• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଧାନସଭାରେ ପର୍ଯ୍ୟଟନ ମନ୍ତ୍ରୀ ଦେଲେ ନୂଆ ତଥ୍ୟ । ତାଜୁବ ହୋଇଗଲେ ଓଡ଼ିଶାବାସୀ । କାରଣ ପ୍ରାକୃତିକ ସଂପଦ ଆଉ ସୌନ୍ଦର୍ଯ୍ୟରେ ଭରା ଦେଓମାଳି । ପିଲାଟି ବେଳୁ ଯାହାକୁ ଆମେ ଓଡ଼ିଶାର ଉଚ୍ଚତ୍ତମ ଗିରିଶୃଙ୍ଗ ବୋଲି ଜାଣି ଆସିଛେ । କୋରାପୁଟ ଜିଲ୍ଲାରେ ସମୁଦ୍ର ପତ୍ତନଠାରୁ ପ୍ରାୟ ୫ ହଜାର ୪୮୬ ଫୁଟ୍ ଉଚ୍ଚତାର ରହିଛି ଦେଓମାଳି । ଯାହା ସତରେ ଅଛି । ପଢ଼ାବହିରେ ବି ଅଛି । ପର୍ଯ୍ୟଟନ ବିଭାଗର ୱେବ୍‌ସାଇଟ୍‌ରେ ବି ଅଛି ।

ହେଲେ ସରକାରୀ ଖାତା ଖତିଆନ୍‌ରେ ନାହିଁ, ରାଜସ୍ୱ ବିଭାଗ ଖାତାରେ ନାହିଁ କି ଜଙ୍ଗଲ ବିଭାଗ ଖାତାରେ ନାହିଁ । ତାହେଲେ ଅଛି କେଉଁଠି ? କାହା ରେକର୍ଡରେ ଅଛି ? କେଉଁ ଖାତାରେ ଅଛି ଦେଓମାଳି ? ଗୃହରେ ମନ୍ତ୍ରୀଙ୍କ ତଥ୍ୟ ପରେ ଏସବୁ ପ୍ରଶ୍ନ ଉଠିବା ସହ ବିବାଦ ବି ତେଜିଛି । ଉଭୟ କଂଗ୍ରେସ ଓ ବିଜେପି ଏନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ତୁରନ୍ତ ସବୁ ପ୍ରକାର ତଥ୍ୟ ସଂଗ୍ରହ କରି ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।

ସେପଟେ ପର୍ଯ୍ୟଟନ ମନ୍ତ୍ରୀଙ୍କ ସଫେଇ ଯାହା ରେକର୍ଡ ଥିଲା ତାହା ଗୃହରେ ଉପସ୍ଥାପିତ ହୋଇଛି । ତେବେ ସମଗ୍ର ସଂପତି ଓଡିଶାର । ପର୍ବତମାଳରେ ଥିବା ଗାଁ ଗୁଡିକ ବି ଓଡିଶାର । ତେଣୁ କିଭଳି ଏହାକୁ ରେକର୍ଡକୁ ଅଣାଯିବ ସେ ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ଆମ କୋଟିଆକୁ ଆମଠୁ ଛଡ଼ାଇ ନେବାକୁ ଦୀର୍ଘଦିନ ଧରି ଫନ୍ଦି ଫାନ୍ଦି ଚାଲାଇଛି ପଡ଼ୋଶୀ ଆନ୍ଧ୍ର । ରତ୍ନଗର୍ଭା ଦେଓମାଳି ବି ଆନ୍ଧ୍ରର ଲୋଲୁପ ଦୃଷ୍ଟିରେ । ତାହା ବି ଅଛପା ନାହିଁ । କାରଣ ଗଲାବର୍ଷ ନଭେମ୍ବର ୨୧ ତାରିଖରେ ଆନ୍ଧ୍ର ବିଜୟନଗରର ଜିଲ୍ଲାପାଳଙ୍କ ସମେତ ୬୦ରୁ ୭୦ ଜଣ ପ୍ରଶାସନିକ ଅଧିକାରୀ ପ୍ରାୟ ୧୫ଟି ସରକାରୀ ଗାଡ଼ିରେ ଦେଓମାଳି ଆସି ଭୋଜିଭାତ କରି ଯାଇଛନ୍ତି । ଏତିକିବେଳେ ଦେଓମାଳିର ରେକର୍ଡ ନ ଥିବା ନୂଆ ବିବାଦକୁ ଜନ୍ମ ଦେଇଛି । ଏପରିକି ସ୍ଥାନୀୟ ବାସିନ୍ଦା, ସଂସ୍କୃତିି ଗବେଷକ ଓ ପୂର୍ବତନ ପ୍ରଶାସକ ବି ମନ୍ତ୍ରୀଙ୍କ ତଥ୍ୟର ବିରୋଧ କରିଛନ୍ତି ।

 

ସେପଟେ ଦେଓମାଳି ରାଜ୍ୟ ସରକାରଙ୍କ ଖାତାରେ ନଥିବା ନେଇ ବାଚସ୍ପତି ବିକ୍ରମ ଆରୁଖ ମଧ୍ୟ ଗୃହରେ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ରାଜସ୍ୱ, ଜଙ୍ଗଲ ଓ ପର୍ଯ୍ୟଟନ ବିଭାଗ ମିଳିତ ଭାବେ ବୈଠକ କରି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।