ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷ ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କର। ସେ ହିନ୍ଦୁ ହେଉ କି ମୁସଲମାନ, ସେ ବୌଦ୍ଧ ହେଉ କି ଖ୍ରୀଷ୍ଟିଆନ୍ ମହାପ୍ରଭୁଙ୍କୁ ଯିଏ ବି ଭକ୍ତିର ସହ ଡାକିଛି ସେ ତା’ର ହୋଇଛନ୍ତି। ସେଥିପାଇଁ ଗାଁଗହଳିରେ ଏକ ଢଗ ଅଛି, ‘ବାଳିଆ ମାଛର କାତି ନାହିଁ, ପୁରୀ ମନ୍ଦିରରେ ଜାତି ନାହିଁ’। ଏହି କଥା ଏବେ ଅଫ୍ତାବ୍ ହୁସେନ୍ଙ୍କ କ୍ଷେତ୍ରରେ ସତ ବୋଲି ପ୍ରମାଣିତ ହୋଇଛି।
ସେ ହେଲେ ଏ ଯୁଗର ଭକ୍ତ ସାଲବେଗ। ଶ୍ରୀଜଗନ୍ନାଥଙ୍କ ମୁସଲିମ୍ ଭକ୍ତ, ନୟାଗଡ଼ ଇଟାମାଟିର ଅଫ୍ତାବ୍ ହୁସେନ୍। କଲେଜ ଛାତ୍ର ଅଫ୍ତାବ୍ ପାଠ ପଢିବା ସାଙ୍ଗକୁ ମହାପ୍ରଭୁଙ୍କ ନିତ୍ୟ ନୈମିତ ସେବାରେ ନିମଗ୍ନ। ଖାଲି ସେବା ନୁହେଁ ବରଂ ଅବସର ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ଗଢିବାରେ ମଧ୍ୟ ନିଜକୁ ବ୍ୟସ୍ତ କରିଦିଅନ୍ତି ସେ।
ଗତ ମହାମାରୀ ସମୟରେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଫତାବ। ଏଥିପାଇଁ ଜଗନ୍ନାଥଙ୍କ ଭକ୍ତଙ୍କ ଠାରୁ ଆରମ୍ଭ କରି ଗଜପତି ମହାରାଜଙ୍କ ପର୍ଯ୍ୟନ୍ତ ସମସ୍ତେ ଅଫ୍ତାବ୍ଙ୍କୁ ପ୍ରଶଂସା କରିଥିଲେ। ତେବେ ଆସନ୍ତୁ ଜାଣିବା ଶୁଣିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ଅଫତାବଙ୍କ କ’ଣ ରହିଛି ଅନୁଭୂତି।
- ମହାପ୍ରଭୁ ଆମର। ସେ କେବଳ ମୋ ସହ ନିବିଡ ନୁହନ୍ତି, ସବୁ ଓଡିଆଙ୍କ ସହ ନିବିଡ। ଆମେ ଯଦି ତାଙ୍କୁ ଧରିପାରିବା ନାହିଁ, ତାଙ୍କ ଭକ୍ତିରସରେ ପ୍ରବାହିତ ହୋଇ ପାରିବା ନାହିଁ ତେବେ ମହାପ୍ରଭୁ କିଛି କରିପାରିବେ ନାହିଁ। ତେଣୁ ପ୍ରତି ଓଡିଆଙ୍କ କର୍ତ୍ତବ୍ୟ ହେଉଛି ମହାପ୍ରଭୁଙ୍କୁ ନିଜ ପ୍ରାଣ ଭିତରେ ସାଇତି ରଖିବା।
- ମହାପ୍ରଭୁ ମୋ ସହିତ ସବୁବେଳେ ଅଛନ୍ତି। ତାଙ୍କୁ ଯେତେବେଳେ, ଯେଉଁଭଳି ଭାବେ, ଯେଉଁ ଅବସ୍ଥାରେ ଡାକିଲେ ବି ସେ ଶୁଣନ୍ତି। ଏହା ମୋର ନିଜସ୍ୱ ଅନୁଭୂତି। ତେଣୁ ତାଙ୍କୁ ଆମେ କାଠ, ପଥର ଭାବିବା ନିହାତି ଭାବେ ଏକ ମୁର୍ଖାମୀ। ଯାହା ପାଖରେ କୋଟି କୋଟି ଜନତାଙ୍କ ମନନିବେଶ ହୋଇଛି ସେ କେବେବି କଠ ପଥର ହୋଇ ନପାରେ। କେବଳ ଓଡିଶା ନୁହେଁ ଏ ବ୍ରହ୍ମାଣ୍ଡର ସଚରାଚର ଜଗତକୁ ସେ ହିଁ ଚଳଉଛନ୍ତି। ସେ ମଧ୍ୟରୁ ମୁଁ ଜଣେ।
- ମହାପ୍ରଭୁଙ୍କୁ ଆମେ କେବଳ ଭାବରେ ଓ ଭକ୍ତିରେ ଦେଖିଥାଉ। ଜଣେ ଯେତେବେଳେ ତାଙ୍କ ପାଖରେ ସଂପୂର୍ଣ୍ଣ ସମର୍ପିତ ହୋଇଯାଏ, ତା ପାଖରେ ଭକ୍ତି ଥାଉ କି ନଥାଉ, ତା ପାଖରେ ଜ୍ଞାନ ଥାଉ କି ନ ଥାଉ। ତା ଜଣାତରେ ହେଉ କି ଅଜାଣରେ ହେଉ ମହାପ୍ରଭୁ ଆସି ଠିଆ ହୋଇଥାନ୍ତି। ଭକ୍ତ ଭଗବାନ ଏକ ମିଳନ। ଜଣେ ଜଣଙ୍କ ବିନା ଅଧୁରା। ଯିଏ ସମର୍ପିତ ହୋଇଯିବ ସେ ନିଜକୁ ବୁଝିଯିବ ଆଉ ନିଜକୁ ବୁଝିଗଲେ ମହାପ୍ରଭୁଙ୍କୁ ବୁଝିଯିବ।
ମହାପ୍ରଭୁଙ୍କ ବିଷୟରେ ଅଫ୍ତାବ୍ ହୁସେନ୍ଙ୍କ ମୁହଁରୁ ଆହୁରି ଅଧିକ ଜାଣିବାକୁ ଚାହୁଁଥିଲେ ଏହି ଭିଡିଓ ଦେଖନ୍ତୁ।