• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କେନ୍ଦୁଝର ଜିଲ୍ଲା ଗୋବର୍ଦ୍ଧନ ପଞ୍ଚାୟତ ସେଣ୍ଡକାପ ମୁଣ୍ଡୁଳି ସାହିରେ ୧୯ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୧୨ ହିତାଧିକାରୀଙ୍କ ୮ ହେର ଜମିରେ କାଜୁ ଗଛ ଲଗାଇଥିଲା । କେନ୍ଦୁଝର ଉଦ୍ୟାନ କୃଷି ବିଭାଗ ଚାରା ସିନା ଲାଗିଲା, ହେଲେ ବାଡ଼ ଓ ଜଳସେଚନ ବ୍ୟବସ୍ଥା ହେଲାନି । ଗଛ ମରି ଡାଙ୍ଗ ହୋଇଗଲାଣି । ଚାରା ଲଗାଇଥିବା ଶ୍ରମିକ ବି ମୂଲ ପାଇନଥିବା ଅଭିଯୋଗ କରିଛି ।

ଜଗତସିଂହପୁର ବାଲିକୁଦା ବ୍ଲକ୍ ଅଢଙ୍ଗା ପଞ୍ଚାୟତରେ ୨୦୨୦-୨୧ରେ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ୪ ହଜାର ୧୧୦ ନଡ଼ିଆ ଚାରା ଲଗାଯାଇଥିଲା । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଗୋଟେ ଅଧେ ଗଛକୁ ଛାଡି ଦେଲେ ଅନ୍ୟ ସବୁ ସଫା । ତେଣେ ମହାନଦୀ ଅବବାହିକାକୁ ସବୁଜ ବଳୟରେ ପରିଣତ କରିବାକୁ ସୁବର୍ଣ୍ଣପୁର ଜିଲ୍ଲାରେ ଆରମ୍ଭ ହୋଇଥିଲା ସବୁଜ ମହାନଦୀ ଯୋଜନା । ହେଲେ ଏଠି ମହାଘୋଟଲା କେବଳ କାଗଜ କଲମରେ ହୋଇଛି । ଲକ୍ଷ ଲକ୍ଷ ଗଛ ଲଗାଇ ଆତ୍ମସାତ୍ ହୋଇଛି କୋଟି କୋଟି ଟଙ୍କା ।

ଏହା କେବଳ ହାଣ୍ଡିଏ ଭାତରୁ ଗୋଟିଏ । ୨୦୧୩-୧୪ରୁ ୨୦୧୭-୧୮ ମଧ୍ୟରେ ରାଜ୍ୟରେ ୪୮୫ଟି ବୃକ୍ଷରୋପଣ କାର୍ଯ୍ୟକ୍ରମରୁ ୧୯୧ଟି ସଂପୂର୍ଣ୍ଣ ବିଫଳ ହୋଇଛି । ଏଥିପାଇଁ ୧୩ କୋଟି ୧୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ବି କିଛି ଲାଭ ମିଳିନାହିଁ । ଗଛ ଲଗାଇବା ଆଳରେ କିଭଳି ସରକାରୀ ଅର୍ଥର ହରିଲୁଟ୍ ହୋଇଛି । ଗତକାଲି ବିଧାନସଭାରେ ଉପସ୍ଥାପିତ ସିଏଜି ରିପୋର୍ଟ ତାର ଗୁମର ଖୋଲିଛି ।

 

ଏପଟେ ସହରାଞ୍ଚଳ ବୃକ୍ଷରୋପଣ ଲାଗି ଅଧିକ ମାନବ ଦିବସ ବ୍ୟବହାର କାରଣରୁ ୩୯ କୋଟି ୮୦ ଲକ୍ଷ ଟଙ୍କା ଅଯଥାରେ ଖର୍ଚ୍ଚ ହୋଇଥିବା ସିଏଜି ଦର୍ଶାଇଛନ୍ତି । ସେହିପରି ବାଡ଼ ନିର୍ମାଣ ଓ ରକ୍ଷଣାବେକ୍ଷଣ ପାଣ୍ଠିର ଅନିୟମିତ ଆବଣ୍ଟନ ଯୋଗୁ ୧୪ କୋଟି ୮୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବାକୁ ନେଇ ସିଏଜି ଆପତ୍ତି ଉଠାଇଛନ୍ତି । ତେଣେ ହାଇକୋର୍ଟଙ୍କ ଆଦେଶର ଅବମାନନା କରି ଦୁଇ ନିର୍ବାହୀ ଯନ୍ତ୍ରୀ ଠିକାଦାରଙ୍କ ହାତକୁ ଟେକି ଦେଇଛନ୍ତି ୯୦ କୋଟି ୧୨ ଲକ୍ଷ ।

ବୃକ୍ଷରୋପଣ କାର୍ଯ୍ୟକ୍ରମ ମହାଦୁର୍ନୀତି ଉପରୁ ସିଏଜି ପରଦା ହଟାଇବା ପରେ ଖଡ୍ଗହସ୍ତ କଂଗ୍ରେସ ଓ ବିଜେପି । ଦୁର୍ନୀତିରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛନ୍ତି ଉଭୟ ଦଳ । ଜବାବରେ ବିଜେଡି କହିଛି, ସିଏଜି ଯେଉଁ ପ୍ରସଙ୍ଗ ଉଠାଇଛନ୍ତି, ତାହା ବିଧି ବ୍ୟବସ୍ଥା ମଧ୍ୟରେ ଉପଯୁକ୍ତ କମିଟିରେ ଉପସ୍ଥାପିତ ହେବ ଓ ଆବଶ୍ୟକ ହେଲେ ତଦନ୍ତ କରାଯିବ ।

ପ୍ରଥମ ଥର ଲାଗି ଜଙ୍ଗଲ ଓ ପରିବେଶ ବିଭାଗର ଅଡିଟ୍ ପାଇଁ ସିଏଜି ଡ୍ରୋନ୍ ବ୍ୟବହାର କରିଥିଲେ, ଯାହା ବନ ବିଭାଗରେ ହୋଇଥିବା ମହା ଜାଲିଆତିର ପର୍ଦ୍ଦାଫାଶ କରିଛି ।