• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଋଷିଆ ସେନାଙ୍କୁ କଡ଼ା ଟକ୍କର ଦେଉଛି ୟୁକ୍ରେନ୍‌ । ସେନା ଠାରୁ ଆରମ୍ଭ କରି ନିଜେ ରାଷ୍ଟ୍ରପତି ତଥା ଦେଶର ଆବାଳ ବୃଦ୍ଧ ବନିତା ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଦେଶକୁ ବଞ୍ଚାଇବା ପାଇଁ ଆପ୍ରାଣ ଉଦ୍ୟମ କରାଯାଉଛି । ଆଉ ଯୁଦ୍ଧ ବିଭୀଷିକା ମଧ୍ୟରେ ଜଣେ ୟୁକ୍ରେନ ମହିଳା ସାଂସଦ ମଧ୍ୟ ହାତରେ ଅସ୍ତ୍ର ଉଠାଇ ନେଇଛନ୍ତି । ଦେଶରେ ହେଉଥିବା ରକ୍ତପାତ ତାଙ୍କୁ ସହ୍ୟ ହେଉନି । ଲୋକଙ୍କ ଭୀତତ୍ରସ୍ତ ଚେହେରା, କରୁଣ କାନ୍ଦଣା ତାଙ୍କୁ ଶୁଆଇ ଦେଉନି । ଦେଶବାସୀଙ୍କ ଏପରି ଅବସ୍ଥା ଦେଖି ରକ୍ତ ଟକ୍‌ ମକ୍‌ ହୋଇ ଫୁଟୁଛି । ଦେଶ ତଥା ଦେଶବାସୀଙ୍କ କଥା ଚିନ୍ତା କଲାବେଳକୁ ଆସିଯାଉଛି ସିଂହ ବିକ୍ରମ ବଳ । ଋଷୀୟ ସୈନିକଙ୍କ ମୁଣ୍ଡ ଗଡ଼ାଇ ଦେବାକୁ ଇଚ୍ଛା ହେଉଛି । ପୁଟିନ୍‌ଙ୍କୁ ଶାସ୍ତି ଦେବା ପାଇଁ ପାଇଁ ସେ ବନ୍ଧୁକ ଧରିଛନ୍ତି ।

ୟୁକ୍ରେନୀୟ ମହିଳା ସାଂସଦଙ୍କ କିରା ରୁଡିକ୍ । ବନ୍ଧୁକ ଧରି ସେ ତାଙ୍କ ନିଜର ଏକ ଫଟୋ ଟ୍ୱିଟ୍ କରି କହିଛନ୍ତି । ଏହାର ଚିତ୍ର ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଋଷ ପାଇଁ ବନ୍ଧୁକ ଚଳାଇବା ଶିଖୁଛି ବୋଲି ସେ ଲେଖିଛନ୍ତି । ଏବେ ୟୁକ୍ରେନବାସୀଙ୍କ ପାଇଁ ଅସ୍ତ୍ରଶସ୍ତ୍ର ଉଠାଇବା ଜରୁରୀ ହୋଇପଡ଼ିଛି । ବନ୍ଧୁକ ଚାଳନା ଶିଖିବା ତାଙ୍କ ପାଇଁ ସ୍ୱପ୍ନ ପରି । କିଛି ଦିନ ପୂର୍ବରୁ ସେ ବନ୍ଧୁକ ଉଠାଇବା ସମ୍ପର୍କରେ ଭାବି ନଥିଲେ । କିନ୍ତୁ ବର୍ତ୍ତମାନ ୟୁକ୍ରେନର ମହିଳାମାନେ ମଧ୍ୟ ପୁରୁଷଙ୍କ ପରି ନିଜ ଜମିକୁ ରକ୍ଷା କରିବାକୁ ପଣ କରିଛନ୍ତି ।

ଇଣ୍ଟରନେଟରେ ତାଙ୍କ ଫଟୋ ଭାଇରାଲ ହେବା ପରେ କିରା ଏକ ସାକ୍ଷାତକାରରେ କହିଛନ୍ତି, 'ମୁଁ କେବେ ଭାବି ନଥିଲି ମୋତେ ଦିନେ ଅସ୍ତ୍ର ଉଠାଇବାକୁ ପଡିବ । ଆମେ ଓ ଋଷୀୟ ସୈନିକ ଅସ୍ତ୍ରଶସ୍ତ୍ର ଉଠାଇବା ଭିତରେ ଅନେକ ତଫାତ୍ ରହିଛି । ଅନ୍ୟ ଦେଶକୁ ଅଧିକାର କରିବାକୁ କିମ୍ବା ପ୍ରଭୂତ୍ୱ ଜାହିର କରିବାକୁ ୟୁକ୍ରେନ୍‌ବାସୀ ହତିଆର ଉଠାଉ ନାହାନ୍ତି । ଦେଶର ସୁରକ୍ଷା ତଥା ମାନ ରଖିବା ପାଇଁ ରଣାଙ୍ଗନକୁ ଆସିବାକୁ ପଡ଼ୁଛି । ଏହା ଆମ ପାଇଁ ସ୍ୱାଭିମାନର ଯୁଦ୍ଧ ।

ଯୁଦ୍ଧ ଆରମ୍ଭ ହୋଇନଥିଲେ ଏପରି କରିବାକୁ ପଡ଼ିନଥାନ୍ତା । ଯୁଦ୍ଧର ପ୍ରଥମ ଦିନର ଅନୁଭୂତି ବଖାଣିଛନ୍ତି କିରା । ସକାଳ ପାଞ୍ଚଟା ସମୟରେ ଉଠିବା ବେଳକୁ ଘନ ଘନ ବିସ୍ଫୋରଣ ଶଦ୍ଦ ଶୁଣିବାକୁ ମିଳିଲା । ଉଠିବା ପୂର୍ବରୁ ପୁଟିନ୍‌ ଯୁଦ୍ଧ ଘୋଷଣା କରିସାରିଥିଲେ । ଦିନର ସୂର୍ଯ୍ୟ ଉଇଁବା ପୂର୍ବରୁ ଆକାଶରୁ ପଡ଼ୁଥିଲା ମୃତ୍ୟୁ । ଭୟଭୀତ ହୋଇ ସମସ୍ତେ ଲୁଚିବାକୁ ଚେଷ୍ଟା କରୁଥିଲେ ।

ହେଲେ ଏବେ ଘର କୋଣରେ ବସିବା ଅପେକ୍ଷା ଅବଳା ଦୁର୍ବଳା ନହୋଇ ହତିଆର ଉଠାଇବା ଶ୍ରେୟଷ୍କର ବୋଲି କହିଛନ୍ତି । ଦୁଃଖ, ଗ୍ଲାନି ଓ ଭୟ ଭିତରେ ନୁହେଁ ଦେଶ ପାଇଁ ଜାତି ପାଇଁ ମାଟି ପାଇଁ ଜୀବନ ଦେବା ଭଲ । ଏହା ବ୍ୟତୀତ ୟୁକ୍ରେନ୍‌ବାସୀଙ୍କ ନିକଟରେ କୌଣସି ଚାରା ନାହିଁ । ୟୁକ୍ରେନ୍‌ର ସମସ୍ତ ନାଗରିକ ଏବେ ଋଷ ବିରୋଧରେ ଯୁଦ୍ଧ ଲଢ଼ିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି ।