• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସେ ନିଜେ କଥା କହିପାରନ୍ତି ନାହିଁ । ଯାହା ପନିପରିବା ଆଣିଛନ୍ତି, ତା ନାଁ ବି କହିପାରନ୍ତି ନାହିଁ । କିନ୍ତୁ ହାତ ଠାର ଆଉ ଆ.. .. ଆ.. .. .. ଶବ୍ଦ କରି ମୋଟର ସାଇକେଲରେ ଗାଁ କୁ ଗାଁ ବୁଲି ବିଭିନ୍ନ ପରିବା ବିକ୍ରି କରିବାରେ ପାରଙ୍ଗମ । କୌଣସି ସୁସ୍ଥସବଳ ସକ୍ଷମ ଲୋକଠାରୁ କମ୍ ନୁହଁନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବଡ଼ଓସ୍ତିଆ ପଂଚାୟତ ସାଏନ୍ତା ଗାଁ ର ଦିବ୍ୟାଙ୍ଗ ଟୁକୁନା ସାହୁ ।

ଜନ୍ମରୁ ଟୁକୁନା କଥା କହିପାରନ୍ତି ନାହିଁ । କିନ୍ତୁ ନିଜକୁ କେବେ ହାର ମାନି ନାହାନ୍ତି । ପ୍ରତିଦିନ ନିଜ ମୋଟର ସାଇକେଲରେ ବିଭିନ୍ନ ପ୍ରକାର ପନିପରିବା ସାଙ୍ଗକୁ ଓଜନ କଂଟା ଧରି ବାହାରି ପଡ଼ନ୍ତି । ଆଉ ଗାଁ ଗାଁ ରେ ପହଂଚି ପନିପିବା ବିକ୍ରି କରନ୍ତି । କଥା କହିପାରୁନଥିଲେ ବି ଟୁକୁନା ହାତରେ ପରିବାର ଦାମ୍ ହାତ ଠାରି କହିଦିଅନ୍ତି । ଓଜନ କରି ଦେଇ ଦିଅନ୍ତି । ଲୋକଙ୍କ ଠାରୁ ଠିକ୍ ଠିକ୍ ପଇସା ଗଣି ନିଅନ୍ତି ଓ ଦିଅନ୍ତି ।

ନିଜେ ଦିବ୍ୟାଙ୍ଗ ହେଲେ ବି କେବେ ମନଉଣା କରନ୍ତିନି । ନିଜ ଗାଁ ଠାରୁ ଦୂର ୨୦/୩୦ କିଲୋମିଟର ଦୂର ପର୍ଯ୍ୟନ୍ତ ପଳାଶପୁର, ମତୋ, ଘଂଟେଶ୍ୱରୁ, ରାଜକନିକା ଆଦି ଅଂଚଳରେ ପରିବା ବେପାରୀ ହିସାବରେ ବେଶ୍ ନାମ ରହିଛି ଟୁକୁନାଙ୍କର । ଯଦି କେହି କେବେ ତାଙ୍କ ନାଁ ପଚାରନ୍ତି ଆଉ ଗାଁ ପଚାରନ୍ତି, ଦିବ୍ୟାଙ୍ଗ ଆଇ-କାର୍ଡ଼ ଦେଖାଇବା ସହିତ ମୋଟରସାଇକେଲ ଆଗରେ ଲେଖା ଯାଇଥିବା ନିଜ ଗାଁର ମନ୍ଦିରକୁ ଦର୍ଶାଇ ଦିଅନ୍ତି ।

କଠିନ ପରିଶ୍ରମ କରି ବେଶ୍ ଦି ପଇସା ରୋଜଗାର କରୁଛନ୍ତି ଟୁକୁନା । ନିଜକୁ ଅସହାୟ ଭାବୁଥିବା ପ୍ରତିଟି ଦିବ୍ୟାଙ୍ଗ ଓ ସାଧାରଣ ଲୋକଙ୍କ ପାଇଁ ଟୁକୁନା ଯେ ସୁନିଶ୍ଚିତ ପ୍ରେରଣା ଓ ଉଦାହରଣ ଦାୟକ କହିବା ଅତ୍ୟୁକ୍ତି ହେବ ନାହିଁ ।

ଚାନ୍ଦବାଲି, ବାସୁଦେବ ଦାସ,