି ଭଦ୍ରକ ବାସୁଦେବପୁରର ଜଣେ ଚାଷୀ । ଓଡ଼ିଶା ମାଟିରେ ପାଣି ପବନରେ ଫଳାଇଛନ୍ତି, କାଶ୍ମୀର ରେଡ ବେରୀ । ଯୁଗ ବଦଳିବା ସଙ୍ଗେ ସଙ୍ଗେ ବଦଳିଛି ଚାଷ କରିବାର ଜ୍ଞାନ କୌଶଳ । କାଶ୍ମୀରର ନାମିଦାମୀ ଫଳ ଚାଷ ଏବେ ଗାଁ ମାଟିରେ ବି ହେଉଛି ବୋଲି ସେ ପ୍ରମାଣ କରି ଦେଖାଇଛନ୍ତି । କଠିନ ପରିଶ୍ରମ ବଳରେ ନିଜ ଫାର୍ମରେ ସେ କାଶ୍ମୀର ରେଡ ବେରୀ ଚାଷ କରି ସଫଳ ମଧ୍ୟ ହୋଇଛନ୍ତି । ସେ ହେଉଛନ୍ତି ଭଦ୍ରକ ଜିଲ୍ଲାର ଜଣେ ଜଣାଶୁଣା ଚାଷୀ ଉପେନ୍ଦ୍ର ବିଶ୍ୱାଳ । କେବଳ ସେତିକି ନୁହଁ ଅନ୍ୟ ଫଳ ଚାଷ ସହିତ ମାଛ, ପନିପରିବା, କୁକୁଡା ମଧ୍ୟ ଚାଷ କରି ସେ ନିଜକୁ ସ୍ୱାବଲମ୍ବୀ କରାଇଛନ୍ତି ।

ସେ ବାସ୍ତବରେ ଜଣେ ଉଚ୍ଚ ଶିକ୍ଷିତ । ତାଙ୍କ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ସେ କୌଣସି ଏକ ଚାକରି କରି ପେଟ ପୋଷି ପାରିଥାନ୍ତେ । କିନ୍ତୁ ସେ ଚାକିରି ପଛରେ ନଗୋଡ଼ାଇ ଚାଷ କାର୍ଯ୍ୟରେ ମନ ବଳାଇଥିଲେ । ଆଉ ଏବେ ସେହି ଚାଷରୁ ହିଁ ଭଲ ଦୁଇ ପଇସା ରୋଜଗାର କରିବା ସହ ପରିବାର ଚଳାଉଛନ୍ତି ଏବଂ ସ୍ଥାନୀୟ ଅଞ୍ଚଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏମିତିକି ଚାଷ କାର୍ଯ୍ୟରୁ ସେ ନିଜେ ରୋଜଗାର କରିବା ସହ ଅନେକଙ୍କୁ ରୋଜଗାର ମଧ୍ୟ ଦେଇଛନ୍ତି ।

ଭଦ୍ରକ ବାସୁଦେବପୁର ବ୍ଲକ ବାସୁଦେବପୁର ଆରୁହା ପଞ୍ଚାୟତ ତୁଳମତୁଳା ଗାଁର ଉଚ୍ଚ ଶିକ୍ଷିତ ଯୁବକ ଉପେନ୍ଦ୍ର ବିଶ୍ୱାଳ । ୧୯୯୭ରେ ଇତିହାସରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ଅଧ୍ୟାପକ ହେବା ପାଇଁ ସୁଯୋଗ ମଧ୍ୟ ପାଇଥିଲେ । ହେଲେ ଏହି ଅଧ୍ୟାପକ ଚାକିରି ପାଇଁ ହାତଗୁଞ୍ଜା ଦେବାକୁ ତାଙ୍କୁ କୁହାଯାଇଥିଲା । ହେଲେ ସ୍ୱାଭିମାନୀ ଉପେନ୍ଦ୍ର ତାହା କରିନଥିଲେ । ସେ ଚାକିରି ମୋହ ଛାଡି ଘରକୁ ଫେରି ଆସିଥିଲେ । ଘରେ କିଛିଦିନ ବସିବା ପରେ ନିଜେ ସ୍ୱାଧୀନ ଭାବେ କିଛି କରିବାକୁ ନିଷ୍ପତ୍ତି ନେଇଥିଲେ ।

