• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବହୁ ବିରୋଧ ଆଉ ବିବାଦ ପରେ ରାଜଧାନୀରେ ଏମଏଲଏ କଲୋନୀ ଠାରେ ଗଛ ବଳି ନିଷ୍ପତ୍ତିରୁ ଓହରିଲେ ସରକାର । ହେଲେ ଏବେ ସେମିତି ଆଉ ଏକ ନିଷ୍ପତ୍ତିକୁ ନେଇ ଚିନ୍ତାରେ ରାଜଧାନୀବାସୀ । ଫାୟାର ଷ୍ଟେସନ ଛକରୁ ମୁଣ୍ଡା ସାହି ଛକ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତ କରିବାକୁ ପ୍ରାୟ ୨ ଶହ ଗଛ କାଟିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।

ପୁଣି ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେଉଁ ଜମିରୁ ଏଗଛ କଟାଯିବ ସେସବୁ ଜମିର କିସମ ହେଉଛି ଜଙ୍ଗଲ । ଆଉ ନିୟମ କହୁଛି ଜଙ୍ଗଲ ଜମିରୁ ଗଛ କଟାଯାଇ ପାରିବ ନାହିଁ । ତେବେ ଡିଏଫଓଙ୍କ କହିବା କଥା ଗଛ କଟିବା ନେଇ ଆରଏଣ୍ଡବି ଆବେଦନ କରିଥିଲେ । ତେଣୁ ସେନେଇ ବିଚାର ଚାଲିଛି ।

ଫାୟାର ଷ୍ଟେସନରୁ ମୁଣ୍ଡା ସାହି ଛକ, ରାସ୍ତା କଡ଼ରେ ରହିବନି ଗୋଟିଏ ବି ଗଛ । ଏମିତି ନିଷ୍ପତ୍ତି ନେଇଛି ଆର୍‌ଆଣ୍ଡବି । ପ୍ରାୟ ୧୮୫ ଗଛ କାଟିବା ପାଇଁ ପରିବେଶ ବିଭାଗର ଅନୁମତି ପାଇଁ ଆବେଦନ ବି କରିଛି । ଖାଲି ଆବେଦନ କରିନି କାଟିବା ନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଦେଇଛି । ଗଛ କାଟିବା ପାଇଁ ପ୍ରତ୍ୟେକ ଗଛକୁ ନମ୍ବରିଂ କରିଛି । ଅଧିକାଂଶ ଗଛ ସିଆରପିଏଫ କ୍ୟାମ୍ପସକୁ ଲାଗି ରହିଛି । ଫାୟାର ଷ୍ଟେସନରୁ ମୁଣ୍ଡା ସାହି ଛକ ପର୍ଟ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ ପାଇଁ ଏମିତି ନିଷ୍ପତ୍ତି ନିଆଯାଇଛି । ଯାହାକୁ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା ଏବଂ ଗଛ ତଳେ ବର୍ଷ ବର୍ଷ ଧରି ଜୀବିକା ନିର୍ବାହ କରୁଥିବା ଉଠା ଦୋକାନୀ । ଗଛ କାଟିବା ପୂର୍ବରୁ ଉଠାଦୋକାନୀଙ୍କୁ ସ୍ଥାୟୀ ଦୋକାନ ଦେବାକୁ ଦା‍ବି ହୋଇଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା ସରକାର ଏହି ଗଛ ଗୁଡିକୁ ନକାଟି ସ୍ଥାନାନ୍ତର କରନ୍ତୁ ।

ତେବେ ବଡ କଥା ହେଲା ଗଛ କାଟିବାକୁ ଥିବା ଏହି ସବୁ ଜମି ଗୁଡିକର କିସମ ରହିଛି ଜଙ୍ଗଲ । ତଥ୍ୟ ଅନୁସାରେ ପାଇକନଗର ମୌଜାରେ ଖାତା ନଂ ୧୮୬ର ଏହି ଜମି ଗୁଡିକର ମାଲିକାନା ରହିଛି ଜିଏ ପାଖରେ । ହେଲେ ପ୍ଲଟ ନଂ ୩୧୮, ୩୨୧ର କିସମ ଜଙ୍ଗଲ ଥିବା ବେଳେ ପ୍ଲଟ ନଂ ୧୪ ଏବଂ ୧୫ର କିସମ ରହିଛି ଜଙ୍ଗଲ । ଆଉ ସରକାରୀ ନିୟମ ଅନୁସାରେ ଜଙ୍ଗଲ ଜମିରୁ ଗଛ କଟାଯାଇ ପାରିବ ନାହିଁ । ତେଣୁ ପ୍ରଥମେ ଏସବୁର କିସମ ପରିବର୍ତ୍ତନ କରିବା ପରେ ଗଛ କଟାଯାଇ ପାରିବ । ହେଲେ କିସମ ପରିବର୍ତ୍ତନ ନେଇ କୌଣସି ଆବେଦନ ହୋଇନାହିଁ । ତେଣୁ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ଏନେଇ ଉଦବେଗ ପ୍ରକାଶ କରିବା ସହ ଏମଏଲଏ କଲୋନୀ ପରି ଏଠି ମଧ୍ୟ କୌଣସି ମତେ ଗଛ କାଟିବାକୁ ଦିଆଯିବନି ବୋଲି କହିଛନ୍ତି । ତେବେ ଏନେଇ ଆରଏଣ୍ଡବିର ଆବେଦନକୁ ଅନୁମତି ଦିଆଯାଇନାହିଁ । ସେନେଇ ବିଚାର ବିମର୍ଶ ଚାଲିଥିବା କହିଛନ୍ତି ଚନ୍ଦକା ଡିଏଫଓ । 

ଏବେ ପ୍ରଶ୍ନ ଛଠୁଛି ଅନୁମତି ପୂର୍ବରୁ କେମିତି ଗଛ ଗୁଡିକୁ କାଟିବା ପାଇଁ ନମ୍ବରିଂ କରାଗଲା । ତେବେ ସିଆରପିରୁ ଭିଆଇପି କଲୋନୀ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ ବେଳେ ମଧ୍ୟ ଏମିତି ଶତାଧିକ ଗଛ କାଟିବାକୁ ନିଷ୍ପତ୍ତି ନେଇଥିଲେ ସରକାର । ହେଲେ ଏକ ପିଆଇଏଲ ମାଧ୍ୟମରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାସ୍ତା ପ୍ରଶସ୍ତିକରଣ ୧ ମିଟର କମିଥିଲା ଯାହାଫଳରେ ଅନେକ ଗଛ ବର୍ତ୍ତି ଯାଇଥିଲା ।