• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ଜଟିଳ ହେଉଛି ୟୁକ୍ରେନ୍ ସଙ୍କଟ

  • ଯେକୌଣସି ମୁହୂର୍ତ୍ତରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ ଋଷିଆ

ଜଟିଳ ହେଉଛି ୟୁକ୍ରେନ୍ ସଙ୍କଟ । ଟ୍ୟାଙ୍କ, ଅସ୍ତ୍ରଶସ୍ତ୍ର ଏବଂ ବିପୁଳ ସେନା ସହ ୟୁକ୍ରେନ୍ ଆଡକୁ ବଢୁଛି ଋଷୀୟ ସେନା । ତେବେ ଯୁଦ୍ଧ ପାଇଁ କୌଣସି ଯୋଜନା ନଥିବା ବାରମ୍ବାର କହୁଛନ୍ତି ରାଷ୍ଟ୍ରପତି ପୁତିନ୍, ହେଲେ ୟୁକ୍ରେନ୍‌ରୁ କିନ୍ତୁ କୂଟନୈତିକ ଅଧିକାରୀଙ୍କୁ ପ୍ରତ୍ୟାହାର ଆରମ୍ଭ କରିଛି ରୁଷ୍ । ଏଣେ ବଡ଼ ପଦକ୍ଷେପକ୍ରମେ ଋଷ ସହ ବ୍ୟବସାୟିକ ସମ୍ପର୍କ ଏବଂ ଆର୍ଥିକ ସହାୟତା ଉପରେ କଟକଣା ଲଗାଇଛି ଆମେରିକା । ସେପଟେ ଯୁଦ୍ଧ ଆଶଙ୍କା ଭିତରେ ପ୍ରଥମ ପର୍ଯ୍ୟାୟରେ ଭାରତ ଫେରିଛନ୍ତି ୨୪୨ ଜଣ ନାଗରିକ ।

ସାଟେଲାଇଟ୍ ଇମେଜ୍‌ରେ ୟୁକ୍ରେନ୍ ସୀମାରେ ଋଷୀୟ ସେନା ରହିଥିବାର ଦେଖିବାକୁ ମିଳିଛି । ଆଉ ମାତ୍ର ୨୦ କିଲୋମିଟର ଅସ୍ତ୍ରଶସ୍ତ୍ର, ଟ୍ୟାଙ୍କ୍ ଓ ଯୁଦ୍ଧ ବିମାନ ସହ ଆଗକୁ ବଢୁଛି ସେନା । ଗତକାଲି ସାଟେଲାଇଟ୍ ଦ୍ୱାରା ନିଆଯାଇଥିବା ଏହି ହାଇ ରିଜୋଲ୍ୟୁସନ ଚିତ୍ର, ଦକ୍ଷିଣ ବେଲାରୁଷର ମୋଜାୟରରେ ଥିବା ଋଷୀୟ ବିମାନଘାଟିର । ଯେଉଁଠି ଫେବ୍ରୁଆରୀ ୪ ତାରିଖରେ କିଛି ବି ହଲଚଲ ନଥିଲା, ସେଠି ଏବେ ସେନା ଛାଉଣୀ ରହିଛି, ଶହେରୁ ଅଧିକ ଗାଡି ଏବଂ ସେନାର ଶତାଧିକ ଶିବିର, ଏପରିକି ସେନା ପାଇଁ ନିର୍ମାଣ କରାଯାଇଛି ଏକ ଫିଲ୍ଡ ହସ୍ପିଟାଲ । ନୂଆ ସାଟେଲାଇଟ୍ ଚିତ୍ର ଆସିବା ପରେ ଆଶଙ୍କା କରାଯାଉଛି, ଯେକୌଣସି ମୁହୂର୍ତ୍ତରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ ଋଷିଆ ।

