• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

କୋଭିଡ୍ ଦାଉରୁ ଦୋଛକିରେ ଭାରତୀୟ ଅର୍ଥନୀତି ଓ ଟିକସଦାତା। ଏଭଳି ଘଡ଼ିସନ୍ଧି ସମୟରେ ଦିନକ ପରେ ଆଗତ ହେବ ସାଧାରଣ ବଜେଟ୍-୨୦୨୨। ମଙ୍ଗଳବାର ଦିନ ୧୧ଟାରେ ଖୋଲିବ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍ ପେଡ଼ି। ଏ ବଜେଟ୍‌ରୁ ଅନେକ ଆଶା ରଖିଛି ବ୍ୟକ୍ତିଗତ ଆୟକରଦାତା, ବ୍ୟବସାୟୀ ଓ ଶିଳ୍ପଜଗତ।

ସରଳ ହେବ କି ଆୟକର ସ୍ଲାବ୍? ବଢ଼ିବ କି ବ୍ୟକ୍ତିଗତ ଆୟକର ଛାଡ଼ ସୀମା? ସଞ୍ଚୟ ବୃଦ୍ଧି ଲାଗି ମିଳିବ କି ଅଧିକ ଟିକସ ରିହାତି? କୋଭିଡ୍ ପରେ ନ୍ୟୁ ନର୍ମାଲ ପାଲଟିଥିବା ୱାର୍କ ଫ୍ରମ୍ ହୋମ୍ ଲାଗି ପ୍ରଚଳନ ହେବ କି ୱାର୍କ ଫ୍ରମ୍ ହୋମ୍ ଭତ୍ତା ରିହାତି? ଏଥର ବଜେଟ୍‌ରୁ ଏମିତି କିଛି ଆଶା ରଖିଛି ଆୟକରଦାତା। କାରଣ ଦୁଇ ବର୍ଷର କୋଭିଡ୍ ଯାତନାରେ ସଞ୍ଚୟଶୂନ୍ୟ ମଧ୍ୟବିତ୍ତ ଓ ଚାକିରିଆ ଚାହାନ୍ତି, ହାତକୁ ଅଧିକ ଅର୍ଥ। ସେଥିପାଇଁ ବଜେଟ୍‌ରେ ଅର୍ଥମନ୍ତ୍ରୀ ସୀତାରମଣ ସ୍ୱତନ୍ତ୍ର ଦୃଷ୍ଟି ଦେବେ ବୋଲି ଚାହିଁ ରହିଛି ଏ ବର୍ଗ।

ଏପଟେ କୋଭିଡ୍ ମାଡ଼ରେ ଧ୍ୱସ୍ତବିଧ୍ୱସ୍ତ ପର୍ଯ୍ୟଟନ ଶିଳ୍ପ ମାଗୁଛି ସ୍ୱତନ୍ତ୍ର ପ୍ୟାକେଜ୍‌। ସେମାନଙ୍କୁ ଦରକାର, ୨ ବର୍ଷର ସୁଧବିହୀନ ସଫ୍ଟ ଲୋନ୍ ସହ ପୁରୁଣା ଋଣ ଲାଗି ପୁନର୍ଗଠନ ସ୍କିମ୍। ଶିଳ୍ପଜଗତର ଆଶା, ବ୍ୟବସାୟର ସରଳୀକରଣ ଏମ୍ଏସ୍ଏମ୍ଇ ଓ ଷ୍ଟାର୍ଟଅପ୍‌କୁ ଅଧିକ ପାଣ୍ଠିର ଆବଶ୍ୟକତା ରହିଛି।

ବିଶେଷଜ୍ଞଙ୍କ ମତ ଅନୁସାରେ କୋଭିଡ୍ ସହ ଦରଦାମ ବୃଦ୍ଧି ଯୋଗୁଁ ବେଶ୍ ଆହ୍ୱାନପୂର୍ଣ୍ଣ ରହିବ ୨୦୨୨-୨୩ ଆର୍ଥିକ ବର୍ଷ ବଜେଟ୍। କୋଭିଡ୍‌ରେ ସର୍ବାଧିକ ପ୍ରଭାବିତ ମଧ୍ୟବିତ୍ତ ଓ ଚାକିରିଅଆ ଗୋଷ୍ଠୀ ଟିକସଦାତାଙ୍କ ହାତକୁ ପଇସା ଦେବାକୁ ବ୍ୟବସ୍ଥା କରିଥାଇପାରନ୍ତି। କେନ୍ଦ୍ର ସରକାର ଏଥିଲାଗି ସର୍ବନିମ୍ନ ଟିକସ ଛାଡ଼ ସୀମା ଅଢ଼େଇ ଲକ୍ଷ ଟଙ୍କାରୁ ୩ ଲକ୍ଷ ଟଙ୍କାକୁ ବଢ଼ିପାରେ।

ଏହାଛଡ଼ା ଷ୍ଟାଣ୍ଡାର୍ଡ ଡିଡକ୍ସନ୍ ସହ ପେନ୍ସନ୍ ସ୍କିମ୍, ସାମାଜିକ ନିରାପତ୍ତା ସ୍କିମ୍ ଓ ଗୃହଋଣ ଆଦିରେ ଟିକସ ରିହାତି ବଢ଼ିପାରେ। ସେହିଭଳି ଏବେ ଆୟକର ନେଇ ୧୦ଟି ଟିକସ ସ୍ଲାବ ଥିବାରୁ ଏହାର ସରଳୀକରଣ କରିପାରନ୍ତି ସରକାର। ଏହାଛଡ଼ା ପେଟ୍ରୋଲ୍‌, ଡିଜେଲ୍‌ ତାତିରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତ କରିବାକୁ କମିପାରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଟିକସ। ତେବେ କର୍ପୋରେଟ୍‌ ଟିକସ ଏବେ ୨୫% ଥିବାରୁ ଏଥିରେ କୌଣସି ପରିବର୍ତ୍ତନ ହୋଇ ନପାରେ।

ସାଧାରଣ ବଜେଟ୍‌କୁ ନେଇ ଟିକସଦାତାଙ୍କ ଠାରୁ ଆରମ୍ଭ କରି ବ୍ୟବସାୟ ଜଗତ ପର୍ଯ୍ୟନ୍ତ, ସମସ୍ତେ ଢେର୍ ଆଶାବାଦୀ ଅଛନ୍ତି। ତେବେ ସେମାନଙ୍କ ଏ ଆଶା କେତେ ପୂରଣ ହେଉଛି, ତାକୁ ହିଁ ଅପେକ୍ଷା।

ରିପୋର୍ଟ: ଦିଲ୍ଲୀରୁ ଶିବାନନ୍ଦ ରାଉତ ଓ ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନ