/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738256019.jpg)
ଟାର୍ଗେଟ୍ ଗଡ଼ୁଛି, ପ୍ରକଳ୍ପ ସରୁନି
ଶୀତ ଲେଉଟିଗଲାଣି, ଖରା ଆରମ୍ଭ ହୋଇଗଲାଣି । ଏହା ସହ ଆରମ୍ଭ ହୋଇଗଲାଣି ପାଣି ଚିନ୍ତା । ପାନୀୟ ଜଳ ଯୋଗାଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଅନେକ ଜାଗାରେ ସମ୍ପୂର୍ଣ୍ଣ ହୋଇପାରୁନି ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ । ଟାର୍ଗେଟ୍ ପରେ ଟାର୍ଗେଟ୍ ବିତୁଛି ହେଲେ କାମ ଯେଉଁଠି ସେଇଠି ଅଟକି ରହିଛି ।
ମାଲକାନଗିରି ଜିଲ୍ଲା କୋରକୋଣ୍ଡା ବ୍ଲକ ମାରିଓ୍ୱାଡାର ମେଗା ପାନୀୟ ଜଳ ପ୍ରକଳ୍ପ । ୨୦୨୧ ଯାଇ ୨୦୨୩ ଅବଧିକୁ ୨ ବର୍ଷ ବିତିଲାଣି । ଟାର୍ଗେଟ୍ ପରେ ଟାର୍ଗେଟ୍ ଗଡୁଛି ହେଲେ କାମ ସେମିତି ଆଣ୍ଠେଇଛି । ଏଯାଏଁ ୬୦ ପ୍ରତିଶତ ବି ଶେଷ ହୋଇନି । ମଞ୍ଜୁର ହୋଇଥିବା ମୋଟ ୧୨୨ କୋଟିରୁ ଖର୍ଚ୍ଚ ହୋଇଛି ମାତ୍ର ୭୦ କୋଟି ଟଙ୍କା । ପ୍ରକଳ୍ପ ନିର୍ମାଣ କେବେ ସରିବ ଆଉ କେବେ ଲୋକ ପାଣି ପାଇବେ ତାହା କାହାକୁ ବି ଜଣାନାହିଁ ।
ଅଧିକ ପଢ଼ନ୍ତୁ: ମାନିଲା ବିଜେଡି, ଫାଇଭ-ଟି ସ୍କୁଲରେ ହୋଇଛି ଦୁର୍ନୀତି
କେବଳ ଏହି ଗୋଟିଏ ପ୍ରକଳ୍ପ ନୁହେଁ, ଜିଲ୍ଲାରେ ନିର୍ମାଣାଧୀନ ୧୦ଟି ପ୍ରକଳ୍ପର ସ୍ଥିତି ପ୍ରାୟ ସମାନ । ଆଗକୁ ଖରାଦିନେ ଆସୁଥିବାବେଳେ ଏଥର ବି ଲୋକ ଜଳ ସଂକଟରେ ଘାଣ୍ଟିହେବେ ବୋଲି ଏବେଠୁ ଜଳଜଳ ଦିଶିଲାଣି । ସେପଟେ ବିଭାଗୀୟ ଯନ୍ତ୍ରୀ କହିଛନ୍ତି ଟାର୍ଗେଟ୍ ସମୟରେ କାମ ଶେଷ କରିବାକୁ ଠିକାଦାରଙ୍କୁ ତାଗିଦ କରାଯାଇଛି ।
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ବି ସମାନ ଅବସ୍ଥା । କଚ୍ଛପ ଗତିରେ ଦଶମନ୍ତପୁର ଏବଂ ନାରାୟଣପାଟଣାରେ ମେଗା ପାନୀୟ ଜଳ ପ୍ରକଳ୍ପ କାମ । ୭୭ କୋଟି ଟଙ୍କାରେ ନିର୍ମାଣ ଚାଲିଥିବା ପ୍ରକଳ୍ପ ୨୦୨୨ରେ ଆରମ୍ଭ ହୋଇ ୨୦୨୪ ଜାନୁଆରୀରେ ଶେଷ ହେବାର ଥିଲା । କିନ୍ତୁ ଅବଧିକୁ ବର୍ଷେ ବିତିଯାଇଥିଲେ ବି ଏଯାଏଁ ମାତ୍ର ୫୦ ପ୍ରତିଶତ କାମ ହୋଇଛି । ଏପଟେ ପ୍ରକଳ୍ପ କାର୍ଯ୍ୟକାରୀ ନ ହେଉଣୁ ନିମ୍ନମାନର କାମ ହୋଇଥିବା ଚିତ୍ର ପଦାକୁ ଆସିଲାଣି । କେଉଁଠି ପାଇପ୍ ଉଠିଗଲାଣି ତ ଆଉ ଷ୍ଟାଣ୍ଡ୍ ନଷ୍ଟ ହୋଇଗଲାଣି । ଏନେଇ ସ୍ଥାନୀୟ ବିଧାୟକ ଅସନ୍ତୋଷ ପ୍ରକାଶ କରିଥିବାବେଳେ ଯନ୍ତ୍ରୀ କହିଛନ୍ତି ଖୁବଶୀଘ୍ର କାମ ଶେଷ କରାଯିବ । ଏବେ ଦେଖିବାକୁ ବାକିରହିଲା କେବେ ଏ କାମ ସରୁଛି ଆଉ କେବେ ଲୋକଙ୍କ ଜଳକଷ୍ଟ ଦୂର ହେଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)