• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚୀନ-ତାଇୱାନ୍ ମଧ୍ୟରେ ପ୍ରବଳ ତିକ୍ତତା । ଏହାରି ଭିତରେ ତାଇପାଇରେ ପହଞ୍ଚିଛନ୍ତି ଆମେରିକା ସିନେଟ୍‌ର ବାଚସ୍ପତି ନାନ୍‌ସି ପେଲୋସି । ନିଆଁରେ ଘିଅ ଢାଲିବା ସଦୃଶ ନାନ୍‌ସି ତାଇୱାନ ଯାଇଛନ୍ତି । ଚୀନର ବାରମ୍ବାର ଚେତାବନୀ ଓ ଧମକ ସତ୍ତ୍ୱେ ନାନ୍‌ସିଙ୍କ ଗସ୍ତ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇଛି ।

ସେପଟେ ତାଇୱାନ୍ ସହ ଆମେରିକାର ବନ୍ଧୁତ୍ୱ ଚୁକ୍ତି ଆଧାରରେ ଏହି ଗସ୍ତ । ତାଇୱାନକୁ ସମସ୍ତ ପରିସ୍ଥିତିରେ ସହାୟତା କରିବାକୁ ଆମେରିକା ପ୍ରତିଶ୍ରୁତିବଦ୍ଧ । ଉପୁଜିଥିବା ପରିସ୍ଥତିର ମୁକାବିଲା ପାଇଁ ତାଇୱାନ୍ ନେତାଙ୍କ ସହ ଆଲୋଚନା କରିବାକୁ ଏହି ଗସ୍ତ ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ନାନ୍‌ସି । ସେପଟେ ନିଆଁ ସହ ଖେଳିଲେ ପୋଡ଼ି ଯିବା ନିଶ୍ଚିତ ବୋଲି କହିଛନ୍ତି ଚୀନ୍ ବୈଦେଶିକ ବ୍ୟାପାର ମୁଖପାତ୍ର ଝାଓ ଲିଜିଆନ୍ । ସେ ଚେତାବନୀ ଦେବା ପରେ ଆଲର୍ଟରେ ରହିଛି ତାଇଓ୍ୱାନ୍ ସେନା ।

ଚୀନ୍‌ର ଆକ୍ରମଣ ଆଶଙ୍କାକୁ ଦେଖି ପୁରା ଦମ୍‌ରେ ଯୁଦ୍ଧ ପ୍ରସ୍ତୁତି ବି ଚାଲିଛି । ସେନା ଅଧିକାରୀ ଓ ଯବାନଙ୍କ ଛୁଟି ବାତିଲ ସହ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ପେଲୋସିଙ୍କ ଗସ୍ତକୁ ନେଇ ଚୀନ୍ ଉତ୍ତେଜିତ ହେବାର କୌଣସି କାରଣ ନାହିଁ ବୋଲି ଓ୍ୱାଶିଂଟନ ପକ୍ଷରୁ କୁହାଯାଇଛି । ଅଯଥାରେ ବିବାଦ ସଂକଟ ସୃଷ୍ଟି ନକରିବାକୁ ବେଜିଂକୁ ପରାମର୍ଶ ଦେବା ସହ ଆମେରିକାର ତାଇଓ୍ୱାନ୍ ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ଆମେରିକା ନ୍ୟାସନାଲ କାଉନସିଲ ମୁଖପାତ୍ର ଜନ୍ କିର୍ବି କହିଛନ୍ତି । ତେବେ ଦେଖିବାକୁ ଗଲେ ପରିସ୍ଥିତି ଏବେ ଦୁଇ ଦେଶ ମଧ୍ୟରେ ଏପରି ହୋଇଛି ଯେ କେତେବେଳେ ବି ଯୁଦ୍ଧ ଆରମ୍ଭ ହୋଇପାରେ ।