ଏପଟେ ଋଷ୍ ଉପରେ ବଢ଼ିଛି ଆମେରିକାର କୂଟନୈତିକ ଚାପ । ଋ଼ଷ ସହ ସମସ୍ତ ବ୍ୟାବସାୟିକ ସମ୍ପର୍କ ଏବଂ ଆର୍ଥିକ ସହାୟତା ଉପରେ କଟକଣା ଲଗାଇଛି ୱାଶିଂଟନ୍ । ୟୁରୋପ ମହାଦେଶ ତଥା ଆମେରିକାରେ ହେଉଥିବା ଆର୍ଥିକ କାରବାର ଉପରେ ବି ରୋକ ଲଗାଇଛନ୍ତି ରାଷ୍ଟ୍ରପତି ବାଇଡେନ୍ । ଋଷର କାର୍ଯ୍ୟାନୁଷ୍ଠାନ, ଆନ୍ତର୍ଜାତିକ ନିୟମାବଳୀର ଉଲ୍ଲଂଘନ କରୁଛି । ତେଣୁ ଋଷକୁ ପଶ୍ଚିମ ଦେଶରୁ ମିଳୁଥିବା ଆର୍ଥିକ ସହାୟତା ସହ ପ୍ରତିରକ୍ଷା କ୍ଷେତ୍ରରେ ବି ପ୍ରତିବନ୍ଧକ ଲାଗିବ । ବାଇଡେନ୍ ସଫା ସଫା କହିଛନ୍ତି ଯେ, ଋଷ ନସୁଧୁରିଲେ ଆଗକୁ ଆହୁରି ବଡ଼ ନିଷ୍ପତ୍ତି ନେବ ଆମେରିକା ।

 

ୟୁକ୍ରେନ ଋଷିଆ ଯୁଦ୍ଧ ହେଲେ ଭାରତ ଉପରେ କଣ ପଡିବ ପ୍ରଭାବ? କଣ ହେବ ମହଙ୍ଗା? ଋଷିଆ ବିଶ୍ୱର ଏକ ଅଗ୍ରଣୀ ଅଶୋଧିତ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ହୋଇଥିବାରୁ ବିଶ୍ୱ ବ୍ୟାପୀ ଏହାର ପ୍ରଭାବ ପଡିବ । ତେଣୁ ଭାରତରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବା ଆଶଙ୍କା ରହିଛି । ଏପରିକି ତେଲ ଦର ୭ରୁ୮ ଟଙ୍କା ବଢିପାରେ ବୋଲି ଆକଳନ କରାଯାଉଛି ।

ସେହିପରି CNG, PNG ଏବଂ ବିଦ୍ୟୁତ ଦର ମଧ୍ୟ ବଢିପାରେ । ଋଷିଆ ଓ ୟୁକ୍ରେନ ମିଳିତଭାବେ ବିଶ୍ୱ ବଜାରକୁ ଏକ ସିଂହଭାଗ ଗହମ ରପ୍ତାନୀ କରୁଥିବାରୁ ଭାରତରେ ମଧ୍ୟ ଗହମ ଦର ବଢିପାରେ । ସେହିପରି ଋଷିଆ ବିଶ୍ୱରେ ପାଲାଡିୟମ ମେଟାଲର ସର୍ବବୃହତ ରପ୍ତାନକାରୀ ରାଷ୍ଟ୍ର । ମୋବାଇଲରେ ଏହି ମେଟାଲ ବ୍ୟବହାର ହେଉଥିବାରୁ ଯୁଦ୍ଧ ହେଲେ ମହଙ୍ଗା ହୋଇପାରେ ମୋବାଇଲ ।

ଯୁଦ୍ଧ ଆଶଙ୍କା ଭିତରେ ଭାରତ ଫେରିଛନ୍ତି ୨୪୨ ଜଣ ଭାରତୀୟ ନାଗରିକ । ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଫେରିବା ପରେ ସମସ୍ତଙ୍କୁ ନିଜ ନିଜ ରାଜ୍ୟକୁ ପଠାଯାଇଛି । ଏହାମଧ୍ୟରେ ଅଧିକାଂଶ ଡାକ୍ତରୀ ଛାତ୍ରଛାତ୍ର ରହିଥିବା ବେଳେ ଦିଲ୍ଲୀ ଫେରିଛନ୍ତି ଓଡ଼ିଆ ଛାତ୍ର ପ୍ରତୀକ ଧଳ ।