• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୁହାଯାଏ ପ୍ରାକୃତିକ ସୌନ୍ଦର୍ଯ୍ୟ, ଐତିହ୍ୟ, କିର୍ତ୍ତିରାଜି ଓ ମନୋଲୋଭା ପର୍ଯ୍ୟଟନସ୍ଥଳିରେ ଭରପୁର ବୌଦ୍ଧ ଜିଲ୍ଲା । ଏହି ଜିଲ୍ଲାର କୋଣ ଅନୁକୋଣରେ ରହିଛି ମନ ମୋହିନେଲା ଭଳି ଅନେକ ସ୍ଥାନ । ଆଉ ସେଥିମଧ୍ୟମରୁ ଗୋଟିଏ ହେଲା  ଦେଢ଼ଶୂର-ଭାଇବୋହୂ ଭୀମ ପାହାଡ଼ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ ଅନ୍ତର୍ଗତ ଉମା ପଞ୍ଚାୟତ ରେଘାମୁଣ୍ଡାରେ ରହିଛି ଏହି  ଦେଢ଼ଶୂର-ଭାଇବୋହୂ ଭୀମ ପାହାଡ଼ ।

ବର୍ଷତମାମ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମେ । ପୌରାଣିକ ଗାଥା ସହ ଏହି ପାହାଡ଼ର ଅନେକ ସଂଯୋଗ ରହିଛି । ଏମିତିକି ଲୋକଙ୍କର ବିଶ୍ୱାସ ରହିଛି ଯେ, ଅଜ୍ଞାତବାସ ସମୟରେ ପାଣ୍ଡବମାନେ ଏଠାରେ ଗୁପ୍ତ ଭାବେ ଶୈବ ଉପାସନା କରୁଥିଲେ । ଆଉ ସେବେଠାରୁ ଏଠାରେ ବାବା ଗୁପ୍ତେଶ୍ୱରଙ୍କ ମନ୍ଦିର ମଧ୍ୟ ରହିଛି । ବାବା ଗୁପ୍ତେଶ୍ୱରଙ୍କ ପ୍ରତି ଲୋକଙ୍କର ଅନେକ ଆସ୍ଥା ରହିଛି । ସ୍ଥାନୀୟ ଅଞ୍ଚଳରେ ଲୋକ ତାଙ୍କୁ ନିଜର ଆରାଧ୍ୟ ବୋଲି ମାନନ୍ତି । ଖାଲି ସେତିକି ନୁହେଁ, ଶ୍ରାବଣ ଆସିଲେ ଏଠାରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ ମଧ୍ୟ ଜମେ । ବାବାଙ୍କ ପାଖରେ ଜଳ ଲାଗି କରିବାକୁ କାହିଁ କେତେ ଦୂରରୁ କାଉଡିଆମାନେ ଏଠାକୁ ଆସିଥାନ୍ତି ।

କେବଳ ଗୁପ୍ତେଶ୍ୱର ବାବାଙ୍କ ଦର୍ଶନ ନୁହେଁ । ସବୁଜ ବନାନୀ ଏବଂ ପାହାଡ଼ର ୫୦ ଫୁଟ ଉଚ୍ଚରେ ରହିଥିବା  ଦେଢ଼ଶୂର-ଭାଇବୋହୂ ପଥର ଏହି ସ୍ଥାନର ଅନ୍ୟତମ ଆକର୍ଷଣ । ଯାହାକି ଅନେକ ଐତିହାସିକ ମହତ୍ୱ ରଖେ । ଭୀମଙ୍କ ପାଦଚିହ୍ନ ଦେଇ ପର୍ଯ୍ୟଟକମାନେ ଏହି ପାହାଡ଼ ଉପରକୁ ଚଢ଼ି ସେହି  ଦେଢ଼ଶୂର-ଭାଇବୋହୂ ପଥର ଦର୍ଶନ କରିଥାନ୍ତି । ଏହାସହ ପାହାଡରେ ରହିଥିବା ଅନେକ ଐତିହାସିକ ଗୁମ୍ଫାରେ ମଧ୍ୟ ପ୍ରବେଶ କରି ନିଜର ପାପ ମୋଚନ କରଥାନ୍ତି ପର୍ଯ୍ୟଟକ ।

ବୌଦ୍ଧ ଜିଲ୍ଲାର ଇତିହାସ ଯେତିକି ପ୍ରାଚୀନ ସେତିକି ମନୋରମ ମଧ୍ୟ । ଏହାର ଐତିହ୍ୟ, ପରମ୍ପରା ଓ ଲୋକ ସଂସ୍କୃତି ମଧ୍ୟ ମହାନ । ପର୍ଯ୍ୟଟନ ଓ ପ୍ରକୃତିକ ସୌନ୍ଦର୍ଯ୍ୟକୁ ନେଇ ସମୃଦ୍ଧ ବୌଦ୍ଧ ଜିଲ୍ଲାରେ ରହିଛି ଅନେକ ନଦନଦୀ ଓ ଛୋଟବଡ଼ ପାହାଡ଼ । ତେବେ ଆପଣ ଏଠାକୁ ଥରେ ଗଲେ ଆସିବାକୁ ଇଚ୍ଛା କରିବେ ନାହିଁ । ଏମିତିକି ଥରେ ଏହି  ଦେଢ଼ଶୂର-ଭାଇବୋହୂ ପହାଡ଼କୁ ଗଲେ ଆପଣ ବାରମ୍ବାର ଯିବାକୁ ମନ କରିବେ । ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଆପଣ ଝରି ହେବେ ।