• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଚୀନର ୟୁନାନ ପ୍ରଦେଶର ଜାଟୋଙ୍ଗ ସହରରେ ଭୂସ୍ଖଳନ ଘଟିଛି । ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଲୋକ ଏବେବି ମାଟି ତଳେ ଫସି ରହିଛନ୍ତି। ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ରେସ୍କ୍ୟୁ ଅପରେସନ ଚାଲିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୫୦୦ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି।

ମିଳିଥିବା ଅନୁଯାୟୀ ୧୮ ଟି ଘର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଆଜି ସକାଳେ ଏହି ଭୂସ୍ଖଳନ ଘଟିଛି। ଶୋଇଥିବା ବେଳେ ହଠାତ୍ ଏକ ଶବ୍ଦ ଶୁଣାଗଲା। ଏତେ ପ୍ରଚଣ୍ଡ ଶବ୍ଦ ହେଲା ଯେପରି ଏକ ବୋମା ବିସ୍ଫୋରଣ ହୋଇଛି। ଏହାପରେ ଏକ କମ୍ପନ ଅନୁଭବ ହେଲା।

ଚୀନର ଗଣମାଧ୍ୟମ ସିସିଟିଭି ଅନୁଯାୟୀ, ୧୦୦୦ଜଣ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ମାଟି ତଳେ ପୋତି ହୋଇଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏବେବି ଚେଷ୍ଟା ଜାରି ରହିଛି। ଯେଉଁଠାରେ ଭୂସ୍ଖଳନ ଘଟିଛି ସେଠାରେ ପାଗ ଖରାପ ରହିଛି। ତାପମାତ୍ରା ମାଇନସ୍ ୪ ଡିଗ୍ରୀ ରହିଛି। ଲୋକଙ୍କୁ ଉଦ୍ଧାର କରିବାକୁ ରାଷ୍ଟ୍ରପତି ସି ଜିନପିଙ୍ଗ ନିର୍ଦ୍ଦେଶ ଦେଇଛନ୍ତି। ଉଦ୍ଧାରକାରୀ ଟିମ ମେମ୍ୱରଙ୍କ କହିବାନୁସାରେ, ଖରାପ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଆସନ୍ତା ତିନି ଦିନ ଧରି ପ୍ରବଳ ତୁଷାରପାତ ପାଇଁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।

ସିସିଟିଭି ଅନୁଯାୟୀ, ୟୁନାନ ପ୍ରଦେଶରେ ଅନେକ ପର୍ବତ ରହିଛି। ଶୀତଦିନେ ଏଠାରେ ତୁଷାରପାତ ହୁଏ । ଭୂସ୍ଖଳନ ପରେ ପର୍ବତରୁ ଅତଡା ଖସି ଘର ଉପରେ ପଡିଯାଇଛି। ଯାହା ଫଳରେ ୧୮ଟି ଘର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏବେବି ହାଲୁକା ତୁଷାରପାତ ଜାରି ରହିଛି। ଭୂସ୍ଖଳନ କିପରି ଘଟିଲା ସେନେଇ ଏଯାଏ ସଠିକ ସୂଚନା ମିଳିପାରିନି।

ଗତ ବର୍ଷ ଅଗଷ୍ଟ ମାସରେ ଚୀନର ସିୟାନରେ ପ୍ରବଳ ବର୍ଷା ହେତୁ ଭୂସ୍ଖଳନରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିଲା। ଭୂସ୍ଖଳନ ଓ ବନ୍ୟା ଯୋଗୁଁ ଏକ ରାଜପଥ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ପ୍ରାୟ ୯୦୦ ଘରେ ବିଦ୍ୟୁତ ବିଚ୍ଛିନ୍ନ ହୋଇଥିଲା। ଏହାପୂର୍ବରୁ ଜାଟୋଙ୍ଗ ସହରରେ ଏକ ଭୂସ୍ଖଳନ ହୋଇଥିଲା। ଯେଉଁଥିରେ ୧୩ଜଣଙ୍କର ମୃତ୍ୟୁ ହୋଇଥିଲା।