• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ramakanta Samantaray

ବିନତାଙ୍କ ଦୁଇ ପୁଅ ଅରୁଣ ଓ ଗରୁଡ଼ଙ୍କ ପରି କଦ୍ରୁଙ୍କର ନାଗ ସନ୍ତାନମାନେ ଧିରେ ଧିରେ ବଡ ହେଲେ ଓ ଯିଏ ଯାହାର ରାସ୍ତାରେ ବାହାରିଗଲେ । ସମସ୍ତଙ୍କର ମନରେ କିନ୍ତୁ ମା କଦ୍ରୁ ଦେଇଥିବା ଅଭିଶାପ ବସା ବାନ୍ଧିକରି ଥାଏ । ସମସ୍ତେ ଭୟରେ ଥାଆନ୍ତି । ସମସ୍ତେ ମନେ ମନେ ଅଭିଶାପରୁ ମୁକୁଳିବାର ରାସ୍ତା ଖୋଜୁଥା'ନ୍ତି ।

ଶେଷନାଗ ଆପଣା ମାଆ ଓ ଅନ୍ୟ ଭାଇମାନଙ୍କୁ ଛାଡ଼ିକି ଗଲାପରେ ଏକାନ୍ତରେ ଘୋର ତପସ୍ୟା କରିବାକୁ ଲାଗିଲେ । ଶେଷନାଗ ମାଟିରେ ନରହି ପବନରେ ରହୁଥା'ନ୍ତି । ଗନ୍ଧମାର୍ଦ୍ଦନ, ବଦ୍ରୀ, ଗୋକର୍ଣ୍ଣ, ପୁଷ୍କର ଆଦି ସ୍ଥାନର ପବିତ୍ର ଜଙ୍ଗଲ ଓ ହିମାଳୟ ପର୍ବତର ପାଦ ଦେଶକୁ ଯାଇଁ ଜପ, ତପ, ଧ୍ୟାନ ଓ ଧାରଣା କରୁଥା'ନ୍ତି । ନିରବଚ୍ଛିନ୍ନ ଓ ନିଷ୍ଠାପର ତପସ୍ୟା ଫଳରେ ସେ ନିଜର ଶରୀର ଏବଂ ମନ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିସାରିଥା'ନ୍ତି ।

ଥରେ ପ୍ରଜାପତି ବ୍ରହ୍ମା ଶେଷନାଗଙ୍କୁ ତପସ୍ୟା କରୁଥିବା ସମୟରେ ଦେଖିଲେ । ସେତେବେଳକୁ ଘୋର ତପସ୍ୟା ଫଳରେ ଶେଷନାଗଙ୍କ ଶରୀର କ୍ଷୀଣ, ରୁକ୍ଷ ଓ ଦୁର୍ବଳ ହେଇସାରିଥାଏ । ତାଙ୍କୁ ଦେଖି ବ୍ରହ୍ମା କହିଲେ - ହେ ତପସ୍ୱୀ ଶେଷନାଗ, ତୁମେ ଏ କ'ଣ କରୁଛ? ନିଜ କଥା ଛାଡି ତୁମେ ସଂସାରର ଅନ୍ୟ ପ୍ରାଣୀମାନଙ୍କ ଭଲପାଇଁ ବି ଟିକେ ଚିନ୍ତା କର । ତୁମେ କ'ଣ ପାଇଁ ଏମିତି ନିଜ ଶରୀରକୁ ଏତେ କଷ୍ଟଦେଇ ତପସ୍ୟା କରୁଛ? ତା'ର କାରଣ ମୋତେ କୁହ ।

ବ୍ରହ୍ମାଙ୍କର କଥା ଶୁଣି ଶେଷନାଗ କହିଲେ - ହେ ପିତାମହ! ସତକଥା ହେଲା ମୁଁ ବଡ଼ ମାନସିକ ଅଶାନ୍ତିରେ ଅଛି । ଆପଣ ଜାଣନ୍ତି, ମୋର ଭାଇମାନେ ବଡ଼ ଦୁଷ୍ଟ ସ୍ୱଭାବର । ଗୋଟେ ମା ପେଟରୁ ଜନ୍ମ ହେଇବି ସେମାନେ ପରସ୍ପରକୁ ଶତୃ ଭାବରେ ବିଚାରୁଛନ୍ତି । ପରସ୍ପର ଭିତରେ ସବୁବେଳେ ହିଂସା ଆଉ କଳହ । କେହି କାହାର ଶିରୀ ଦେଖିପାରୁ ନାହାନ୍ତି । ଏପରି ସ୍ୱଭାବ ପାଇଁ ମୁଁ ସେମାନଙ୍କ ସାଙ୍ଗରେ ଆଦୌ ରହିପାରୁନି । ମୁଁ ନିଷ୍ପତ୍ତି ନେଇସାରିଛି ଏ ଜନ୍ମରେ ନୁହେଁ କି ଅନ୍ୟ ଜନ୍ମରେ ମଧ୍ୟ ସେମାନଙ୍କର ପାଖ ପଶିବିନି । ସତକଥା ହେଲା ମୁଁ ସେମାନଙ୍କ ମୁହଁ ବି ଦେଖିବାକୁ ଚାହୁଁନି । ସେମାନେ ଆମ ମାଉସୀ ବିନତାଙ୍କର ଦୁଇ ପିଲାଙ୍କୁ ଭାଇ ନଭାବି ଶତୃ ଭାବରେ ହିଁ ବିଚାର କରୁଛନ୍ତି । ହେ ପିତାମହ, ସେମାନଙ୍କ ସଙ୍ଗତରୁ ମୁକ୍ତି ପାଇଁ ମୋର ଏତେ ସବୁ ଜପ ତପ ଓ ସାଧନା । ଆପଣ ଯଦି ମୋ ପ୍ରତି ସଦୟ ଆଚରଣ କରୁଛନ୍ତି, ମୋର ତପସ୍ୟାରେ ପ୍ରୀତ ହୋଇଛନ୍ତି, ତେବେ ଦୟାକରି ମୋ ସମସ୍ୟାର ପ୍ରତିକାର କରନ୍ତୁ ।

ଶେଷନାଗଙ୍କ କଥା ଶୁଣି ବ୍ରହ୍ମା କହିଲେ, ଶୁଣ ନାଗରାଜ! ତମ ଭାଇମାନେ ଦୁଷ୍ଟ ପ୍ରକୃତିର ବୋଲି କେବଳ ମୁଁ କାହିଁକି, ସମସ୍ତେ ଜାଣନ୍ତି । ସେମାନଙ୍କ କଥା ଏବେ ଛାଡ଼ । ସେମାନଙ୍କୁ ତାଙ୍କ ରାସ୍ତାରେ ଯିବାକୁ ଦିଅ । ଏ ସମଗ୍ର ସଂସାରର ପାଳନକର୍ତ୍ତା ଭାବରେ ତୁମକୁ ମୁଁ ଏବେ ଏକ ବିଶେଷ ଦାୟିତ୍ୱ ଦେଉଛି । ଏ ସଂସାରର ଓ ପ୍ରାଣୀମାନଙ୍କ ମଙ୍ଗଳ ପାଇଁ ତୁମେ ଏ ପୃଥିବୀକୁ ନିଜ ମୁଣ୍ଡରେ ଧାରଣ କର । କାରଣ ଏତେ ବଡ଼ ବଡ଼ ପାହାଡ଼ ଓ ପର୍ବତ, ଏତେ ଗୁଡେ ଜଙ୍ଗଲ, ଆଉ ଏତେ ବଡ଼ ବଡ଼ ମହାସାଗରମାନଙ୍କୁ ସମ୍ଭାଳିବାକୁ ଯାଇ ଧିରେ ଧିରେ ପୃଥିବୀ ତା' ନିଜ ଉପରୁ ନିୟନ୍ତ୍ରଣ ହରାଉଛି । ଏବେ ତାକୁ ଧାରଣ କରିବାକୁ ଏକ ମଜଭୂତ ଆଧାରର ଆବଶ୍ୟକତା ରହିଛି । ସେ ଦାୟିତ୍ୱ ତୁମେ ସୂଚାରୁ ରୂପେ ତୁଲେଇ ପାରିବ ବୋଲି ମୋର ବିଶ୍ୱାସ । ତୁମେ ଯଦି ମୋ ପ୍ରସ୍ଥାବରେ ରାଜି ଓ ତୁମେ ଯଦି ପ୍ରସ୍ତୁତ, ତେବେ ତୁମ ମସ୍ତକ ଉପରେ ଏ ପୃଥିବୀକୁ ନିରାପଦରେ ମୁଁ ଅବସ୍ଥାପିତ କରି ନିଶ୍ଚିନ୍ତ ହୋଇପାରିବି ବୋଲି ଭାବୁଛି ।

ବ୍ରହ୍ମାଙ୍କ ପ୍ରସ୍ଥାବରେ ଶେଷନାଗ ଖୁସିରେ ସଙ୍ଗେ ସଙ୍ଗେ ରାଜି ହେଇଗଲେ ଓ ପୃଥିବୀକୁ ନିଜ ମଥାରେ ଧାରଣ କରିବାକୁ ସମୁଦ୍ର ଭିତରକୁ ଚାଲିଗଲେ । ସେଇଦିନରୁ ଶେଷନାଗ ଆଜିପର୍ଯ୍ୟନ୍ତ ତାଙ୍କ ମସ୍ତକରେ ସମଗ୍ର ପୃଥିବୀକୁ ଧାରଣ କରି ରହିଛନ୍ତି ।

Due to the curse of one's birth mother, the snake will disappear from the worldବାସୁକିନାଗଙ୍କୁ ନିଜ ମାଆଙ୍କ ଅଭିଶାପ

କଦ୍ରୁଙ୍କର ଅନ୍ୟ ଏକ ପୁଅ ବାସୁକିନାଗ ନିଜ ମାଆଙ୍କ ଅଭିଶାପରୁ କେମିତି ତାଙ୍କ ଭାଇମାନଙ୍କୁ ଓ ନିଜକୁ ବଞ୍ଚେଇବେ ସେଥିପାଇଁ ଉପାୟ ଖୋଜିବାକୁ ଥରେ ତାଙ୍କର ଅନ୍ୟକିଛି ଭାଇଙ୍କୁ ଡାକି କଥା ହେଲେ । ବାସୁକିନାଗଙ୍କର ଉଦ୍ଦେଶ୍ୟ ଥିଲା ସେ ତାଙ୍କ ଭାଇମାନଙ୍କ ସହ ବିଚାର ବିମର୍ଶ କରି କିଛି ନୂଆ ଉପାୟ ହୁଏତ ଖୋଜିପାଇବେ । ସେ ଯେତେବେଳେ ଅନ୍ୟମାନଙ୍କୁ ସେମାନଙ୍କ ମତ ପଚାରିଲେ, ସେଠି ଉପସ୍ଥିତ କିଛି ନାଗ କହିଲେ, ଚାଲ ଆମେ ରାଜା ଜନ୍ମେଜୟଙ୍କୁ ଯଜ୍ଞ ବନ୍ଦ କରିବାକୁ ସବିନୟ ଅନୁରୋଧ କରିବା । ଆଉ କିଛି ନାଗ ଉତ୍ତେଜିତ ହେଇ କହିଲେ ଚାଲ ଯଜ୍ଞ କର୍ମ କରୁଥିବା ବ୍ରାହ୍ଣଣମାନଙ୍କୁ ଦଂଶନ କରି ମାରିଦେବା । ଫଳରେ ଆଉ ସର୍ପମେଧଯଜ୍ଞ ସମ୍ପନ୍ନ ହେଇପାରିବନି। ଏଯାଏଁ ଚୁପରେ ବସି ଅନ୍ୟମାନଙ୍କ ଆଲୋଚନା ଶୁଣୁଥିବା କିଛି ନାଗ ଅନ୍ୟ ଏକ ଉପାୟ କହିଲେ । ସେମାନେ କହିଲେ ଚାଲ ଆମେ ବିଜୁଳି ହେଇଯିବା ଓ ବାଦଲରୁ ଆକାଶ ଫଟା ବର୍ଷା କରାଇବା । ପ୍ରବଳ ବର୍ଷା ହେଲେ ଯଜ୍ଞର ନିଆଁ ଲିଭିଯିବ ଓ ସର୍ପକୂଳ ସହଜରେ ରକ୍ଷା ପାଇଯିବ । ଆଉ କିଏ କିଏ କହିଲେ, ଚାଲ ରାତିର ଅନ୍ଧାରରେ ଯାଇ ଯଜ୍ଞ ଉଦଚ୍ୟକୁ ଚୋରେଇ ଆଣିବା, ଅବା ସମସ୍ତେ ସାଙ୍ଗ ହେଇ ସେଠି ପହଁଚି ସେଠାରେ ଯିଏ ଉପସ୍ଥିତ ଥିବ ତାକୁ ଦଂଶନ କରିବା ଏବଂ ଯଜ୍ଞର ପବିତ୍ର ଖାଦ୍ୟ ପାନୀୟରେ ମଳ ମୂତ୍ର ତ୍ୟାଗ କରି ଅପବିତ୍ର କରିଦେବା । କିଛି ନହେଲେ ଚାଲ ରାଜାଙ୍କୁ ବଶ କରିଦେବା । ଫଳରେ ଆମେ ଯାହା କହିବା ସେ ମାନିବେ । କିଛି ନହେଲେ ରାଜା ନଦୀ ଅବା ସରୋବରରେ ଗାଧୋଉଥିବା ବେଳେ, ତାଙ୍କୁ ଅପହରଣ କରି ଆଣିବା । ଫଳରେ ଯଜ୍ଞ କର୍ମ ଆଉ ଅନୁଷ୍ଠିତ ହେଇପାରିବନି ।

କିଛି ଧର୍ମପରାୟଣ ନାଗ ଅନ୍ୟମାନଙ୍କର ଏମିତିକା ଉପାୟକୁ ବିରୋଧ କଲେ ଓ ସତର୍କ କରାଇ କହିଲେ ଯେ, ଯଜ୍ଞ ସ୍ଥଳରେ ବ୍ରାହ୍ମଣମାନଙ୍କୁ ହତ୍ୟା କଲେ କିମ୍ବା ରାଜାଙ୍କୁ ଅପହରଣ କଲେ ତା'ର ପରାଭବ କିଛି ଭଲ ହେବନି । ତା'ର ଖରାପ ଫଳ ଆମମାନଙ୍କୁ ହିଁ ପରିଶେଷରେ ଭୋଗିବାକୁ ପଡିବ।

Due to the curse of one's birth mother, the snake will disappear from the worldଖରାପ ଫଳ ପରିଶେଷରେ ଭୋଗିବାକୁ ପଡିବ

ଏମିତି ହଜାରେ ପ୍ରକାରର ଉପାୟ ବତାଇବା ପରେ ସେଠାରେ ଉପସ୍ଥିତ ନାଗମାନେ ନାଗରାଜା ବାସୁକିଙ୍କୁ ପଚାରିଲେ; ହେ ନାଗରାଜ! ଆମେମାନେ ବତାଇଥିବା ଅନେକ ଉପାୟ ଭିତରୁ ଆପଣଙ୍କର କୋଉଟା ପସନ୍ଦ ହେଇଛି? ଆପଣ ଯେଉଁ ଉପାୟଟିକୁ ପସନ୍ଦ କରିବେ, ଆମେମାନେ ତୁରନ୍ତ ତାହାକୁ କାମରେ ଲଗାଇବାକୁ ପ୍ରସ୍ତୁତ ଅଛୁ । ସମସ୍ତ ନାଗ ବଂଶ ଆପଣଙ୍କ ଆଦେଶକୁ ଅପେକ୍ଷା କରି ରହିଛନ୍ତି ।

ନାଗମାନଙ୍କର ସ୍ୱଭାବ ବାସୁକି ଆଗରୁ ଜାଣନ୍ତି । ସେ ବୁଝିପାରୁଥିଲେ ଦୁଷ୍ଟ ବୁଦ୍ଧି ଓ ଅନ୍ୟର କ୍ଷତି ପହଞ୍ଚାଇବା ବିନା ଏ ମୂର୍ଖମାନଙ୍କ ମୁଣ୍ଡରେ ଆଉ କିଛି ପଶୁନି । ନାଗମାନଙ୍କ ପ୍ରଶ୍ନର ଉତ୍ତର ଦେଇ ବାସୁକି ନାଗ ଏଥର କହିଲେ, ପ୍ରକୃତରେ ତାଙ୍କୁ ଏଥିରୁ କୌଣସି ଗୋଟିଏ ବି ଉପାୟ ଠିକ୍ ଲାଗୁନି । ଶୁଣ, ତମମାନଙ୍କର କୌଣସି ଗୋଟିଏ ଉପଦେଶ ସର୍ପକୂଳକୁ ଆମ ମାଆଙ୍କ ଅଭିଶାପରୁ ବଞ୍ଚାଇବାରେ ସଫଳ ହେବନି । ତୁମେସବୁ ବୁଝିପାରୁନ ଆମମାନଙ୍କ ମୁଣ୍ଡ ଉପରେ କେତେ ବଡ଼ ବିପତ୍ତି ଘନେଇ ରହିଛି । ଏମିତିକା ଦୁର୍ଭାଗ୍ୟ କବଳରୁ ସେଇ ଭାଗ୍ୟ ହୁଏତ ଚାହିଁଲେ ଆମମାନଙ୍କୁ ରକ୍ଷା କରିପାରିବ । ତୁମେମାନେ ଜାଣିନ ମା ଆମର ଆମମାନଙ୍କୁ ଅଭିଶାପ ଦେବା ସମୟରେ ମୁଁ ଭୟରେ ମା'ଙ୍କ କୋଳକୁ ଚଢି ଯାଇଥିଲି । ସେଇଠି ଦେବତାମାନେ ପିତାମହ ବ୍ରହ୍ମାଙ୍କୁ ଯାହା କହୁଥିଲେ ମୁଁ ସବୁ କିଛି ଶୁଣିଛି । ଦେବତାମାନେ ବଡ଼ ଦୁଃଖରେ କହୁଥିଲେ, ହେ ପିତାମହ! ନିଜ ଜନ୍ମକଲା ପିଲାମାନଙ୍କୁ ଏମିତି ମରିବାକୁ କୋଉ ମା ଅଭିଶାପ ଦିଏ? ଶେଷରେ ଆପଣ ମଧ୍ୟ ଏ ପାଷାଣୀ କଦ୍ରୁର କଥା ରଖିଲେ? ତାକୁ ଚୁପ୍ କରାଇ ପାରିଲେନି?

ସେତେବେଳେ ବ୍ରହ୍ମା ଦେବତାମାନଙ୍କୁ କ'ଣ କହିଲେ ଜାଣ?

କହିଲେ, ସାପମାନଙ୍କର ସଂଖ୍ୟା ଯଥେଷ୍ଟ ବଢିଗଲାଣି । ସେଥିରେ ପୁଣି ସେମାନେ ସ୍ୱଭାବରେ ବଡ଼ କୃର ଓ ବିଷଧାରୀ । ଅନ୍ୟସବୁ ପ୍ରାଣୀମାନଙ୍କ ମଙ୍ଗଳ ପାଇଁ ମୁଁ କଦ୍ରୁକୁ ଆକଟ କଲି ନାହିଁ । କାରଣ ବିଷଧାରୀ ବୋଲି ଯେଉଁ ସାପମାନେ ସାମାନ୍ୟ କାରଣରେ ଅନ୍ୟର କ୍ଷତି ପହଞ୍ଚାନ୍ତି, ଯେଉଁମାନେ ଧର୍ମର ରାସ୍ତାରେ ଚାଲନ୍ତି ନାହିଁ, ସେମାନେ ଅବଶ୍ୟ ନାଶ ଯିବା ଦରକାର । କିନ୍ତୁ ଯେଉଁମାନେ ସତ ଓ ଧର୍ମ ପଥରେ ରହିବେ, ସେମାନଙ୍କର କିଛି କ୍ଷତି ହେବନି । ଉପଯୁକ୍ତ ସମୟ ହେଲେ ଜରତ୍କାରୁ ନାମରେ ଜଣେ ମହାନ ତପସ୍ୱୀ ଜନ୍ମ ନେବେ ଓ ତାଙ୍କ ପୁଅ ଆସ୍ତିକ ହିଁ ସେମାନଙ୍କୁ ଏହି ଭୟଙ୍କର ଅଭିଶାପରୁ ମୁକ୍ତି ଦେବେ ।

ଏହାପରେ ଆକାଶକୁ ଅନେଇ ଦୀର୍ଘଶ୍ୱାସ ପକେଇ ବାସୁକୀ ନାଗ ନିଜକୁ ଓ ଅନ୍ୟମାନଙ୍କୁ ଶୁଣେଇଲା ପରି କହିଲେ;

ଆମମାନଙ୍କୁ ଏବେ ହୁଏତ ସେଇ ମହାନ ତପସ୍ୱୀ ଆସ୍ତିକଙ୍କୁ ଅପେକ୍ଷା କରିବାକୁ ପଡ଼ିବ ।

ସମୟ ବିତିବାକୁ ଲାଗିଲା । କିଛି ଦିନ ପରେ ଦେବତା ଓ ଅସୁରମାନେ ସମୁଦ୍ର ମନ୍ଥନ କଲେ । ସମୁଦ୍ର ମନ୍ଥନ ପାଇଁ ମନ୍ଦର ପର୍ବତକୁ ଖୁଆଦଣ୍ଡ ଭାବରେ ବ୍ୟବହାର କରାଗଲା ଓ ବାସୁକିନାଗଙ୍କୁ ଦଣ୍ଡକୁ ଘୁରାଇବା ଦଉଡି ଭାବରେ । ଦେବତାମାନେ ବାସୁକିଙ୍କ ଲାଂଜ ପଟକୁ ଧରିଲେ ଓ ଅସୁରମାନେ ମୁହଁପଟକୁ ଧରିଲେ । ସମୁଦ୍ର ମନ୍ଥନ ପରେ ବାସୁକିନାଗଙ୍କୁ ସାଙ୍ଗରେ ଧରି ଦେବତାମାନେ ପ୍ରଜାପିତା ବ୍ରହ୍ମାଙ୍କ ପାଖରେ ପହଞ୍ଚି କହିଲେ; ହେ ପିତାମହ ! ନାଗରାଜ ବାସୁକୀ ସବୁବେଳେ ଆମର ଦରକାର ସମୟରେ ସହାୟତା କରିଛନ୍ତି । କିନ୍ତୁ ନିଜ ମାଆଙ୍କ ଅଭିଶାପ ତାଙ୍କୁ ସବୁବେଳେ ବ୍ୟତିବ୍ୟସ୍ତ କରୁଛି । ଶାନ୍ତିରେ ବସେଇ ରଖେଇ ଦେଉନି । ସେ ସବୁବେଳେ ତାଙ୍କ ବଂଶଜଙ୍କ ସୁରକ୍ଷା ପାଇଁ ଚିନ୍ତା କରୁଛନ୍ତି । ଚାହିଁଲେ ସେ ଅଭିଶାପରୁ ନାଗକୂଳକୁ କେବଳ ଆପଣ ହିଁ ରକ୍ଷା କରିପାରିବେ ।

ପିତାମହ ବ୍ରହ୍ମା ଦେବତା ଓ ବାସୁକିଙ୍କ ଅନୁରୋଧ ଧ୍ୟାନର ସହ ଶୁଣିଲେ । ଶୁଣିସାରି କହିଲେ; ହଁ, ମୁଁ ମଧ୍ୟ ସେଇଆ ଭାବୁଥିଲି । ନାଗମାନଙ୍କୁ ସେମାନଙ୍କ ମାଆ ଦେଇଥିବା ଅଭିଶାପ ଅବଶ୍ୟ ଫଳିବ । କିନ୍ତୁ ତାହା କେବଳ ଦୁଷ୍ଟ ଆତ୍ମାମାନଙ୍କର କ୍ଷତି ପହଞ୍ଚାଇବ । ଯେଉଁ ନାଗମାନେ ସତ୍ ଓ ଧର୍ମ ପଥରେ ପରିଚାଳିତ ସେମାନେ ନିଶ୍ଚୟ ରକ୍ଷା ପାଇଯିବେ । ତାପରେ ବ୍ରହ୍ମା ନାଗରାଜ ବାସୁକିଙ୍କୁ କହିଲେ ବ୍ରାହ୍ମଣ ଜରତ୍କାରୁଙ୍କୁ ସଠିକ୍ ସମୟରେ ତୁମେ ତୁମ ଭଉଣୀ ଜରତ୍କାରୁଙ୍କୁ ଅର୍ପଣ କର । ଦୁଇ ଜରତ୍କାରୁଙ୍କ ଔରସରୁ ଜନ୍ମିତ ପୁତ୍ର ହିଁ ତୁମ ବଂଶ ରକ୍ଷା କରିପାରିବ । କିନ୍ତୁ ସବୁବେଳେ ଜପ-ତପ ଆଚରଣ କରୁଥିବା ଓ ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ କରୁଥିବା ଜରତ୍କାରୁଙ୍କର ସଂସାର ବନ୍ଧନରେ ବାନ୍ଧିହେବାର କୌଣସି ଆଗ୍ରହ ନଥିଲା ।

ପିତାମହ ବ୍ରହ୍ମାଙ୍କ କଥା ଶୁଣି ନାଗରାଜ ବାସୁକି ଜରତ୍କାରୁଙ୍କ ପଛରେ ଅନେକଗୁଡ଼େ ନାଗଙ୍କୁ ଚର କାମରେ ଲଗାଇଦେଲେ । ଉଦ୍ଦେଶ୍ୟ ହେଲା ସେମାନେ ନିରନ୍ତର ଜରତ୍କାରୁଙ୍କୁ ଗୁପ୍ତରେ ଅନୁସରଣ କରିବେ । ପରିସ୍ଥିତରେ ପଡ଼ି ସେ ଯେବେବି ବିବାହ କରିବାକୁ ଇଚ୍ଛା ପ୍ରକାଶ କରିବେ, ତୁରନ୍ତ ସେ ଖବରଟି ବାସୁକିଙ୍କ ପାଖରେ ପହଞ୍ଚିବା ଦରକାର ।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

OTV is now on Whatsapp

Join and get latest news update delivered to you via whatsapp

Join Now