ସୂଚନାଯୋଗ୍ୟ, ତାଇୱାନକୁ ଚାଇନା ସବୁବେଳେ ନିଜର କହି ଆସୁଛି । ହେଲେ ଏହାକୁ ସେଠାକାର ଲୋକ ଗ୍ରହଣ କରୁ ନାହାନ୍ତି ଓ ଚାଇନା ବିରୋଧରେ ବିକ୍ଷୋଭ କରୁଛନ୍ତି । ଏହାକୁ ନେଇ ବିବାଦ ଚାଲିଥିବା ବେଳେ ଏବେ ନାନ୍‌ସି ତାଙ୍କ ଏସିଆ ଟ୍ରିପ ଆରମ୍ଭ କରିଛନ୍ତି । ସେ ମାଲେସିୟାରେ ପହଞ୍ଚିବା ପରେ ସେଠାରୁ ଯାଇ ତାଇୱାନରେ ପହଞ୍ଚିଛନ୍ତି ।

ନାନ୍‌ସିଙ୍କ ପହଞ୍ଚିବା ପୂର୍ବରୁ ଚାଇନା ଧମକ ଦେଇଥିଲା । ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ହୁଆ ଚୁନୟିଙ୍ଗ କହିଥିଲେ ଯେ, “ଚାଇନାର ସାର୍ବଭୌମତ୍ୱ ସୁରକ୍ଷା ସ୍ୱାର୍ଥକୁ ଯଦି ଆମେରିକା ଅଣଦେଖା କରିବ, ତା’ହେଲେ ଏଥିପାଇଁ ଦେଶକୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ। ଯାହା ବି ଘଟଣା ଘଟିବ, ସେଥିପାଇଁ ଆମେରିକା ହିଁ ଦାୟୀ ରହିବ।”

ସେହିପରି ନାନ୍‌ସି ପହଞ୍ଚିବା ପରେ ମଧ୍ୟ ଚାଇନା ଧମକ ଦେବାକୁ ପଛାଇ ନାହିଁ । ଚାଇନା ମୁଖପାତ୍ର ହୁଆ ଚୁନୟିଙ୍ଗ ଟ୍ୱିଟ କରିଛନ୍ତି, ଏହା କୌଣସି ପ୍ରକାରର ଅଣସ୍ୱୀକୃତି ପ୍ରାପ୍ତ ଗସ୍ତ ନୁହେଁ । କାରଣ ଆମେରିକା ସଂସଦର ବାଚସ୍ପତି ତୃତୀୟ ସର୍ବୋଚ୍ଚ ପାହ୍ୟାର ଅଧିକାରୀ । ସେ ମିଲିଟାରୀ ବିମାନରେ ଆସି ଉତ୍ତେଜନା ସୃଷ୍ଟି କରିବା ଭଳି କାମ କରିଛନ୍ତି । କିଛି ବର୍ଷ ହେଲାଣି ଆମେରିକା ପ୍ରଶାସନ ୱାନ ଚାଇନା ନୀତିକୁ ଅଣଦେଖା କରି ଆସୁଛି । ତାଇୱାନ ସହ ଆମେରିକା ତା’ର ସମ୍ପର୍କ ବୃଦ୍ଧି କରିବାରେ ଲାଗିଛି ଓ ତାଇୱାନକୁ ଅସ୍ତ୍ରଶସ୍ତ୍ର ବିକ୍ରି କରୁଛି । ଏହାକୁ ଚାଇନା ଆଦୌ ଗ୍ରହଣ କରିବ ନାହିଁ ବୋଲି ସେ କହିଛନ୍ତି । ନାନ୍‌ସି ତାଇୱାନରେ ପହଞ୍ଚିବା ପରେ ସେଠାକାର ଗଣତନ୍ତ୍ରକୁ ସବୁବେଳେ ସମ୍ମାନ କରେ ବୋଲି କହି ପରୋକ୍ଷରେ ଚାଇନାର ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି ।