Advertisment

Mahabharat Story: ବନବାସ ଆରମ୍ଭ ଓ କୃଷ୍ଣଙ୍କ ଆଗମନ କଥା

କାହିଁକି ବନବାସରେ ଯାଉଥିବା ପାଣ୍ଡବମାନଙ୍କୁ ପ୍ରଜାମାନେ ଅନୁସରଣ କଲେ? କାହିଁକି କୃଷ୍ଣ ପଶା ଖେଳ ବେଳେ ପାଣ୍ଡବଙ୍କ ପାଖରେ ପହଞ୍ଚି ପାରିନଥିଲେ? ବିଦୁରଙ୍କୁ ଦେଖି କାହିଁକି ଯୁଧିଷ୍ଠିର ଆଶଙ୍କାରେ ପଡିଲେ? ବନବାସରେ କୋଉ ଜଙ୍ଗଲରେ ରହିଲେ ପାଣ୍ଡବମାନେ? ମହାଭାରତ ପୃଷ୍ଠାର ଆହୁରି ଏମିତି ଅନେକ କଥା ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।

author-image
Ramakanta Samantaray
ଅଦ୍ୟତନ ହୋଇଛି
ମହାଭାରତ କଥା

ମହାଭାରତ କଥା

ପାଣ୍ଡବ ପାଞ୍ଚ ଭାଇ ଓ ଦ୍ରୌପଦୀ ବନବାସରେ ବାହାରି ହସ୍ତିନାପୁରର ରାଜରାସ୍ତାରେ ଚାଲିଲା ବେଳକୁ ଅନେକ ପ୍ରଜା ସେମାନଙ୍କ ପଛେ ପଛେ ଚାଲିଲେ । କହିଲେ ଆପଣମାନେ ଯୁଆଡେ ଯିବେ ଆମେ ବି ସିଆଡେ ଯିବୁ । ଧର୍ମଦ୍ରୋହୀ ଶକୁନି ଓ ଦୁର୍ଯ୍ୟୋଧନ ରହୁଥିବା ଦେଶରେ ଆମର ଆଉ ମୁହୂର୍ତ୍ତେ ବି ରହିବାର ନାହିଁ। ଯୁଧିଷ୍ଠିର ସେମାନଙ୍କୁ କହିଲେ ଆମେ ବନବାସରେ ଗଲେ ମଧ୍ୟ ହସ୍ତିନାପୁରରେ ପିତାମହ ଭୀଷ୍ମ, ବିଦୁର, ରାଜା ଧୃତରାଷ୍ଟ୍ର ଓ ଆମମାନଙ୍କ ମା କୁନ୍ତୀ ଅଛନ୍ତି ।ସେମାନେ ଦୁଃଖର ଅଛନ୍ତି । ସେମାନଙ୍କ କଥା ବୁଝିବାକୁ ତୁମମାନଙ୍କୁ ଏଇଠି ରହିବାକୁ ହେବ । ତାପରେ ବିଭିନ୍ନ ପ୍ରକାରେ ବୁଝେଇ ସୁଝେଇ ଅନେକ ଉପଦେଶ ଦେଇ ଅଧା ବାଟରୁ ଫେରାଇଲେ । 

Advertisment

ହସ୍ତିନାପୁରକୁ ପଛରେ ରଖି ପାଣ୍ଡବମାନେ ସନ୍ଧ୍ୟା ବେଳକୁ ବନସ୍ତ ଭିତରେ ଗଙ୍ଗା ନଦୀ କୁଳରେ ଥିବା ଏକ ବିଶାଳ ବରଗଛ ତଳେ ପହଞ୍ଚିଲେ ଓ ସେଇଠି ରାତ୍ରୀ ଯାପନର ବ୍ୟବସ୍ଥା କଲେ । ଖବର ପାଇ ସକାଳୁ କିଛି ବ୍ରାହ୍ମଣ ଆସି ସେମାନଙ୍କ ପାଖରେ ପହଞ୍ଚିଲେ । ଜଙ୍ଗଲ ଭିତରେ ବ୍ରାହ୍ମଣମାନଙ୍କୁ କୌଣସି ପ୍ରକାର ଦାନ ଅବା ସେମାନଙ୍କ ପାଇଁ କିଛି ଖାଦ୍ୟ ବ୍ୟବସ୍ଥା କରିନପାରି ଯୁଧିଷ୍ଠିର ଦୁଃଖି ହୋଇଗଲେ। ତେବେ ବ୍ରାହ୍ମଣମାନଙ୍କ ସହ ଧର୍ମ କର୍ମ ବିଷୟରେ ବିଭିନ୍ନ କଥା ବାର୍ତ୍ତା ହେଲାପରେ ତାଙ୍କୁ ମାନସିକ ଭାବରେ ଭଲ ଲାଗୁଥାଏ । 

ଗଛ ତଳେ ବିଶ୍ରାମ ନେଲା ବେଳକୁ ଯୁଧିଷ୍ଠିର ହଠାତ ଦେଖିଲେ ସେମାନଙ୍କ ଦିଗରେ ବିଦୁର ଆସୁଛନ୍ତି । ବିଦୁରଙ୍କୁ ଜଙ୍ଗଲ ଭିତରେ ଦେଖି ଯୁଧିଷ୍ଠିର ମନେ ମନେ ଆତଙ୍କିତ ହୋଇପଡିଲେ। ଭାବିଲେ ବିଦୁର ସେମାନଙ୍କୁ ଖୋଜି ଖୋଜି ହୁଏତ ରାଜା ଧୃତରାଷ୍ଟ୍ରଙ୍କ କିଛି ପ୍ରସ୍ତାବ ଧରି ଆସିଛନ୍ତି । ହୁଏତ ଶକୁନିଙ୍କ ପ୍ରରୋଚନାରେ ହସ୍ତିନାପୁରରେ ଆଉ ଥରେ ପଶା ଖେଳର ଆୟୋଜନ ହେଉଛି । ସେମିତି କିଛି ହେଉଥିଲେ ସେ ରାଜାଙ୍କ ନିମନ୍ତ୍ରଣକୁ ନା କହିପାରିବେନି । ସବୁତ ସେ ହରାଇ ସାରିଛନ୍ତି । ଆଉ ପୁଣି କ'ଣ ହରାଇବେ? 

Advertisment

ବିଦୁର ଦେଖିଲେ ପାଣ୍ଡବମାନେ ବ୍ରାହ୍ମଣ ଓ ତପସ୍ୱୀମାନଙ୍କ ଗହଣରେ ଅଛନ୍ତି । ବିଦୁରଙ୍କୁ ପାଞ୍ଚ ଭାଇ ସସମ୍ମାନେ ପାଛୋଟି ନେଲେ । ବିଦୁର କହିଲେ ସେ କେମିତି ଓ କ'ଣ ପାଇଁ ହସ୍ତିନାପୁର ଓ ରାଜ ଦରବାର ଛାଡି ସେମାନଙ୍କ ପାଖକୁ ଚାଲିଆସିଛନ୍ତି । ତାପରେ ବିଦୁର ପାଣ୍ଡବମାନଙ୍କୁ ବିଭିନ୍ନ ଧର୍ମ ଉପଦେଶ ଦେଲେ । କିଛି ସମୟ ପରେ ବିଦୁରଙ୍କୁ ଖୋଜି ଖୋଜି ସଞ୍ଜୟ ବି ଆସି ସେଇଠି ପହଞ୍ଚିଲେ । ଯୁଧିଷ୍ଠିର ଓ ଅନ୍ୟ ଭାଇମାନେ ସଞ୍ଜୟଙ୍କୁ ଯଥାରିତି ସମ୍ମାନ ଜଣାଇ ହସ୍ତିନାପୁରର କୁଶଳ ବାର୍ତ୍ତା ବିଷୟରେ ଓ ତାଙ୍କ ଆସିବାର କାରଣ ପଚାରିଲେ । ସଞ୍ଜୟ କହିଲେ ମହାରାଜା ଧୃତରାଷ୍ଟ୍ର କ୍ରୋଧ କରି ବିଦୁରଙ୍କୁ ଛାଡି ଚାଲିଯିବାକୁ ସିନା କହିଲେ କିନ୍ତୁ ଅଳ୍ପ ସମୟ ପରେ ପୁଣି ଥରେ ଖୋଜି ହେଲେ। ବ୍ୟାକୁଳ ହେଇ ମୋତେ ବିଦୁରଙ୍କୁ ଖୋଜି ପୁଣି ଥରେ ରାଜପ୍ରାସାଦକୁ ଯଥା ଶୀଘ୍ର ଫେରାଇ ଆଣିବାକୁ ଆଦେଶ ଦେଇଛନ୍ତି । ବିଦୁର ଆଉ ଥରେ ହସ୍ତିନାପୁର ଫେରିବାକୁ ଇଚ୍ଛା କରୁନଥିଲେ । କିନ୍ତୁ ଯୁଧିଷ୍ଠିର ତାଙ୍କୁ ବୁଝାଇ ସୁଝାଇଲା ପରେ ସେ ପାଣ୍ଡବମାନଙ୍କୁ ଆଶୀର୍ବାଦ କରି ସଞ୍ଜୟଙ୍କ ସହ ହସ୍ତିନା ଫେରିଗଲେ । 

ବିଦୁରଙ୍କ ହସ୍ତିନାପୁରକୁ ଫେରି ଆସିବା ଖବର ପାଇ ଦୁର୍ଯ୍ୟୋଧନ, ଶକୁନି, କର୍ଣ୍ଣ ଓ ଦୁଃଶାସନ ଆଦି ବ୍ୟସ୍ତ ଓ ବିବ୍ରତ ହୋଇ ପଡିଲେ। ଶକୁନି କହିଲେ ବିଦୁର ତ ପାଣ୍ଡବ ପକ୍ଷର ଲୋକ । ଧୃତରାଷ୍ଟ୍ର ତାଙ୍କୁ ବିଦା କରି ଭଲ କରିଥିଲେ । ହେଲେ ସଞ୍ଜୟଙ୍କୁ ପଠେଇ ଫେରେଇ ଆଣିଲେ କାହିଁକି? ଏବେ ସେ ବିଦୁର ରାଜାଙ୍କୁ ଦିନ ରାତି ବୁଝେଇ ସୁଝେଇ ପାଣ୍ଡବମାନଙ୍କୁ ଫେରାଇଆଣିବା ବ୍ୟବସ୍ଥା ନିଶ୍ଚୟ କରିବେ । ଦୁର୍ଯ୍ୟୋଧନ କହିଲେ ସେମିତି ହେଲେ ମୁଁ ନିଶ୍ଚୟ ଜୀବନ ହାରିଦେବି। ବିଷ ଖାଇଦେବି ନହେଲେ ନିଆଁରେ ନିଜକୁ ପୋଡି ପକେଇବି ସିନା କିନ୍ତୁ ଶତ୍ରୁଙ୍କ ଭଲ ଦେଖିପାରିବିନି। କର୍ଣ୍ଣ କହିଲେ ନା ନା ବନ୍ଧୁ ସେ ସମ୍ଭାବନା ନାହିଁ । ଧର୍ମଭୀରୁ ପାଣ୍ଡବମାନେ ତେର ବର୍ଷ ବନବାସ ପୂର୍ବରୁ ସତ୍ୟ ଭଙ୍ଗ କରି କେବେବି ଫେରିବେନି । ଧୃତରାଷ୍ଟ୍ର କହିଲେ ବି ସେମାନେ ଖୁବ ଶୀଘ୍ର ଫେରି ଆସିବେ ବୋଲି ମୋତେ କିନ୍ତୁ ଲାଗୁନି। 

ଶକୁନି କହିଲେ ଆସିଲେ ଆସନ୍ତୁ । ଭୟ କରିବାର କଣ ଅଛି? ତାଙ୍କୁ କିଏ ଡରିଛି କି? କେହି ବ୍ୟସ୍ତ ହୁଅନି । ପୁଣି ଗୋଟେ ନୂଆ ବାଟ କରି ସେମାନଙ୍କୁ ଆଉଥରେ ଜଙ୍ଗଲ ରାସ୍ତା ଦେଖେଇଦେବି । କର୍ଣ୍ଣ କହିଲେ ତଥାପି ଶତୃଙ୍କୁ ଏତେ ଦୁର୍ବଳ ମାନିବା ଠିକ ନୁହେଁ । ମୋ ମତରେ ଏବେ ପାଣ୍ଡବମାନେ ବଣରେ । ପାଖରେ ସେମାନଙ୍କର ନା ଧନବଳ ଅଛି ନା ଜନବଳ ଅଛି । ମାନସିକ ଭାବରେ ବି ସେମାନେ ଏବେ ଦୁର୍ବଳ ଅଛନ୍ତି । ଏମିତିବେଳେ ସେଇ ବଣ ଜଙ୍ଗଲ ଭିତରେ ସେମାନଙ୍କୁ ଆକ୍ରମଣ କରି ସେଇଠି ସେମାନଙ୍କୁ ବିନାଶ କରିଦେବା ସହଜ ହୁଅନ୍ତା ।

କର୍ଣ୍ଣଙ୍କ ପ୍ରସ୍ତାବ ସମସ୍ତଙ୍କ ମନକୁ ପାଇଲା । ସମସ୍ତେ ମିଳିମିଶି ପାଣ୍ଡବମାନଙ୍କୁ ସମୁଳେ କେମିତି ବିନାଶ କରିବେ ସେଇ ଯୋଜନା କରିବାକୁ ଲାଗିଲେ । 

ପାଣ୍ଡବମାନଙ୍କର ହସ୍ତିନାପୁର ଯାଇ ପଶା ଖେଳିବା ଓ ଦ୍ରୌପଦୀଙ୍କ ଅପମାନ ହେବା ଏବଂ ସବୁକିଛି ହରେଇ ପାଣ୍ଡବଙ୍କର ବାରବର୍ଷ ପାଇଁ ବନବାସରେ ଯିବା ଘଟଣା ସବୁ ଘଟିଲା ବେଳକୁ କୃଷ୍ଣ ଦ୍ୱାରକାରେ ନଥାନ୍ତି । ଶିଶୁପାଳଙ୍କ ମୃତ୍ୟୁ ପରେ ତାଙ୍କ ବନ୍ଧୁ ସାଲ୍ୱ ଓ ଦନ୍ତବକ୍ର ଆଦି ଦ୍ୱାରକା ଆକ୍ରମଣ କରିଥିବାରୁ ସେମାନଙ୍କ ସହ କୃଷ୍ଣ ଯୁଦ୍ଧରେ ବ୍ୟସ୍ତ ଥାଆନ୍ତି । ଶତୃମାନଙ୍କୁ ତଡି ସାରିଲା ପରେ କୃଷ୍ଣ ପାଣ୍ଡବମାନଙ୍କ ଦୁର୍ଦ୍ଦିନ ବିଷୟରେ ଖବର ପାଇ ହସ୍ତିନାପୁରରେ ପହଞ୍ଚିଲେ । ସେତବେଳକୁ ପଶା ଖେଳରେ ହାରି ପାଣ୍ଡବମାନେ ବାରବର୍ଷ ପାଇଁ ବନବାସକୁ ବାହାରି ଯାଇସାରିଥାନ୍ତି । ତେଣୁ କୃଷ୍ଣ ଆଉ ବିଳମ୍ବ ନକରି ପାଣ୍ଡବମାନଙ୍କୁ ସାକ୍ଷାତ କରିବାକୁ ବଣକୁ ବାହାରିଲେ ।

କୃଷ୍ଣ ପାଣ୍ଡବମାନଙ୍କୁ ଖୋଜି ଖୋଜି କାମ୍ୟକ ବନରେ ଯାଇ ପହଞ୍ଚିଲେ । ପହଞ୍ଚି ଦେଖିଲେ କିଛି ବ୍ରାହ୍ମଣଙ୍କ ସାନିଧ୍ୟରେ ପାଣ୍ଡବମାନେ ଅଛନ୍ତି । ଯୁଧିଷ୍ଠିର ବ୍ରାହ୍ମଣ ଓ ତପସ୍ୱୀଙ୍କ ଗହଣରେ ବସି ଧର୍ମ ଆଲୋଚନା କରୁଛନ୍ତି । ଅଳ୍ପ ଦିନ ତଳେ ରାଜସୂୟ ଯଜ୍ଞ ଆୟୋଜନ କରି ପ୍ରଚୁର ଧନ ରତ୍ନ ସହ ପ୍ରସିଦ୍ଧି ପାଇଥିବା ପାଣ୍ଡବମାନେ ଏବେ ନିସ୍ୱ ଦୀନ ଦରିଦ୍ର ହୋଇ ଗଛତଳେ ବାସ କରୁଛନ୍ତି । 

ଦ୍ରୌପଦୀ ପ୍ରଥମେ କୃଷ୍ଣଙ୍କୁ ଦେଖିଲେ । ଜାଣିଲେ ସେମାନଙ୍କୁ ଦେଖା କରିବାକୁ କୃଷ୍ଣ ଆସିଛନ୍ତି । କିଛି ଦିନ ହେଲା ପାଇଥିବା ଦୁଃଖ, କଷ୍ଟ ଓ ଅପମାନକୁ ଛାତି ତଳେ ଚାପି ରଖିଥିବା ପାଞ୍ଚାଳୀ କୃଷ୍ଣଙ୍କୁ ଦେଖୁ ଦେଖୁ ପ୍ରଥମେ କାନ୍ଦି ପକାଇଲେ । କୃଷ୍ଣଙ୍କୁ ଧରି ଲୁହ ଓ କୋହ ସହିତ ତାଙ୍କର ସବୁତକ କ୍ଷୋଭ ଓ ଅଭିଯୋଗ ପ୍ରକାଶ କରିବାକୁ ଲାଗିଲେ । କହିଲେ, ହେ ସଖା ଏବେ କ'ଣ ଆଉ ଦେଖିବାକୁ ଆସିଛ? ଆମେ କୋଉଠୁ ଆସି ପୁଣି ଶେଷରେ କୋଉଠି ପହଞ୍ଚି ଗଲୁଣି ଦେଖ । ସ୍ୱୟଂ କୃଷ୍ଣ ଯାହାର ସଖା, ପାଞ୍ଚ ପାଞ୍ଚ ଜଣ ବୀର ଯୋଦ୍ଧା ଯାହାର ସ୍ୱାମୀ, ରାଜା ଦ୍ରୁପଦ ଯାହାର ବାପା, ଧୃଷ୍ଟଦ୍ୟୁମ୍ନ ଯାହାର ଭାଇ ସେ ଏମିତି ଅପମାନିତ ଓ ନିର୍ଯ୍ୟାତିତା କେମିତି ହେବ? ଯଦି ମୋର ସମସ୍ତେ ଅଛନ୍ତି ତେବେ ସେ ପାପୀ ଦୁଃଶାସନ ମୋତେ ଭରା ସଭା ମଝିରେ ବିବସ୍ତ୍ର କରିବାକୁ ଚେଷ୍ଟା କରୁଥିଲା କେମିତି? ମୋତେ ଦାସୀ ଦାସୀ ବୋଲି ଡାକୁଥିଲା କେମିତି? 

ଦ୍ରୌପଦୀ କାନ୍ଦୁଥା'ନ୍ତି ଓ କୃଷ୍ଣଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଥା'ନ୍ତି । କୃଷ୍ଣ ତାଙ୍କୁ ସାନ୍ତ୍ୱନା ଦେଉଥା'ନ୍ତି ।

କୃଷ୍ଣଙ୍କୁ ପାଖରେ ପାଇ ଭୀମ କହିଲେ, ହେ କେଶବ, ଆମ ଅସ୍ତ୍ର ଶସ୍ତ୍ର ସବୁ ଏବେବି ଆମ ସାଙ୍ଗରେ ଅଛି । ମୁଁ କହୁଛି ଚାଲନ୍ତୁ ଏବେ ହସ୍ତିନାପୁର ଆକ୍ରମଣ କରିବା ଓ ସେ ଆତ୍ମଗର୍ବୀ ବିଧର୍ମୀ କୌରବମାନଙ୍କୁ ନିପାତ କରିଦେବା । 

ଭୀମଙ୍କ କଥା ଶୁଣି କୃଷ୍ଣ ପଚାରିଲେ ପଶା ଖେଳରେ ହାରିଲେ ବାର ବର୍ଷ ବନବାସ ଓ ବର୍ଷେ ଅଜ୍ଞାତବାସରେ ଯିବାକୁ ତୁମେ ମାନେ ପ୍ରଥମରୁ ରାଜି ହୋଇଥିଲ? 

ଯୁଧିଷ୍ଠିର କହିଲେ ହଁ  । 

ତେବେ ପ୍ରଥମେ କହିଥିବା କଥା ରକ୍ଷା କର । ପ୍ରଥମରୁ ରାଜି ହୋଇଛ ମାନେ ତା'ର ପରିଣାମ ଭୋଗ କରିବାକୁ ବି ପ୍ରସ୍ତୁତ ରୁହ । ଅର୍ଜୁନ କହିଲେ, ସେମାନଙ୍କର ଇଚ୍ଛା ଆମେ ଯେମିତି ଆଉ କେବେବି ଇନ୍ଦ୍ରପ୍ରସ୍ଥ ନଫେରୁ । ଭୀମ କହିଲେ ଯୁଧିଷ୍ଠିର ହିଁ ପଶାରେ ହାରିଛନ୍ତି । ତେଣୁ ସେ ନଗଲେ ନାହିଁ ଆମେ ଅନ୍ୟ ଚାରିଭାଇ ତ ହସ୍ତିନା ଆକ୍ରମଣ କରିପାରିବୁ?  

ଭୀମ ଓ ଅର୍ଜୁନଙ୍କ କଥା ଶୁଣି କୃଷ୍ଣ କହିଲେ ତୁମେ ସମସ୍ତେ ମିଶି ଏକା ଯୁଧିଷ୍ଠିରଙ୍କୁ ଦୋଷୀ କରି ପାରିବନି । ପଶା ଖେଳିବାକୁ ହସ୍ତିନାପୁରରୁ ନିମନ୍ତ୍ରଣ ଆସିଥିବା ବେଳେ ତୁମେ କେହି ବି ବାଧ୍ୟ କରି ଯୁଧିଷ୍ଠିରଙ୍କୁ ଅଟକାଇଲନି କିମ୍ବା ବୁଝାଇଲନି । ପଶାରେ ଦ୍ରୌପଦୀଙ୍କୁ ପଣରେ ରଖିବାକୁ ବି ବିରୋଧ କଲନି । ଥରେ ସବୁ ହରାଇଲା ପରେ ବି ତୁମମାନଙ୍କର ଜ୍ଞାନ ଉଦୟ ହେଲାନି ପୁଣି ଥରେ ଅଧା ବାଟରୁ ଫେରିଯାଇ ଆଉ ଥରେ ପଶା ଖେଳରେ ବସିଲ। ଏବେ ତା'ର ପରିଣାମ ଭୋଗିବାକୁ ହେବ । ଧର୍ମର ରାସ୍ତା ଅନୁସରଣ କରି ତୁମ ସମସ୍ତଙ୍କୁ ଏବେ ବାର ବର୍ଷ ବନବାସ ଓ ବର୍ଷେ ଅଜ୍ଞାତବାସରେ କାଟିବାକୁ ପଡିବ । ତୁମେ ସମସ୍ତେ ଜାଣ ଯେ ଜୁଆ, ମୃଗୟା, ମଦ୍ୟପାନ ଓ ବ୍ୟଭିଚାର ଏ ଚାରୋଟିର ପରିଣାମ ସବୁବେଳେ ଭୟାବହ । ସେଥିରେ ପୁଣି ଏଇ ଜୁଆ ଖେଳ ସବୁଠାରୁ ନିକୃଷ୍ଟ । ମୁଁ ଦ୍ୱାରକାରେ ଥିଲେ ହୁଏତ ଠିକଣା ସମୟରେ ପହଞ୍ଚି କୌଣସି ପ୍ରକାର ଏହି ପଶାପାଲି ଖେଳକୁ କଦାପି ଆୟୋଜନ କରାଇଦେଇନଥାନ୍ତି । ମୁଁ କିନ୍ତୁ ଆଶ୍ଚର୍ଯ୍ୟ ଯେ କୁରୁ ସଭାରେ ଏତେ ବଡ ବଡ ବିଜ୍ଞ ଓ ଗୁଣି ଲୋକ ଥାଇ ବି କେମିତି ତୁମମାନଙ୍କୁ ଅଟକାଇଲେ ନାହିଁ? 

କୃଷ୍ଣଙ୍କ କଥା ଶୁଣି ଦ୍ରୌପଦୀ କାନ୍ଦି କାନ୍ଦି କହିଲେ ଅନ୍ୟମାନଙ୍କ କଥା ଛାଡ । ମୋ ଜାଣିବାରେ ମୋ ଅପମାନ ପାଇଁ ମୁଁ ତ ଦାୟୀ ନୁହେଁ । ମୁଁ କାହାର କ'ଣ କ୍ଷତି କରିଥିଲି? କୃଷ୍ଣ କହିଲେ, ସଖୀ ଭୁଲିଯାଇଛ ତୁମ ସ୍ୱୟଂବରରେ ତୁମେ କର୍ଣ୍ଣଙ୍କୁ କେମିତି ଅପମାନିତ କରିଥିଲ । ତାପରେ ଯୁଧିଷ୍ଠିରଙ୍କ ରାଜସୂୟ ଯଜ୍ଞ ପରେ ପରେ ଦୁର୍ଯ୍ୟୋଧନ ଯେଉଁଦିନ ଅଜଣାତରେ ପାଣି କୁଣ୍ଡରେ ପଡି ଓଦା ହୋଇଯାଇଥିଲେ କ'ଣ କହିଥିଲ ତୁମେ? କହିଥିଲ ନା ଅନ୍ଧ ବାପର ଅନ୍ଧ ପୁଅ? ସେଇ ସବୁ ଅପମାନର ପ୍ରତିଶୋଧ ଏବେ ତୁମ ଉପରେ ନେଇଛନ୍ତି ଅଙ୍ଗ ରାଜ କର୍ଣ୍ଣ ଓ ଦୁର୍ଯ୍ୟୋଧନ । ତେବେ ତୁମେ ଏମିତି ଧର୍ଯ୍ୟହରା ହେଇ କାନ୍ଦ ନାହିଁ । ତୁମକୁ ଯିଏ ଦୁଃଖ ଅପମାନ ଦେଇଛନ୍ତି ସେମାନେ ସମସ୍ତେ ତା'ର ପରାଭବ ନିଶ୍ଚୟ ଭୋଗିବେ । ତୁମେ କେବଳ ଧୈର୍ଯ୍ୟ ଧର ଓ ମୋ ଉପରେ ବିଶ୍ୱାସ ରଖି ଉପଯୁକ୍ତ ସମୟକୁ ଅପେକ୍ଷା କର । ଦେଖିବ କେବଳ ତୁମ ଲୁହ ଟୋପାରେ ହିଁ ପୁରା କୌରବ ବାହନୀ ଭାସିଯିବ ।

Mahabharat Lord Krishna Mahabharat Story
Advertisment
Advertisment