• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆତଙ୍କବାଦ ବିରୋଧୀ ଲଢ଼େଇରେ ଆମେରିକାକୁ ଆଉ ଏକ ବଡ଼ ସଫଳତା । ଆମେରିକାର ଡ୍ରୋନ୍ ଆକ୍ରମଣରେ ନିହତ ହୋଇଛି ଅଲକାଏଦା ମୁଖ୍ୟ ଆତଙ୍କବାଦୀ ଅୟମାନ ଅଲ୍ ଜୱାହିରି । ଓସାମା ବିନ୍ ଲାଡେନ୍ ପରେ ସଂଗଠନର ନେତୃତ୍ୱ ନେଉଥିଲା ଜୱାହିରି ଲାଡେନ୍ ବ୍ୟତିତ 9/11 ଆକ୍ରମଣର ଅନ୍ୟତମ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲା ଜୱାହିର ।

ଆଜିକୁ ପ୍ରାୟ ୨୧ ବର୍ଷ ଧରି ଆମେରିକା ଜୱାହିରକୁ ହତ୍ୟା କରି ଆକ୍ରମଣର ବଦଲା ନେବାକୁ ଖୋଜି ବୁଲୁଥିବା ବେଳେ ଗତ ରବିବାର ରାତିରେ ଏହି ସଫଳତା ମିଳିଥିବା ଘୋଷଣା କରିଛନ୍ତି ନିଜେ ଆମରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ । ଜଆହିରିର ମୃତ୍ୟୁ ଫଳରେ ୩୦୦୦ ପରିବାରକୁ ନ୍ୟାୟ ମିଳିଛି ବୋଲି ବାଇଡେନ୍ କହିଛନ୍ତି । ସେପଟେ କାବୁଲରେ ଡ୍ରୋନ୍ ଆକ୍ରମଣ କରି ଆମେରିକା ଦୋହା ଚୁକ୍ତିର ଉଲ୍ଲଂଘନ କରିଥିବା କହିଛି ତାଲିବାନ୍।

୨୧ ବର୍ଷ ତଳେ ଘଟିଥିବା ନିଷ୍ଠୁର ନରସଂହାରର କଡ଼ା ବଦଲା । ୨ ଦଶନ୍ଧିର ଅପେକ୍ଷା ପରେ ଆତଙ୍କୀ ମାଟିରେ ହିଁ ଶତ୍ରୁକୁ ବିନାଶ କଲା ଆମେରିକା । ୨୦୦୧ରେ ସାରା ବିଶ୍ୱରେ ଚହଳ ସୃଷ୍ଟି କରିଥିବା ୯/୧୧ ଆତଙ୍କୀ ହମଲାର ମାଷ୍ଟର୍ ମାଇଣ୍ଡ୍ ତଥା ଓସମା ବିନ୍ ଲାଡେନ୍ ପରେ ସଂଗଠନ ପରବର୍ତ୍ତୀ ମୁଖ୍ୟ ଥିବା ଅୟମାନ ଅଲ୍-ଜୱାହିରିକୁ ହତ୍ୟା କରିଛି ଆମେରିକା ।

 

ଗତ ରବିବାର ଏହି ମୋଷ୍ଟ ୱାଣ୍ଟେଡ୍ ଟେରୋରିଷ୍ଟକୁ ଅତ୍ୟାଧୁନିକ ରିପର୍ ଡ୍ରୋନ୍ ଓ ନିଞ୍ଜା ମିଜାଇଲରେ ଟାର୍ଗେଟ୍ କରିଥିଲା । ଆମେରିକା ଗୁଇନ୍ଦା ସଂସ୍ଥା CIA ଆଫଗାନିସ୍ତାନ ରାଜଧାନୀ କାବୁଲରେ ହିଁ ଏହି ଗୁପ୍ତ ଏୟାର ଷ୍ଟ୍ରାଇକ୍‌ରେ ନିହତ ହୋଇଛି ଜୱାହିର । ଏହି ଅପରେସନ୍ ସଫଳତା ସମ୍ପର୍କରେ ନିଜେ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ପ୍ରତିଶୋଧ ନେବାରେ ବିଳମ୍ବ ହେଲେ ବି ୯/୧୧ ଆକ୍ରମଣରେ ପ୍ରାଣ ହରାଇଥିବା ୩୦୦୦ ନିରୀହଙ୍କ ପରିବାରକୁ ନ୍ୟାୟ ମିଳିଥିବା କହିଛନ୍ତି ବାଇଡେନ୍ ।

ଆମେରିକା ସେନାର ସୂଚନା ଅନୁସାରେ, ଜୁଲାଇ ୩୧ ରାତିରେ ୭୧ ବର୍ଷୀୟ ଜୱାହିରି କାବୁଲସ୍ଥିତ ନିଜ ସେଫ୍ ହାଉସ୍‌ର ବାଲକୋନି ଉପରେ ବୁଲୁଥିଲା । ଏତିକି ବେଳେ ତାଙ୍କୁ ଟାର୍ଗେଟ୍ କରିଥିଲା ୨ଟି ହେଲଫାୟାର ନିଞ୍ଜା ମିଜାଇଲ । ଏଥିରେ ଘରର ବାଲକୋନି ନଷ୍ଟ ହେବା ସହ ଝରକା କାଚ ଭାଙ୍ଗିରୁଜି ଯାଇଥିଲା, ହେଲେ ଅନ୍ୟ କିଛି କ୍ଷୟକ୍ଷତି ହୋଇନଥିଲା କି ଜୱାହିର ବ୍ୟତୀତ ଆଉ କାହାରି ଅନିଷ୍ଟ ହୋଇନଥିଲା । 

ଇଜିପ୍ଟର ଗିଜାରେ ଜନ୍ମିତ ଜୱାହିରି ଏକ ଶିକ୍ଷା ସଂଭ୍ରାନ୍ତ ପରିବାରରୁ ଆସିଥିଲେ ବି ପରେ ସର୍ଜନ୍‌ରୁ ଜେହାଦି ପାଲଟି ଯାଇଥିଲା । ୯/୧୧ ଆକ୍ରମଣ ପାଇଁ ଓସମା ବିନ୍ ଲାଡେନ୍ ବିଶ୍ୱବ୍ୟାପୀ ଦୁର୍ନାମ ନେଉଥିଲେ ବି ବାସ୍ତବରେ ଜୱାହିର କିନ୍ତୁ ଏଥିପାଇଁ ଅଧିକ ଦାୟୀ ବୋଲି ଆତଙ୍କବାଦୀ ନିରୋଧୀ ବିଶେଷଜ୍ଞ ମତ ଦେଇଥିଲେ । ଏହି ଆକ୍ରମଣ ପାଇଁ ଗୁପ୍ତ କାର୍ଯ୍ୟ, ବିଶ୍ୱାସଘାତକତା, ଷଡ଼ଯନ୍ତ୍ର, ହିଂସା ଓ ଏବଂ ଅତି ଅମାନୁଷିକ ହତ୍ୟା ପ୍ଲଟ ତିଆରି କରିବାରେ ଜୱାହିର ବୁଦ୍ଧିର ହିଁ ପ୍ରୟୋଗ କରାଯାଇଥିଲା । ତାର ପ୍ରତିଟି ବିଚକ୍ଷଣ ବୁଦ୍ଧି ବଳରେ ହିଁ ଆଗକୁ ଯାଇ ପାରୁଥିଲା ଅଲକାଏଦା । ସେ ହିଁ ସଗଠନର ଚିଫ୍ ଅପରେଟିଂ ଅଫିସର ଏବଂ ଲୋକସଂପର୍କ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲା । ତାର ଅସମ୍ଭବ ପ୍ରଭାବ ବଳରେ ହିଁ ସାଉଦି ଜନ୍ମିତ ଓସାମା ବିନ୍ ଲାଡେନ୍ ଜଣେ ଦକ୍ଷ ଉପଦେଷ୍ଠାରୁ କୁଖ୍ୟାତ ଆତଙ୍କବାଦୀ ପାଲଟି ଯାଇଥିଲା ।

୨୦୦୧ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ଆକ୍ରମଣ ବେଳେ ଓସାମା ବିନ୍ ଲାଡେନ୍ ମୁଖ୍ୟ ସହଯୋଗୀ ଥିଲା ଜୱାହିର । ତେବେ ଏ ଆକ୍ରମଣ ପରେ ଓସାମା ବିନ୍ ଲାଡେନ ଭଳି ସେ ମଧ୍ୟ ଫେରାର ହୋଇଯାଇଥିଲା । ଏପରିକି ତାର ମୃତ୍ୟୁ ହୋଇଛି ବୋଲି ବାରମ୍ବାର ଖବର ଆସୁଥିଲେ ବି ସମସ୍ତଙ୍କ ଆଖିରେ ଧୂଳି ଦେଇ ସେ ବହୁବର୍ଷ ଯାଏଁ ଅଣ୍ଡର୍ଗ୍ରାଉଣ୍ଡ୍ ହୋଇଯାଇଥିଲା । ୨୦୧୧ରେ ପାକିସ୍ତାନର ଆବୋଟାବାଦରେ ଆମେରିକା ସେନା ଲାଡେନକୁ ଶେଷ କରିବା ପରରେ ଜୱାହିରି ହୋଇଥିଲା ଅଲ୍ କାଏଦା ମୁଖ୍ୟ । ତା ମୁଣ୍ଡ ପାଇଁ ୨୫ ମିଲିୟନ ଡଲାର ପୁରସ୍କାର ରାଶି ଘୋଷଣା କରିଥିଲା ଆମେରିକା ।