• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଫ୍ରିକାରେ ଆତଙ୍କ ଖେଳାଇଛି ଆଉ ଏକ ମାରାତ୍ମକ ଭୂତାଣୁ । ନାଁ ହେଉଛି ମାରବର୍ଗ । ଇବୋଲା ଭଳି ଆଉ ଏକ ଅତ୍ୟଧିକ ସଂକ୍ରାମକ ଭୂତାଣୁ ମାରବର୍ଗ । ଘାନାରେ ଏଥିରେ ସଂକ୍ରମିତ ହୋଇ ୨ ଜଣଙ୍କ ଜୀବନ ଯିବା ପରେ ସତର୍କ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ- ଡବ୍ଲୁଏଚ୍ଓ । ୨୬ ବର୍ଷୀୟ ଓ ୫୧ ବର୍ଷୀୟ ସଂକ୍ରମିତଙ୍କର ଜୁନ୍ ଶେଷ ସପ୍ତାହରେ ଗୋଟିଏ ହସ୍ପିଟାଲରେ ମୃତ୍ୟୁହୋଇଥିଲା । ସଂକ୍ରମିତ ହେବା ପରେ ତାଙ୍କୁ ଜ୍ୱର ଓ ଝାଡ଼ାବାନ୍ତି ହେଉଥିଲା ।

ତେବେ ସେମାନଙ୍କ ନମୁନାକୁ ଯାଞ୍ଚ ପାଇଁ ସେନେଗାଲ୍ର ପାଷ୍ଟିଅର୍ ଇନଷ୍ଟିଚ୍ୟୁଟକୁ ପଠାଯାଇଥିଲା । ଚଳିତ ମାସ ପ୍ରଥମ ସପ୍ତାହରେ ସେମାନେ ମାରବର୍ଗ ପଜିଟିଭ୍ ଚିହ୍ନଟ ହୋଇଥିବା କୁହାଯାଇଛି । ଡବ୍ଲୁଏଚ୍ଓ ପକ୍ଷରୁ ଏହାକୁ ଆଉଟବ୍ରେକ୍‌ ଘୋଷଣା କରାଯାଇଥିବା ବେଳେ ଘାନା ସ୍ୱାସ୍ଥ୍ୟ ବିଭାଗ ସଂକ୍ରମଣ ରୋକିବାକୁ ଜୋରଦାର କସରତ ଚଳାଇଛି ।

୨ ମୃତକଙ୍କ ସଂସ୍ପର୍ଶରେ ଆସିଥିବା ୯୮ ଲୋକଙ୍କୁ କ୍ୱାରେଣ୍ଟିନରେ ରଖାଯାଇଥିବା ସୂଚନା ମିଳିଛି । ସେମାନଙ୍କ ଠାରେ କୌଣସି ଲକ୍ଷଣ ପ୍ରକାଶ ପାଇନାହିଁ ବେଳ ଥାଉ ଥାଉ ଉଚିତ ପଦକ୍ଷେପ ନନେଲେ ସ୍ଥିତି ଅତି ସହଜରେ ନିୟନ୍ତ୍ରଣ ବାହାରକୁ ଚାଲିଯାଇପାରେ ବୋଲି ଚେତାଇ ଦେଇଛନ୍ତି ଆଫ୍ରିକା ପାଇଁ ଡବ୍ଲୁଏଚ୍ଓର ଆଞ୍ଚଳିକ ନିର୍ଦ୍ଦେଶିକା ।

ଆଫ୍ରିକାରେ ପୂର୍ବରୁ ମଧ୍ୟ ଦେଖାଦେଇଛି ମାରବର୍ଗ ଭୂତାଣୁ ସଂକ୍ରମଣ । ଡବ୍ଲୁଏଚ୍ଓର ସୂଚନା ଅନୁସାରେ, ପୂର୍ବରୁ ଆଙ୍ଗୋଲା, କଙ୍ଗୋ, କେନିୟା, ଦକ୍ଷିଣ ଆଫ୍ରିକା ଓ ଉଗାଣ୍ଡାରେ ମାରବର୍ଗ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ମଧ୍ୟଅ ତା ଗୋଟିଏ ଲେଖାଏଁ ମାମଲା ଥିଲା ।

ତେବେ ଗତବର୍ଷ ପ୍ରଥମ ଥର ପାଇଁ ଗିନିରେ ଏହା ଆଉଟବ୍ରେକ ହୋଇଥିଲା ବା ସଂକ୍ରମଣ ବ୍ୟାପିଥିଲା । ମାରବର୍ଗ ଭୂତାଣୁ ଇବୋଲା ପରିବାରର ଏବଂ ଏହା ବାଦୁଡ଼ିରୁ ଏବଂ ସଂକ୍ରମିତ ମଣିଷଙ୍କ ଠାରୁ ସୁସ୍ଥ ମଣିଷଙ୍କ ଠାରୁ ବ୍ୟାପୁଥିବା କୁହାଯାଉଛି । ତେଣୁ ଘାନାରେ ବାଦୁଡ଼ି ଥିବା ଗୁମ୍ଫାକୁ ନଯିବା ପାଇଁ କୁହାଯାଇଛି ।

ଏହି ଭୂତାଣୁ କରୋନା ଭଳି ଶରୀରରୁ ନିର୍ଗତ ତରଳ ଯଥା ଛେପ, କଫ ଓ ସର୍ଦ୍ଦି ଆଦି ଦ୍ୱାରା ଜଣଙ୍କଠୁ ଅନ୍ୟଜଣଙ୍କୁ ଡେଇଁଥାଏ । ଜ୍ୱର, ମୁଣ୍ଡବିନ୍ଧା, ପେଟବ୍ୟଥା, ଦେହପୀଡ଼ା, ଝାଡ଼ାବାନ୍ତି ସହିତ ବାହ୍ୟ ଓ ଆଭ୍ୟନ୍ତରୀଣ ରକ୍ତସ୍ରାବ ଏହାର ଲକ୍ଷଣ । ଏହା ଅତ୍ୟନ୍ତ ମାରାତ୍ମକ ଭୂତାଣୁ ଏବଂ ସଂକ୍ରମିତଙ୍କ ମୃତ୍ୟୁହାର ୨୪ରୁ ୮୮ ପ୍ରତିଶତ ଏଥିପାଇଁ କୌଣସି ପ୍ରତିଷେଧକ ଟିକା ବା ଚିକିତ୍ସା ପଦ୍ଧତି ନଥିବାରୁ ସଂକ୍ରମଣ ବ୍ୟାପିଲେ ସ୍ଥିତି କରୋନା ଭଳି ଭୟାବହ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।