ପ୍ରଥମେ ସରକାରୀ ପୋଖରୀକୁ ଲିଜ ସୁତ୍ରରେ ନେଇ ମାଛ ଚାଷ ଆରମ୍ଭ କରିଥିଲେ । ୨୦୦୫ ମସିହାରେ ସ୍ଥାନୀୟ ଏକ ଟ୍ରଷ୍ଟ ଅଧୀନରେ ଥିବା ୭ ଏକର ଜମିକୁ ଲିଜରେ ନେଇଥିଲେ । ଆଉ ଏହି ଜମିରେ ମାଛ, ପନି ପରିବା, ହଳଦୀ, କୁକୁଡା ଓ ଗାଈ ଚାଷ ଆରମ୍ଭ କଲେ । ଏଥିରୁ ଭଲ ଲାଭ ପାଇବା ସହ ଆଉ କିଛି ନୂଆ ଚାଷ କରିବାର ଯୋଜନା କଲେ ।

ଦିନେ ଉପେନ୍ଦ୍ରଙ୍କ ସ୍ତ୍ରୀ ପ୍ରଜ୍ଞା ଫେସବୁକରୁ କାଶ୍ମୀର ରେଡ ଆପଲ ବେରୀ ଫଳଚାଷ ଦେଖି ଆଗ୍ରହ ପ୍ରକାଶ କରିଥିଲେ । ଆଉ ଏ ସମ୍ପର୍କରେ ତାଙ୍କ ସ୍ୱାମୀ ଉପେନ୍ଦ୍ରଙ୍କୁ କହିଥିଲେ । ଉଭୟେ ସ୍ୱାମୀ ସ୍ତ୍ରୀ ମିଳିତ ଭାବେ ଏହି ନିଆରା ବରକୋଳିକୁ ଚାଷ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ରେଡ ବେରୀ ଚାଷ ସମ୍ପର୍କରେ ୟୁଟ୍ୟୁବରୁ ଆହୁରି ଅଧିକ ଦେଖି ନିଜେ ଫଳ ଚାଷ କରିବାକୁ ଯୋଜନା କରିଥିଲେ । କୋଲକାତା ଯାଇ ୪ଟି କିସମର ୨୦୦ ଚାରା ସଂଗ୍ରହ କରିଥିଲେ । ନିଜ କ୍ଷେତରେ ଏହି ରେଡ ବେରୀ ଚାରା ଲଗାଇଥିଲେ । ଗତ ଏପ୍ରିଲ ୨୨ ରେ ଚାରା ଲାଗାଇଥିଲେ ।

ବିନା ସାରରେ କେବଳ ଜୈବିକ ପଦ୍ଧତିରେ ଚାଷ କରାଯାଇଥିବା ଏହି ଗଛରେ ଜୁଲାଇରେ ଫୁଲ ଆସିଥିଲା । ଆଉ ଡିସେମ୍ବରରେ ସବୁ ଗଛରେ ଫଳ ଭର୍ତ୍ତି ହୋଇଥିଲା । ଏହି ସୁଆଦିଆ କୋଳିର ବଜାରରେ ଚାହିଦା ମଧ୍ୟ ରହିଛି । ଏହାକୁ ୧୦୦ଟଙ୍କା କିଲୋ ପ୍ରତି ବିକ୍ରି କରନ୍ତି ଉପେନ୍ଦ୍ର । କାଶ୍ମୀର କୋଳି ଚାଷ ଦେଖିବାକୁ ଉପେନ୍ଦ୍ରଙ୍କ ଫାର୍ମରେ ଦେଖଣାହାରୀଙ୍କ ଭିଡ଼ ମଧ୍ୟ ଜମୁଛି ।

ଉଚ୍ଚ ଶିକ୍ଷକ ଯୁବକ ଉପେନ୍ଦ୍ର ଚାଷକୁ ନିଶା କରି ରୋଜଗାର କରୁଥିବା ବେଳେ ଏଥିରେ ନିୟୋଜିତ କେତେକ ପରିବାରକୁ ମୂଲ ମଜୁରୀ ଦେଇ ସାହାରା ଯୋଗାଇଛନ୍ତି । ଚାକିରି ଛାଡି ସ୍ୱାଭିମାନର ସହ ବଞ୍ଚିବାକୁ ନିଷ୍ପତ୍ତି ନେଇଥିବା ଉପେନ୍ଦ୍ର ଚାଷରୁ ପାଇଛନ୍ତି ରୋଜଗାର ସହ ପ୍ରଶଂସା ।