• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଇଣ୍ଟର୍‌ନେଟ୍ ଆମ ଦୁନିଆକୁ ବହୁତ ଶୀଘ୍ର ବଦଳାଇ ଦେଇଛି, ଏହା ଲୋକଙ୍କ ଦୈନନ୍ଦିନ ଜୀବନରେ ସବୁଠାରୁ ବଡ ପ୍ରଭାବ ପକାଇଛି। ପୂର୍ବରୁ ଯେଉଁ କାମ କରିବା ପାଇଁ ଘଣ୍ଟା ଘଣ୍ଟା ଦେବାକୁ ପଡୁଥିଲା, ଏବେ ସେସବୁ କେଇ ମିନିଟ୍‌ରେ ଫୋନ ଦ୍ୱାରା ବି ହୋଇଯାଉଛି। ଏହି ଉପାୟରେ, ଆପଣ ନିଶ୍ଚିତ ଭାବରେ ଅନେକ ଭିକାରୀଙ୍କୁ ରାସ୍ତା କଡ଼ରେ କିମ୍ବା ବସ୍‌ଷ୍ଟାଣ୍ଡ୍‌ ଏବଂ ରେଳ ଷ୍ଟେସନ୍‌ରେ ଭିକ ମାଗୁଥିବାର ଦେଖିଥିବେ। ଯେତେବେଳେ ଏହି ଭିକାରୀମାନେ ଭିକ ମାଗନ୍ତି, ଆମେ ସବୁବେଳେ ସେମାନଙ୍କୁ ପଇସା ନ ଦେବା ବାହାନାରେ ପାଖରେ ଖୁଚୁରା ନାହିଁ ବୋଲି କହିଦେଇ ଖସି ଯାଇଥାଉ। କିନ୍ତୁ ଏବେ ଜଣେ ଭିକାରୀ ଦେଶରେ ଚର୍ଚ୍ଚାର ବିଷୟ ହୋଇଛି, କାରଣ ଏହି ବାହାନା ତାଙ୍କ ସାମ୍ନାରେ କୌଣସି କାମ ଦେଉନି।

ଆମେ କହୁଛୁ ଜଣେ ଡିଜିଟାଲ ଭିକାରୀ କଥା। ଆଜିର ଏହି ଡିଜିଟାଲ୍ ଟେକ୍ନୋଲୋଜୀ ଯୁଗରେ ଜଣେ ଭିକାରୀ ବି ପଛରେ ପଡିନି। ସେ ବି ଏହାର ଫାଇଦା ନେଇ ହାଇ-ଟେକ୍ ହୋଇପାରିଛି। ସୋସିଆଲ୍ ମିଡିଆରେ ଶେୟାର ହୋଇଥିବା ଏକ ଭିଡିଓରେ ଦେଖାଯାଏ ଯେ ଜଣେ ଭିକାରୀ ଡିଜିଟାଲ୍ ଉପାୟରେ ଭିକ ମାଗି ନିଜ ଗୁଜୁରାଣ ମେଣ୍ଟାଉଛି।

ବର୍ତ୍ତମାନ ଏହା ଶୁଣିଲା ପରେ ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥାଇପାରେ, କିନ୍ତୁ ଛିଣ୍ଡ୍‌ୱାରାରେ ଜଣେ ବ୍ୟକ୍ତି ଡିଜିଟାଲ୍ ଟେକ୍ନୋଲୋଜୀରେ ଭିକ ମାଗି ଜୀବନ ଅତିବାହିତ କରୁଛନ୍ତି। ଛିଣ୍ଡ୍‌ୱାରା ସହରର ରାସ୍ତାରେ ହେମନ୍ତ ସୂର୍ଯ୍ୟବଂଶୀ ନାମକ ଜଣେ ବ୍ୟକ୍ତି ତାଙ୍କ ହାତରେ ଡିଜିଟାଲ୍ କାରବାରର ବାର୍ କୋଡ୍ ନେଇ ଭିକ୍ଷା ମାଗି ରୋଜଗାର କରୁଛନ୍ତି।

ଆପଣ ଏହା ମଧ୍ୟ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେ ଯେତେବେଳେ ଟଙ୍କା ମାଗୁଥିବା ବ୍ୟକ୍ତିଙ୍କ ପାଖରେ ପହଞ୍ଚୁଛନ୍ତି ଆଉ ଯଦି ସାମ୍ନାରେ ଥିବା ବ୍ୟକ୍ତି ଖୁଚୁରା ନାହିଁ ବୋଲି କହି ବାହାନା କରିବା ଆରମ୍ଭ କରନ୍ତି, ତେବେ ସେ ତୁରନ୍ତ ତାଙ୍କର ଡିଜିଟାଲ୍ ବାର୍ କୋଡ୍ ଦେଖାଇ ଟଙ୍କା ପଠାଇ ଦେବାକୁ କୁହନ୍ତି।

ହେମନ୍ତଙ୍କ ଭିକ୍ଷା ମାଗିବା ଷ୍ଟାଇଲ୍ ମଧ୍ୟ ନିଆରା। ପଇସା ମାଗିବା ବେଳେ ସେ କୁହନ୍ତି ଯେ ବାବୁଜୀ ଯଦି ଆପଣଙ୍କ ପାଖରେ ଖୁଚୁରା ନାହିଁ ତେବେ ଫୋନ୍ ପେ’ କିମ୍ବା ଗୁଗୁଲ୍ ପେ’ ସହିତ ଭିକ୍ଷା ଦେଇ ଦିଅନ୍ତି। ଏହି ଭିକାରୀଙ୍କ କହିବା କଥା ଯେ ଡିଜିଟାଲ୍ ଟେକ୍ନୋଲୋଜୀ ହେତୁ ଲୋକମାନେ ସହଜରେ ବାର୍‌ କୋଡ୍ ସ୍କାନ୍ କରିପାରିବେ। ଏହିପରି, ସେ ପ୍ରାୟତଃ ଜଣଙ୍କ ପାଖରୁ ୫ ଟଙ୍କାରୁ ଅଧିକ ପାଆନ୍ତି ବୋଲି ସେ କହିଛନ୍ତି।